ରାଜଧାନୀରେ ଶନିବାର ଓ ରବିବାର ପାର୍କ ବନ୍ଦ

ବୟସ୍କଙ୍କ ପାଇଁ ସକାଳ ୫ଟାରୁ ୭ଟା ଖୋଲା

ଭୁବନେଶ୍ବର : ଏଣିକି ରାଜଧାନୀର ସବୁ ପାର୍କ ଖୋଲିବ। ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ଅଧୀନରେ ଥିବା ସମସ୍ତ ପାର୍କ ସକାଳ ୫ଟାରୁ ୧୦ଟା ଏବଂ ଅପରାହ୍ନରେ ୪ଟାରୁ ୬ଟା ପର୍ଯ୍ୟନ୍ତ ଖୋଲିବ। କିନ୍ତୁ ସକାଳ ୫ଟାରୁ ୭ଟା କେବଳ ୬୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଖୋଲିବ ବୋଲି ବିଏମ୍‌ସି କମିସନର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ମେ ୨୪ତାରିଖରୁ ରାଜଧାନୀର ପ୍ରାୟ ସମସ୍ତ ପାର୍କ ଖୋଲି ଯାଇଥିଲେ ହେଁ ଏନେଇ ବିଏମ୍‌ସି ପକ୍ଷରୁ କିଛି ନିର୍ଦ୍ଦେଶନାମା ପ୍ରକାଶ ପାଇନଥିଲା। କିନ୍ତୁ ଆଜି ବିଏମ୍‌ସି ପକ୍ଷରୁ ପାର୍କ ସମୟ ସୂଚୀ ପ୍ରକାଶ ପାଇବା ସହ ପାର୍କ ଖୋଲାହେବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ଜୁନ୍‌ ଶେଷ ପର୍ଯ୍ୟନ୍ତ ଭୁବନେଶ୍ବରରେ ଶନିବାର ଓ ରବିବାର ସଟ୍‌ଡାଉନ୍ ହେବାକୁ ଥିବାରୁ ଏହି ଦୁଇଦିନ ପାର୍କ ବନ୍ଦ ରହିବ। ରାଜ୍ୟ ସରକାର ଯେବେ ସଟ୍‌ଡାଉନ୍‌ ଉଠାଇବେ ସେତେବେଳେ ପାର୍କ ପୂର୍ବଭଳି ସବୁଦିନ ଖୋଲା ରହିବ।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ସକାଳ ୫ଟାରୁ ୭ଟା ପର୍ଯ୍ୟନ୍ତ କେବଳ ୬୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ପାର୍କ ଖୋଲା ରହିବ। ଏହି ସମୟରେ କେବଳ ବୟସ୍କମାନେ ପାର୍କକୁ ଯିବେ। ସେହିପରି ଅନ୍ୟ ସମୟରେ ବୟସ୍କମାନେ ପାର୍କକୁ ଯିବେନି। ବୟସ୍କମାନେ ଅଧିକ ସମ୍ବେଦନଶୀଳ ହୋଇଥିବାରୁ କରୋନା କଟକଣାକୁ ନଜରରେ ରଖି ଏହିଭଳି ନିଷ୍ପତ୍ତି ହୋଇଛି।

ସେହିପରି ଅପରାହ୍ନରେ ୪ଟାରୁ ୬ଟା ପର୍ଯ୍ୟନ୍ତ ପାର୍କ ଖୋଲା ରହିବ। ବିଏମ୍‌ସିର ନିର୍ଦ୍ଦେଶନାମା ଅନୁଯାୟୀ, ସାଧାରଣ ଲୋକ ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ପାର୍କକୁ ଯାଇପାରିବେ। କିନ୍ତୁ ପାର୍କରେ ଯେପରି ସାମାଜିକ ଦୂରତା ରହିବ ତାହାକୁ ଧ୍ୟାନ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର