ସସ୍ମିତା ସାହୁ

Advertisment

ଭୁବନେଶ୍ବର: ମୃତ୍ୟୁ! ଜୀବନର ଏହି ଅକାଟ୍ୟ ସତ୍ୟକୁ ଆମ ସହ ନିଇତି ସାମ୍ନାସାମ୍ନି କରାଇଥାଏ ‘ଶ୍ମଶାନ’। ଏହା ମନର ଭୟକୁ ଉଜାଗର କରେ ଓ ମନକୁ କେବେକେବେ ନକାରାତ୍ମକତାରେ ଭରିଦିଏ। ରାଜଧାନୀର ଛାତି ଉପରେ ଅବସ୍ଥିତ ସତ୍ୟନଗର ଶ୍ମଶାନ କିନ୍ତୁ ବାଟୋଇଙ୍କୁ ଏହି ଭୟ ବା ନକାରାତ୍ମକତାରେ କବଳିତ କରିପାରେ ନାହିଁ। କାରଣ ଶ୍ମଶାନ ପାଖରେ ବିରାଜିଛନ୍ତି ମା’ ସତ୍ୟକାଳୀ। ଶ୍ମଶାନ ନିକଟରେ ଥିବାରୁ ମା’ଙ୍କୁ ଶ୍ମଶାନ କାଳୀ ବି କୁହାଯାଇଥାଏ। ମା’ଙ୍କ ଉର୍ଜାରେ ନକାରାତ୍ମକତା କଟି ସାରା ଅଞ୍ଚଳ ଆଧ୍ୟାତ୍ମିକତାରେ ଭରିଯାଇଛି। ତେବେ ଆସନ୍ତୁ ଜାଣିବା, ଏଠାରେ ମା’ଙ୍କ ମନ୍ଦିର ପ୍ରତିଷ୍ଠାର କାହାଣୀ ସମ୍ପର୍କରେ...।
ଭୁବନେଶ୍ବରରେ ନୂଆ ରାଜଧାନୀ ହେବାର କିଛି ବର୍ଷ ମଧ୍ୟରେ ସତ୍ୟନଗର ଏକ ପ୍ରମୁଖ ଆବାସିକ ଅଞ୍ଚଳ ଭାବେ ପରିଗଣିତ ହେଲା। ୧୯୫୫ କିମ୍ବା ୫୬ ମସିହା ଆଡ଼କୁ ଏଠାରେ ୩ ଧର୍ମ ଲୋକଙ୍କ ପାଇଁ ୩ ଭିନ୍ନ ଭିନ୍ନ ଶ୍ମଶାନ ନିର୍ମାଣ ହେଲା। ସତ୍ୟକାଳୀ ମନ୍ଦିରର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ରାୟ କହିଛନ୍ତି, ଶ୍ମଶାନର ଗୋଟିଏ କଡ଼ରେ ଏକ ବଡ଼ ଗଛ ମୂଳରେ ଗୋଟିଏ ପଥରରେ ସିନ୍ଦୂର, ଫୁଲ ଦେଇ କାଳୀ ମା’ଙ୍କ ଆରାଧନା ହେଉଥିଲା।

ଧରଣୀ ମଙ୍ଗରାଜ ନାମକ ଜଣେ କାଳୀ ସାଧକ ସେଠାରେ ମା’ଙ୍କ ଆରାଧନା କରୁଥିଲେ। ତାଙ୍କୁ ଦେଖି ସେଠିକାର ବାସିନ୍ଦା ବି ମା’ଙ୍କ ପୂଜା ଧୁମ୍‌ଧାମ୍‌ରେ କରିଥିଲେ। ୯୦ ଦଶକ ଆରମ୍ଭରୁ କିଛି ବୁଦ୍ଧିଜୀବୀ ଓ ଅଞ୍ଚଳ ବାସିନ୍ଦା ମିଶି ସେଠାରେ ମା’ଙ୍କର ଏକ ମନ୍ଦିର ପ୍ରତିଷ୍ଠାର ନିଷ୍ପତ୍ତି ନେଇଥିଲେ। ୧୯୯୩ ବା ୯୪ ମସିହା ଆଡ଼କୁ ଅଞ୍ଚଳବାସୀ କିଛି କିଛି ଟଙ୍କା ସଂଗ୍ରହ କରି ମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୭ ମସିହା ମେ’ ୨୩ ତାରିଖରୁ ୪ ଦିନ ଧରି ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଥିଲା। ସେତେବେଳେ ଏହି ସାର୍ବଜନୀନ କାଳୀପୂଜା ସମିତିରେ ପୂର୍ବତନ ସାଂସଦ ସନ୍ତୋଷ କୁମାର ସାହୁ ସଭାପତି ଥିବା ବେଳେ ପ୍ରଫୁଲ ମିଶ୍ର ସମ୍ପାଦକ ଓ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ସଂଯୋଜକ ଦାୟିତ୍ବରେ ଥିଲେ। ମନ୍ଦିରର ବିଗ୍ରହ ବିଶିଷ୍ଟ ପ୍ରସ୍ତରଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ନିର୍ମାଣ କରିଥିଲେ। ଏବେ ମନ୍ଦିରରେ ମା’ଙ୍କ ଏହି ପ୍ରସ୍ତର ନିର୍ମିତ ବିଗ୍ରହ ସହ ପୂର୍ବରୁ ପୂଜା ପାଇଥିବା ମା’ଙ୍କ ଛୋଟ ପ୍ରସ୍ତର ଖଣ୍ଡ ବି ଅଧିଷ୍ଠିତ।

ଶ୍ରୀ ରାୟଙ୍କ କହିବା ମୁତାବକ, ସତ୍ୟକାଳୀ ମନ୍ଦିର‌ ଏବେ ଏହାର ନିଜସ୍ବ ଜମିରେ ଅବସ୍ଥାପିତ। ୧୯୯୮ ମସିହାରେ ଶ୍ରୀ ଶ୍ରୀ ସତ୍ୟକାଳୀ ମନ୍ଦିର ପରିଚାଳନା ସମିତି ମନ୍ଦିରର ୧୫୭ ଡିସିମିଲ୍‌ ଜମିକୁ ୭ ଲକ୍ଷ ୮୫ ହଜାର ଟଙ୍କା ମୂଲ୍ୟରେ ସରକାରଙ୍କ ନିକଟରୁ କ୍ରୟ କରିଥିଲା। ସତ୍ୟନଗରରେ ଅବସ୍ଥାପିତ ହୋଇଥିବାରୁ ମା’ ହେଲେ ସତ୍ୟକାଳୀ। ପ୍ରତିଷ୍ଠା ସମୟରେ ମନ୍ଦିର ପରିସରରେ ମା’ଙ୍କ ସହ ସତ୍ୟେଶ୍ବର ମହାଦେବଙ୍କ ମନ୍ଦିର ବି ସ୍ଥାପିତ ହୋଇଥିଲା। ପରବର୍ତ୍ତୀ ସମୟ‌ରେ ସତ୍ୟବୀର ହନୁମାନ ମନ୍ଦିର ଓ ସତ୍ୟପ୍ରିୟ ରାଧା ଦାମୋଦର ମନ୍ଦିର ବି ନିର୍ମିତ ହୋଇଛି। ମନ୍ଦିରର ଉପର ମହଲାରେ ଏକ ମଣ୍ଡପ ତିଆରି ହୋଇଛି। ବିବାହ, ବ୍ରତ, ଜନ୍ମଦିନ ଓ ନିର୍ବନ୍ଧ କାର୍ଯ୍ୟ ପାଇଁ ମଣ୍ଡପ ଭଡ଼ା ସୂତ୍ରରେ ଦିଆଯାଏ। ବାସନ୍ତିକ ନବରାତ୍ରୀ, ଶାରଦୀୟ ଦୁର୍ଗାପୂଜା, କାଳୀପୂଜା, ଶିବବିବାହ, ପଣାସଂକ୍ରାନ୍ତି, ଜନ୍ମାଷ୍ଟମୀ ଓ ଦୋଳପୂର୍ଣ୍ଣିମା ଆଦି ପର୍ବ ମନ୍ଦିରରେ ପାଳିତ ହୋଇଥାଏ। ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ପରେ ପ୍ରଦୀପ କୁମାର ସାହୁ ବର୍ତ୍ତମାନ ମନ୍ଦିର ପରିଚାଳନା କମିଟିର ସଭାପତି ଅଛନ୍ତି। ସମ୍ପାଦକ ଅଛନ୍ତି ଅଶୋକ ସ୍ବାଇଁ ଓ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ବ ତୁଲାଉଛନ୍ତି ସୁଶାନ୍ତ କୁମାର ମହାପାତ୍ର।