ଭୁବନେଶ୍ବର: ସତ୍ୟନଗର ଲେଡିଜ୍‌ ଫୋରମ୍‌ ପକ୍ଷରୁ ୫ମ ‘ଶିଶୁ ପ୍ରତିଭା ସମ୍ମାନ-୨୦୧୮’ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଓଡ଼ିଆ ଭାଷା ଉପରେ ଗୁରୁତ୍ବ ଦେବାକୁ କହିଥିଲେ। ଆଜିକାଲି ଅଭିଭାବକମାନେ ପିଲାଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲରେ ଶିକ୍ଷା ଦେବାକୁ ପସନ୍ଦ କରୁଛନ୍ତି। ଫଳରେ ସେମାନଙ୍କର ଓଡ଼ିଆ ଭାଷା ପ୍ରତି ରୁଚି କମିଯାଉଛି। ଓଡ଼ିଆ ଭାଷାକୁ ବଞ୍ଚାଇବାକୁ ହେଲେ ପିଲାଙ୍କ ଶିକ୍ଷାରେ ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ କରାଯିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଉତ୍ସବରେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଯୋଗଦେଇ ଫୋରମର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଫୋରମର ପତ୍ରିକା ‘ଅଭିରୁଚି’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଏହାପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ‘ଶିଶୁ ପ୍ରତିଭା ସମ୍ମାନ-୨୦୧୮’ରେ ପୁରସ୍କୃତ କରାଯାଇଥିଲା। ଫୋରମର ସମ୍ପାଦିକା ଅନୁରାଧା ଦାଶ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ଅନି ଶତପଥୀ ଏବଂ ଶୁଭଜିତ୍ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଫୋରମର ସଭାନେତ୍ରୀ ପ୍ରତିମା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୋଭେଦିତା ରାୟ, ଦୀପ୍ତିପ୍ରଭା ରଥ, ଗାୟତ୍ରୀ ସାହୁପୃଷ୍ଟି, ସୋନାଲି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଚିନ୍ମୟୀ ଡ୍ୟାନ୍ସ ଗ୍ରୁପ୍‌ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।