ଭୁବନେଶ୍ବର: ଶବ ସତ୍କାର ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଶ୍ମଶାନ ରହିଛି। ସହର ଉପକଣ୍ଠର ପ୍ରତି ଗାଁ’ରେ ଗୋଟିଏ ଲେଖାଏଁ ମଶାଣି ରହିଛି। ସହରର କେତେକ ୱାର୍ଡରେ ଏକାଧିକ ଶ୍ମଶାନ ବି ପ୍ରତିଷ୍ଠା କରାଯାଇଛି। ତା’ପରେ ବି ସହରରେ ଶବ ପୋଡ଼ିବା ଲାଗି ଜାଗା ମିଳୁନି। ପ୍ରତିଦିନ ସତ୍ୟନଗର ମଶାଣିରେ ଶବ ଦାହ ପାଇଁ ଚାପ ବଢ଼ୁଛି। କୋଭିଡ୍‌-୧୯ ମହାମାରୀ ପୂର୍ବରୁ ପ୍ରତିଦିନ ୧୦ରୁ ଅଧିକ ଶବ ସତ୍କାର ହେଉଥିବା ବେଳେ ଏବେ କରୋନା ଯୋଗୁଁ ସତ୍ୟନଗରରେ ପ୍ରତିଦିନ ଶବ ସଂଖ୍ୟା ୩୫ ଡେଇଁଯାଉଛି। ବେଳେବେଳେ ‌କରୋନା ଆକ୍ରାନ୍ତ ଓ କରୋନା ସନ୍ଦିବ୍ଧଙ୍କ ଶବ ସଂଖ୍ୟା ୨୫ରୁ ଅଧିକ ହୋଇଯାଉଛି। ଏହି ଶ୍ମଶାନରେ ଏତେ ସଂଖ୍ୟକ ଶବ ସତ୍କାର ହେଉଥିବାରୁ ଅଞ୍ଚଳବାସୀ ଧୂଆଁରେ ଅଣନିଶ୍ବାସୀ ହୋଇପଡ଼ୁଛନ୍ତି। ଶବ ଦାହ ଯୋଗୁଁ ସତ୍ୟନଗର, ସହିଦନଗରର ପ୍ରଦୂଷଣ ସ୍ଥିତି ଖରାପ ହେଉଥିବାରୁ ଲୋକେ ଅଭିଯୋଗ ନେଇ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ତେଣୁ ବିଏମ୍‌ସିର ନିଦ ଭାଙ୍ଗିଛି। ରାଜଧାନୀରେ ଆଉ ଦୁଇଟି ଶ୍ମଶାନର ବିକାଶ ଲାଗି ବିଏମ୍‌ସି ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।

Advertisment

ତେବେ ସହର‌ରେ ଏମିତି ଅନେକ ଶ୍ମଶାନ ରହିଛି, ଯେଉଁଠିକୁ ଦିନକୁ ଗୋଟିଏ ବି ଶବ ପୋଡ଼ା ହେଉନି। ବରଂ ଫାଟକରେ ତାଲା ପଡ଼ିଛି ଓ ପୂର୍ବତନ କର୍ପୋରେଟରଙ୍କ ପାଖରେ ଫାଟକ ଚାବି ରହିଛି। ଅନ୍ୟ କେତେକ ଶ୍ମଶାନ ଚାରିପାଖ ମୁକୁଳା ପଡ଼ିଛି। ଏମିତି କିଛି ଶ୍ମଶାନ ରହିଛି, ଯାହାକି ୩ ଏକର ପରିମିତ ଜମିରେ ନିର୍ମାଣ ହୋଇଥିଲେ ମଧ୍ୟ ଏବେ ୧୦୦ ବର୍ଗ ଫୁଟ୍ ଜମି ବି ନାହିଁ। ସବୁଠି ଜବରଦଖଲ। ଶ୍ମଶାନ ଜମିକୁ ମାଡ଼ି ବସି ଲୋକେ ଘର କରି ରହିଛନ୍ତି। ସହରରେ ଥିବା ମଶାଣି ସ୍ଥିତି ଜାଣିବା ଲାଗି ‘ସମ୍ବାଦ’ ପକ୍ଷରୁ କରାଯାଇଥିବା ଗ୍ରାଉଣ୍ଡ ଜିରୋ ସର୍ଭେରେ ଏଭଳି କିଛି ଦେଖିବାକୁ ମିଳିଛି। ସବୁଠି ଗୋଟିଏ ହିଁ ସମସ୍ୟା ଦୃଷ୍ଟିକୁ ଆସିଥିଲା। ଶ୍ମଶାନରେ ଶବ ପୋଡ଼ିବା ଲାଗି ଜାଗା ରହିଛି। ‌ହେଲେ ଭିତ୍ତିଭୂମି ଆଦୌ ନାହିଁ। ଶବ ପୋଡ଼ିବାକୁ ଘର ନିର୍ମାଣ ହୋଇଛି ସତ। ହେଲେ ସତ୍ୟ ନଗର ପରି ସୁବିଧା ନାହିଁ। ଯେଉଁଥିପାଇଁ ଲୋକେ ନିକଟସ୍ଥ ମଶାଣିକୁ ଛାଡ଼ି ସତ୍ୟନଗର ମୁହାଁ ହେଉଛନ୍ତି। ଯେଉଁ କେତେକ ମଶାଣି ବୁଲି ଦେଖିଥିଲୁ ସେଥିମଧ୍ୟରୁ କୌଣସି ବି ସ୍ଥାନରେ ‌ଶୌଚ ପାଇଁ ବ୍ୟବସ୍ଥା ନ ଥିବା ଦେଖିବାକୁ ମିଳିଥିଲା। ଏମିତିକି ମଶାଣିର ଦେଖା ରଖା କରିବାକୁ କାହାକୁ ନିୟୋଜନ କରାଯାଇ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଛି।publive-image

‘ସ୍ବର୍ଗଦ୍ବାର’ ପରି ସୁବ୍ୟବସ୍ଥିତ ନୁହେଁ
ବରମୁଣ୍ଡା ଶ୍ମଶାନ ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ରହିଛି। ଶବ ପୋଡ଼ିସାରିବା ପରେ ସ୍ନାନ କରିବାକୁ କୌଣସି ବ୍ୟବସ୍ଥା ନାହିଁ। ଯାହାଙ୍କ ଶବ ପୋଡ଼ା ହେଉଛି ତାଙ୍କ ଲୁଗାପଟା ଶ୍ମଶାନ ଭିତରେ ପଡ଼ିରହୁଛି। ସେହିପରି ଖଣ୍ଡଗିରି ଧର୍ମବିହାରଠାରେ ଏକ ବିସ୍ତୀର୍ଣ୍ଣ ଜାଗାରେ ଶ୍ମଶାନ ନିର୍ମାଣ ହୋଇଛି। ଏଠାରେ ଯେଉଁ ଜାଗାରେ ପୋଡ଼ିବା ଲାଗି ଶ୍ମଶାନ ଗୃହ ହୋଇଛି ସେଠାରେ ଶବ ପୋଡ଼ା ନ ଯାଇ ବାହାରେ ଦୁଇଟି ପଥର ରଖି ଲୋକେ ଶବ ପୋଡ଼ୁଛନ୍ତି। ଫାଟକ ସମ୍ମୁଖରେ ‘ସ୍ବର୍ଗଦ୍ବାର’ ବୋଲି ଉଲ୍ଲେଖ ହୋଇଛି। ତେବେ ସ୍ବର୍ଗଦ୍ବାର ପରି ଏଠାରେ ସୁବ୍ୟବସ୍ଥା ନାହିଁ।

ମାଡ଼ି ବସିଛନ୍ତି ବସ୍ତିବାସିନ୍ଦା
ଗାଡ଼କଣରେ ଥିବା ମଶାଣିରେ ଶବ ସତ୍କାର ଲାଗି ପିଣ୍ଡି ହୋଇଛି। ପାଚେରି ବୁଲାଯାଇଛି। ‌ହେଲେ ତାହା ଏବେ ଏହା ଜଙ୍ଗଲରେ ପରିଣତ ହୋଇଗଲାଣି। ରଙ୍ଗମାଟିଆ ମଶାଣି ଜବରଦଖଲ ହୋଇଛି। ପାଚେରି କରାଯାଇ ନ ଥିବାରୁ ବସ୍ତିବାସିନ୍ଦା ଏହାକୁ କବ୍‌ଜା କରି ନେଇଛନ୍ତି। ଚକେଇଶିଆଣି ମଶାଣି‌ର ବିକାଶ ହୋଇଛି ହେଲେ ରକ୍ଷଣାବେକ୍ଷଣ କରାଯାଉ ନାହିଁ। କପିଳପ୍ରସାଦ ନିକଟ କାଳି ଗାଡ଼ିଆ ମଶାଣି ଜବରଦଖଲ ହୋଇଛି। ଦେବରାୟ କଲେଜ ନିକଟରେ ଥିବା ଶ୍ମଶାନର ନବୀକରଣ ୨୦୧୫ରେ ହୋଇଛି। ଚକାଚକ୍‌ ହୋଇ ତାଲା ପଡ଼ିଛି। ଚାବି କାହା ପାଖରେ ଅଛି ସେନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଖରେ ଉତ୍ତର ନାହିଁ।

ଶ୍ମଶାନକୁ ବାଟ ନାହିଁ
ଡୁମୁଡୁମା ଶ୍ମଶାନରେ ବି ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଗୋଟିଏ ପାର୍ଶ୍ବ ପାଚେରି ଭାଙ୍ଗିପଡ଼ିଛି। ଫାଟକରେ ତାଲା ପଡ଼ିଛି। ଶବ ନେଇ ଆସିଲେ କେମିତି ପୋଡ଼ିବେ, କାହା ପାଖରେ ଚାବି ଅଛି ସେନେଇ କାହା ପାଖରେ ଉତ୍ତର ନାହିଁ। ଜିଜିପି କଲୋନିରେ ଥିବା ଶ୍ମଶାନରେ ଶବ ଦାହ ଗୃହ ଅଛି ସତ, ହେଲେ ଭିତ୍ତିଭୂମିର ବିକାଶ ହୋଇନି। ଏମିତି ଜଙ୍ଗଲ ପରିବେଶ ହୋଇଛି ଯେ ଦିନରେ ଭିତରକୁ ଯିବାକୁ ଡର ଲାଗୁଛି। ପାଣ୍ଡରା ଶ୍ମଶାନକୁ ଯିବାକୁ ବାଟ ହିଁ ନାହିଁ। ଫାଟକ ସମ୍ମୁଖ ଭାଗ ବଣ ଜଙ୍ଗଲରେ ପରିପୂର୍ଣ୍ଣ। ଜୀବଜନ୍ତୁଙ୍କ ଭୟ ରହୁଥିବାରୁ ଯାଇ ହେଉନି। ପ୍ରାୟ ୨ ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ସୁନ୍ଦରପଦା ଶ୍ମଶାନରେ ଥିବା ଘରେ ମଦ ବୋତଲ ଗଡ଼ୁଛି। ହୁଙ୍କା ଓ ସାପଙ୍କ ଆଶ୍ରୟସ୍ଥଳୀ ପାଲଟିଗଲାଣି।

ପଟିଆ, ଖଣ୍ଡଗିରି ମଶାଣିର ବିକାଶ ହେଉଛି
ବିଏମସି କମିସନର୍ ପ୍ରେମଚନ୍ଦ୍ର ଚୌଧରୀ କିଛି ଦିନ ତଳେ କହିଥିଲେ ଯେ କରୋନା କାରଣରୁ ସତ୍ୟନଗରରେ ଶବ ସଂସ୍କାର ସଂଖ୍ୟା ବଢ଼ିଛି। ଅନ୍ୟ ଜିଲ୍ଲା ପାଇଁ ପୁରୀ ସ୍ୱର୍ଗଦ୍ୱାର ବନ୍ଦ ଥିବାରୁ ସତ୍ୟନଗର ଉପରେ ଅଧିକ ଚାପ ପଡୁଛି। ତାହାକୁ କମ୍‌ କରିବା ଲାଗି ସହରରେ ଆଉ ଦୁଇଟି ଶ୍ମଶାନର ବିକାଶ କରାଯାଉଛି। ପଟିଆରେ ଗ୍ୟାସ୍ ଜରିଆରେ ଓ ଖଣ୍ଡଗିରିରେ ବିଦ୍ୟୁତ୍‌ ଚାଳିତ ଶବ ଦାହ ବ୍ୟବସ୍ଥା ହେଉଛି। ଆସନ୍ତା ଦେଢ଼ ମାସ ମଧ୍ୟରେ ଶ୍ମଶାନ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି।