ଜଟଣୀ: ବିଶିଷ୍ଟ ସାମାଜିକ କର୍ମୀ ତଥା ପାଣ୍ଡବ ଜେନା ଫାଉଣ୍ଡେସନ୍ର ଅଧ୍ୟକ୍ଷ ସନ୍ତୋଷ ଜେନା ବିଜେପିକୁ ଫେରିଛନ୍ତି। ଆଜି ଭୁବନେଶ୍ବରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ନିଜ ସମର୍ଥକମାନଙ୍କ ଗହଣରେ ବିଜେପିରେ ମିଶିଛନ୍ତି। ଛାତ୍ର ନେତା ଭାବେ ଏବିଭିପିରେ ସକ୍ରିୟ ଥିବା ସନ୍ତୋଷ ବିଜେପିରୁ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଦସ୍ୟ ଥିଲେ। କିନ୍ତୁ ୨୦୧୯ ମସିହାରେ ବିଜେପି ତାଙ୍କୁ ଜଟଣୀ ନିର୍ବାଚନମଣ୍ଡଳୀରୁ ଟିକେଟ୍ ନ ଦେବାରୁ ସେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ। ବିଜେଡିରେ ତାଙ୍କୁ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କ ବିକଳ୍ପ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ୮ ମାସ ପୂର୍ବରୁ ବିଜେଡି ତାଙ୍କୁ ଦଳରୁ ନିଲମ୍ବନ ଓ ପରେ ବହିଷ୍କାର କରିଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବାହାର କରାଯାଇଥିଲା। ଏବେ ସେ ପୁଣି ବିଜେପିକୁ ଫେରିଛନ୍ତି। ବିଜେପି ଏଥର ତାଙ୍କୁ ଜଟଣୀ ବିଧାୟକ ପଦ ପାଇଁ ଟିକେଟ୍ ଦେବ ବୋଲି ତାଙ୍କ ସମର୍ଥକମାନେ ଆଶାବାଦୀ ଥିବା କହିଛନ୍ତି। ବିଜେପିରୁ ତାଙ୍କୁ ପ୍ରାର୍ଥୀ କରାଗଲେ, ସେ ବିଜେଡିକୁ କଡ଼ା ଟକ୍କର ଦେବେ ବୋଲି ସମର୍ଥକମାନେ ଦାବି କରିଛନ୍ତି। ଆଜିର ମିଶ୍ରଣ ପରେ ଜଟଣୀରୁ ବିଜେପି ଟିକେଟ୍ରେ ଲଢ଼ିବାକୁ ବିଶ୍ବରଞ୍ଜନ ବଡ଼ଜେନା, ସୁଦୀପ୍ତ ରାୟ, ଅର୍ଦ୍ଧେନ୍ଦୁ ଦାସ ଓ ସନ୍ତୋଷ ଜେନାଙ୍କ ନାଁକୁ ନେଇ ସରଗରମ ଚର୍ଚ୍ଚା ହେଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp