ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳରେ ରନ୍ଧା ହେଉଥିବା ଭାତ ଖାଇବାକୁ ଦିଆଯାଉଛି। ଏନେଇ ଅଭିଯୋଗ ହେବା ପରେ ପଞ୍ଚାୟତ ସମିତି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହାକୁ ଖାଇବା ଦ୍ବାରା ପିଲାମାନେ ଝାଡ଼ାବାନ୍ତି ଓ ପେଟ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ସମିତି ବୈଠକରେ ଏପରି ଅଭିଯୋଗ କରିଛନ୍ତି ସତ୍ୟଭାମାପୁର ସରପଞ୍ଚ ଉମାକାନ୍ତ ଆଚାର୍ଯ୍ୟ। ଶ୍ରୀ ଆଚାର୍ଯ୍ୟଙ୍କ ଅଭିଯୋଗ ମୁତାବକ ଏବେ ସୁଦ୍ଧା ସ୍କୁଲରେ ପ୍ରାୟ ୨୦ କୁଇଣ୍ଟାଲ୍‌ ପୋକରା ଚାଉଳ ଗଚ୍ଛିତ ରହିଛି। ଏହି ଚାଉଳ ରାନ୍ଧି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ଅଭିଯୋଗ ହେବା ପରେ ତାକୁ ପୁନଃ ପ୍ରକ୍ରିୟାକରଣ କରି ଭାତ ରନ୍ଧା ଯାଉଛି। ଏହାର ଜବାବରେ ବ୍ଲକ ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ୍ତ ଜେନା ପାଖରେ ରଖିଥିବା ୨ କିଗ୍ରା ଚାଉଳ ନମୁନାକୁ ଉପସ୍ଥିତ ଜନ ପ୍ରତିନିଧି ଓ ଅଧିକାରୀଙ୍କୁ ଦେଖାଇଥିଲେ। ପାଖ ପଞ୍ଚାୟତ ଉମାଦେଇ ବ୍ରହ୍ମପୁର ସରପଞ୍ଚ ସୁକାନ୍ତ ସାହୁ ମଧ୍ୟ ଉମାକାନ୍ତଙ୍କୁ ସମର୍ଥନ କରି ଏହାର ତଦନ୍ତ କରିବା ପାଇଁ ବୈଠକରେ ଦାବି ଉପସ୍ଥାପନ କରିଥିଲେ। ଏକାଧିକ ପଞ୍ଚାୟତ ଜନ ପ୍ରତିନିଧି ଏହାକୁ ସମର୍ଥନ କରିବାରୁ ବୈଠକରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ସ୍କୁଲର ଜଣେ ଶିକ୍ଷକଙ୍କ କହିବାନୁଯାୟୀ ମଙ୍ଗଳବାର ଅପରାହ୍ଣରେ ବିଇଓ ସ୍ନିଗ୍ଧା ମିଶ୍ର ନିଜେ ସ୍କୁଲକୁ ଆସିଥିଲେ। ଶିକ୍ଷକମାନଙ୍କ ସହିତ ଆସନ୍ତା ୨୭ ତାରିଖରେ ହେବାକୁଥିବା ବ୍ଲକସ୍ତରୀୟ ବିଜ୍ଞାନ ମେଳା ସଂପର୍କରେ କଥାହେବା ସହିତ ଉକ୍ତ ଚାଉଳ ନମନା ସଂଗ୍ରହ କରିଥିଲେ। ତାଙ୍କ ସହିତ କ୍ଲଷ୍ଟର୍‌ ସିଆର୍‌ସିସି ଅମରେନ୍ଦ୍ର ଲେଙ୍କା ବି ତଦନ୍ତରେ ଆସିଥିଲେ। ଅନ୍ୟପକ୍ଷରେ ସିଆର୍‌ସିସି ଶ୍ରୀ ଲେଙ୍କାଙ୍କ କହିବା ଅନୁଯାୟୀ କ୍ଲଷ୍ଟର କେନ୍ଦ୍ର ହିସାବରେ ଏଠାରେ ୧୦ଟି ସ୍କୁଲର ଚାଉଳ ମହଜୁଦ ରହୁଛି। ଅଭିଯୋଗ ହେବା ପରେ ସବୁ ଚାଉଳ ବସ୍ତାକୁ ନେଇ ପୁନଃ ପ୍ରକ୍ରିୟାକରଣ କରାଯାଇଥିଲା। ଖରାପ ଥିବା ୨ ବସ୍ତା ଚାଉଳକୁ ‌ଫିଙ୍ଗି ଦିଆଯାଇଥିଲା। ବର୍ତ୍ତମାନ ଯେଉଁ ଚାଉଳ ମଧ୍ୟାହ୍ନ ଭୋ‌ଜନରେ ଦିଆଯାଉଛି ତା’ର ମାନ ସଂପୂର୍ଣ୍ଣ ଭଲ ଅଛି। ଅନ୍ୟପକ୍ଷରେ ଏ ସଂପର୍କରେ ଅଧିକ ଜାଣିବା ପାଇଁ ବିଇଓ ସ୍ନିଗ୍ଧା ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇପାରିନି। ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।