ଉଚ୍ଛେଦ ହେଲା ସତ୍ୟକାଳୀ ବସ୍ତି; କାମ କଲାନି ବିରୋଧ, ଆତ୍ମାହୁତି ଉଦ୍ୟମ

ଭୁବନେଶ୍ବର : ଶେଷରେ ସତ୍ୟକାଳୀ ବସ୍ତି ଉଚ୍ଛେଦ ହୋଇଛି। ବସ୍ତିବାସିନ୍ଦା ଏହି ଉଚ୍ଛେଦକୁ ପ୍ରବଳ ବିରୋଧ କରିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କେତେକ ମହିଳା ଜେସିବି ଆଗରେ ଶୋଇ ଆତ୍ମହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ। ବସ୍ତିବାସିନ୍ଦାଙ୍କୁ ସୁରକ୍ଷା ଦେବାକୁ ବିଧାୟକ (ମଧ୍ୟ) ଅନନ୍ତ ନାରାୟଣ ଜେନା ପହଞ୍ଚିଥିଲେ। ଉଚ୍ଛେଦ ନ କରିବାକୁ ଅଧିକାରୀମାନଙ୍କୁ ବୁଝାଇଥିଲେ ମଧ୍ୟ କିଛି ଲାଭ ହୋଇନାହିଁ। ଏଠାରୁ ୨୧ ପରିବାରର ପ୍ରାୟ ଶହେରୁ ଊର୍ଦ୍ଧ୍ବ ଘର ଭାଙ୍ଗି ଦିଆଯାଇଛି। ଏଥିରେ ରେ’(ରାଜୀବ ଆବାସ ଯୋଜନା) ଓ ନନ୍‌ ରେ’ ହିତାଧିକାରୀ ରହିଛନ୍ତି। ବର୍ଷ ବର୍ଷ ଧରି ଏହି ବସ୍ତିକୁ ଉଠାଇବା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ସମ୍ଭବ ହେଉନଥିଲା। ରେ’ରେ ଘର ପାଇଥିବା ବାସିନ୍ଦାଙ୍କ ମଧ୍ୟରେ କେତେକ ଅଯୋଗ୍ୟ ରହିଛନ୍ତି ବୋଲି ଅଭିଯୋଗ ହେଉଥିଲା। ଏହି ୨୧ ପରିବାର ଉଚ୍ଛେଦକାରୀ ଦଳ ସହ ପ୍ରବଳ ଗଣ୍ଡଗୋଳ କରୁଥିଲେ। ଜେସିବି ଆଗରେ ଶୋଇ ରହୁଥିଲେ। ଏଣୁ ଉଚ୍ଛେଦକାରୀ ଦଳ ଫେରି ଆସୁଥିଲା। ଆଜି ସ୍ମାର୍ଟସିଟିର ମହାପ୍ରବନ୍ଧକ କମଲଜିତ ଦାସ ଓ ବିଡିଏ ଅତିରିକ୍ତ କମିସନର ହରିଶ ନାୟକଙ୍କ ନେତୃତ୍ବରେ ପୁଲିସ ଫୋର୍ସ ସହାୟତାରେ ଏହି ଉଚ୍ଛେଦ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ୧୯୬୮ ମସିହାରେ ଏଠାରେ ଲେକ୍‌ ଜୋନ୍‌-୩ କାର୍ଯ୍ୟକ୍ଷମ ହେବାକୁ ଯୋଜନା ହୋଇଥିଲା। ୧୯୮୧ ମସିହାରେ ଏଥିପାଇଁ ଟେଣ୍ଡର ହୋଇଥିଲା। ହେଲେ ଜବରଦଖଲ ଯୋଗୁଁ ସମ୍ଭବ ହୋଇ ପାରିନଥିଲା। ୨୦୧୬ ମସିହାରେ ଏହା ସ୍ମାର୍ଟ ସିଟି ଅଧୀନକୁ ଆସିଲା। ୨୦୨୧ ମସିହାରେ ବିଏସ୍‌ସିଏଲ୍‌ ଏମ୍‌ଡି ଦାୟିତ୍ବରେ ଥିବା ସଞ୍ଜୟ ସିଂହ ଟେଣ୍ଡରକୁ ସରଳୀକରଣ କରିବା ପରେ ଏକାଧିକ ଭାଗିଦାରୀ ହେବା ସହ ଟେଣ୍ଡର ଦିଆଯାଇଥିଲା। ‘ଲେକ୍‌ ନ୍ୟୁଟ୍ରାଲ୍‌’ ନାମରେ ଏହାର ଗୋଟିଏ ଅଂଶ କାମ ଆରମ୍ଭ ହୋଇଛି। କିନ୍ତୁ ଏହି ବସ୍ତି ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା। ଆଜି ପ୍ରତିବନ୍ଧକ ହଟିବା ପରେ ଲେକ୍‌ ନ୍ୟୁଟ୍ରାଲ୍‌ ପୂର୍ଣ୍ଣ ରୂପ ନେବା ଆଶା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର