କିସ୍‍ ବିଶ୍ୱବିଦ୍ୟାଳୟର ନୂଆ କୁଳାଧିପତି ସତ୍ୟ ଏସ୍‌. ତ୍ରିପାଠୀ

ଚନ୍ଦ୍ରଶେଖରପୁର: କିସ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦପଦବିରେ ବିଶିଷ୍ଟ ଲବ୍ଧପ୍ରତିଷ୍ଠିତ ବ୍ୟକ୍ତି ତଥା ଶିକ୍ଷାବିତ୍‍ ଯୋଗ ଦେଇଛନ୍ତି। ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଆ ପୁଅ ସତ୍ୟ ଏସ୍‍. ତ୍ରିପାଠୀ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଯୋଗ ଦେଇଛନ୍ତି। ସେ କଟକ ଜିଲ୍ଲା ଅଧିବାସୀ। ମିଳିତ ଜାତିସଂଘର ପୂର୍ବତନ ସହକାରୀ ମହାସଚିବ ତଥା ଗ୍ଲୋବାଲ୍‍ ଆଲାଏନ୍‍ସ ଫର୍‍ ସଷ୍ଟେନେବଲ୍‍ ପ୍ଲାନେଟ୍‍ର ମହାସଚିବ ଶ୍ରୀ ତ୍ରିପାଠୀ ୧୯୯୮ରୁ ଦୁଇ ଦଶନ୍ଧି ଧରି ଜାତିସଂଘରେ ବିଭିନ୍ନ ପଦପଦବୀରେ ରହି ସେବା ଯୋଗାଇ ଆସୁଛନ୍ତି। ଜାତିସଂଘର ଶତତ ବିକାଶ କାର୍ଯ୍ୟକ୍ରମ, ଜଳବାୟୁ ପରିବର୍ତ୍ତନ, ମାନବ ଅଧିକାର, ଗାଣତାନ୍ତ୍ରିକ ସରକାର ଓ ଆଇନ ବ୍ୟାପାର ଉପରେ କାର୍ଯ୍ୟ କରିଆସୁଛନ୍ତି। ଅର୍ଥନୀତି ଓ ଆଇନ କ୍ଷେତ୍ରରେ ମଧ୍ୟ ତାଙ୍କର ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ରହିଛି।

ସେହିପରି ପ୍ରାକ୍ତନ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ବନାମଧନ୍ୟ ଓଡ଼ିଆ ପୁଅ ଗଞ୍ଜାମ ଜିଲ୍ଲାରେ ଜନ୍ମିତ ଡ. ଉପେନ୍ଦ୍ର ତ୍ରିପାଠୀ ଉପକୁଳାଧିପତି ଭାବେ ଯୋଗ ଦେଇଛନ୍ତି। ଡ. ତ୍ରିପାଠୀ ଭାରତ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି। ନିଜର କାର୍ଯ୍ୟଦକ୍ଷତା ସକାଶେ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ଅନ୍ୟତମ ବିଶିଷ୍ଟ ଶିକ୍ଷାବିତ୍‍ ତଥା ନୃତତ୍ତ୍ୱବିତ୍‍ ସମ୍ବଲପୁର ଜିଲ୍ଲା ଅଧିବାସୀ ପ୍ରଫେସର୍‌ ଦୀପକ ବେହେରା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ତିନୋଟି ବିଶ୍ୱବିଦ୍ୟାଳୟ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବା ସହ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେବାର ଗୌରବ ଅର୍ଜନ କରିଥିଲେ। କାଲିଫର୍ଣ୍ଣିଆ ଷ୍ଟେଟ୍‍ ୟୁନିଭର୍ସିଟିରେ ଫୁଲବ୍ରାଇଟ୍‍ ଭିଜିଟିଂ ପ୍ରଫେସର୍‌ ଭାବେ କାର୍ଯ୍ୟ କରିଥିବା ପ୍ରଫେସର୍‌ ବେହେରା ନୃତତ୍ତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି।

ଶିକ୍ଷାବିତ୍‍ ତଥା ଜଣେ ଦକ୍ଷ ଗବେଷକ ଭାବେ ଦୀର୍ଘ ଅଭିଜ୍ଞତା ଥିବା ତାମିଲ୍‍ନାଡୁସ୍ଥିତ ରାଜୀବ ଗାନ୍ଧୀ ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ୟୁଥ ଡେଭେଲପ୍‍ମେଣ୍ଟର ଡେଭେଲପ୍‍ମେଣ୍ଟ ବିଭାଗ ପ୍ରାକ୍ତନ ଡିନ୍‍ ତଥା କେନ୍ଦୁଝର ଜିଲ୍ଲା ଅଧିବାସୀ ପ୍ରଫେସର୍‌ ପୀତବାସ ସାହୁ ଉପକୁଳପତି ଭାବେ ଯୋଗ ଦେଇଛନ୍ତି। ଜନଜାତି ବିକାଶ, ରିଜିଓନାଲ୍‍ ଷ୍ଟଡିଜ୍‍, ଗ୍ରାମ ଉନ୍ନୟନ, ଶତତ ବିକାଶ ଓ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି। ଏହାବ୍ୟତୀତ ତାଙ୍କର ୟୁଏନ୍‍ଡିପି, ଡବ୍ଲୁଏଫ୍‍ପି, ଏନ୍‍ଡଆର୍‍ଏଡି, ବିଶ୍ୱବ୍ୟାଙ୍କ ଓ ଡିଏଫ୍‍ଆଇଡି ଆଦି ଅନୁଷ୍ଠାନରେ କାର୍ଯ୍ୟ କରିବାର ଦକ୍ଷତା ରହିଛି। ସେହିପରି ତାମିଲନାଡ଼ୁ କ୍ୟାଡର୍‍ର ଅବସରପ୍ରାପ୍ତ ଭାରତୀୟ ପୁଲିସ୍‍ ପ୍ରାଶାସନିକ ଅଧିକାରୀ ଅତିରିକ୍ତ ଡିଜି ରୢାଙ୍କର ଡ. କାହ୍ନୁଚରଣ ମାହାଲି ଅବସର ପରେ କିସ୍‍ ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ ଭାବେ ଯୋଗ ଦେଇଛନ୍ତି। ଉଭୟ ପୁଲିସ୍‍ ପ୍ରଶାସନିକ ସେବା ଓ ଭାରତୀୟ ବନ ସେବାରେ ଡ. ମାହାଲିଙ୍କର ୩୪ବର୍ଷର ଅଭିଜ୍ଞତା ରହିଛି ବୋଲି କିସ୍‌ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର