ଭୁବନେଶ୍ବର: ସତ୍‌ସଙ୍ଗ ବିହାରରୁ ସୈନିକ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ପୂରା ସଂଗିନ୍‌ ହୋଇପଡ଼ିଛି। ପ୍ରତି ୫୦ ମିଟରରେ ବଡ଼ବଡ଼ ଖାଲ। ଏହି କଦର୍ଯ୍ୟ ରାସ୍ତା ପାଇଁ ସ୍ଥାନୀୟ ଲୋକେ ନିତି ନାକରେ କାନ୍ଦୁଛନ୍ତି। ବିଶେଷକରି ଭିଏସ୍‌ଏସ୍‌ ନଗର ହାଟ ପାଖରୁ ଶୌଚାଳୟ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ରାସ୍ତାରେ ଫୁଟେ ଫୁଟେ ଖାଲ ହୋଇଯାଇଛି। ଦୋଷ ଘୋଡ଼ାଇବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ଉପରେ ମୋରମ୍‌ ବିଛାଇଥିଲେ ହେଁ ଲଗାଣ ବର୍ଷାରେ ମୋରମ୍‌ ସବୁ ଧୋଇ ହୋଇଯାଇଛି। ଫଳରେ ରାସ୍ତାର ଅବସ୍ଥା ଆହୁରି ଦୟନୀୟ ହୋଇପଡ଼ିଛି।

Advertisment

ପୂର୍ତ୍ତ ବିଭାଗ ପକ୍ଷରୁ ଗତ ଅକ୍ଟୋବର ମାସ, ଦୁର୍ଗା ପୂଜା ପୂର୍ବରୁ ଏହି ରାସ୍ତା କାମ କରାଯାଇଥିଲା। ଅଧିକାଂଶ ସ୍ଥାନରେ ପିଚୁ ପକାଇ ସମାନ କରାଯାଇଥିବା ବେଳେ କିଛି କିଛି ସ୍ଥାନ ଢଳେଇ ହୋଇଥିଲା। ଢଳେଇ ହୋଇଥିବା ସ୍ଥାନଗୁଡ଼ିକରେ ଏବେ ବଡ଼ ବଡ଼ ଗାତ ହୋଇ ସେଥିରେ ବର୍ଷାପାଣି ଜମି ରହୁଛି। ରାସ୍ତାର ଏ ଅବସ୍ଥା ଯୋଗୁଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। କିନ୍ତୁ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ମରାମତି ନେଇ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଏକ ବଡ଼ଧରଣର ଆନ୍ଦୋଳନ କରିବାକୁ ଅଞ୍ଚଳବାସୀ ସଜବାଜ ହେଉଥିବା ଜଣାଯାଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଜି ରାସ୍ତାର ଏଭଳି ଅବସ୍ଥା ହୋଇଛି। ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥ ହରଣଚାଳ କରିଥିବା ଭଳି ସଂଗିନ୍‌ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଧିବାସୀ। ସେମାନଙ୍କ କହିବାନୁସାରେ, ଗତବର୍ଷ ରାସ୍ତା କାମ କରାଯିବା ବେଳେ ନିମ୍ନମାନର କାମ ହେଉଥିଲା। ଏହାକୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ ହେଁ ସେମାନେ କାହା କଥା ଶୁଣିନଥିଲେ। ଫଳରେ ୮ ମାସ ଭିତରେ ଏବେ ରାସ୍ତାର ଏଭଳି ସ୍ଥିତି ହୋଇଯାଇଛି। ଏବେ ସ୍ଥାନୀୟ ଲୋକମାନେ ଯାତାୟାତରେ ବହୁ ସମସ୍ୟା ଭୋଗୁଛନ୍ତି। ଏହି ରାସ୍ତାଟି ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତା। ଏହା ଉପରେ ଅଞ୍ଚଳର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଲୋକ ଯାତାୟାତ ଉପରେ ନିର୍ଭର କରନ୍ତି। ଏହି ରାସ୍ତା ଦେଇ ଲୋକେ ମଞ୍ଚେଶ୍ବର ଷ୍ଟେସନ୍‌, ରଙ୍ଗମାଟିଆ, ସୈନିକ ସ୍କୁଲ ଦେଇ ଆଚାର୍ଯ୍ୟ ବିହାର ଆଦି ସ୍ଥାନକୁ ଯାତାୟାତ କରନ୍ତି। ଏହାର ଗୁରୁତ୍ବକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତାର ମରାମତି କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏ ସଂପର୍କରେ ପୂର୍ତ୍ତ ବିଭାଗ ଡିଭିଜନ୍‌-୪ ଯନ୍ତ୍ରୀ ଦୟାସାଗର ସାହୁଙ୍କୁ ବାରମ୍ବାର ଯୋଗାଯୋଗ କରି ରାସ୍ତା କାମ ସଂପର୍କରେ ତଥ୍ୟ ମାଗିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ଏପରିକି କାର୍ଯ୍ୟାଳୟ‌ରେ ମଧ୍ୟ ତାଙ୍କର ଦେଖା ମଳିନଥିଲା।