ମଦୁଆଙ୍କ ଆଡ଼ା ସତ୍ୟନଗର ପାର୍କ, ଗଡ଼ୁଛି ମଦ ବୋତଲ

ଭୁବନେଶ୍ବର: ମଦ୍ୟପଙ୍କ ଆଡ଼ା ପାଲଟିଛି ସତ୍ୟନଗର ପାର୍କ। ସଂଧ୍ୟା ହେଲେ ଏଠାରେ ଅସାମାଜିକ ତତ୍ତ୍ବଙ୍କ ଭିଡ଼ ଜମୁଛି। ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ଅଧିକାଂଶ ସମୟ ଏଠାରେ ରହୁ ନଥିବାରୁ ସେମାନେ ପାର୍କ ଭିତରେ ମଦ ପିଇବା ସହ ନିଜ ନିଜ ଭିତରେ ଉଚ୍ଚଶବ୍ଦ‌ରେ ଅଶ୍ଳୀଳ କଥାବାର୍ତ୍ତା ହେଉଛନ୍ତି। ଫଳରେ ସ୍ଥାନୀୟ ଲୋକେ ସଂଧ୍ୟାରେ ଏହି ପାର୍କକୁ ଯିବାକୁ ଉଚିତ ମଣୁ ନାହାନ୍ତି। ଖାଲି ସେତିକି ନୁହେଁ, ମଦ ବୋତଲଗୁଡ଼ିକୁ ମଧ୍ୟ ପାର୍କ ଭିତରେ ଏଣେତେଣେ ଫିଙ୍ଗି ଦେଉଥିବାରୁ ସକାଳୁ ମର୍ଣ୍ଣିଂୱାକ୍‌ ପାଇଁ ଆସୁଥିବା ଲୋକଙ୍କ ପାଇଁ ତାହା ବିପଦ ପାଲଟୁଛି। କିଛି ଲୋକଙ୍କ ଗୋଡ଼ରେ ଏହି ଭଙ୍ଗା କାଚ ପଶି ଗୁରୁତର ଆହତ ହୋଇଥିବାର ମଧ୍ୟ ନଜିର ରହିଛି ବୋଲି ଜଣେ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ବିଏମ୍‌ସି ଅମୃତ ଯୋଜନା‌ରେ ଏହି ପାର୍କ ନିର୍ମାଣ କରିଛି, ତାହା ସାଧିତ ହୋଇପାରୁନାହିଁ ବୋଲି କୁହାଯାଉଛି।
ଖାଲି ମଦ୍ୟପଙ୍କ ଉତ୍ପାତ ନୁହେଁ, ୨୦୦୭ ମସିହାରେ ଉଦ୍‌ଘାଟିତ ହୋଇଥିବା ଏହି ପାର୍କରେ ଏବେ ବିଭିନ୍ନ ସମସ୍ୟା ଲାଗି ରହିଛି।

ରକ୍ଷଣାବେକ୍ଷଣ ଅଭାବରୁ ପରିବେଶ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ପାର୍କ ପରିସରକୁ ନିୟମିତ ସଫା କରାଯାଉନଥିବାରୁ ପାଦଚଲା ରାସ୍ତା ପତ୍ରରେ ଭରି ଯାଇଛି। ସେହିପରି ପରିସରରେ ଅନାବନା ଗଛ ଉଠିବା ସହ କିଛି ସ୍ଥାନରେ ଆଣ୍ଠୁଏ ଉଚ୍ଚର ହୁଙ୍କା ତିଆରି ହେଲାଣି। ଫଳରେ ଏହା ବିଷଧର ସାପ ରହିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ସେହିପରି ପାର୍କର ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ସ୍ଥାନେ ସ୍ଥାନେ ଲଗାଯାଇଥିବା ମୂର୍ତ୍ତିଗୁଡ଼ିକ ମଧ୍ୟ ଭାଙ୍ଗିରୁଜି ଗଲାଣି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଉଦ୍‌ଘାଟନ ହେବାର ପ୍ରାୟ ୩ବର୍ଷ ଠିକ୍ ଭାବେ ବିଏମ୍‌ସି ଏହାର ରକ୍ଷାଣବେକ୍ଷଣ କଲା। ବ୍ୟାୟାମ ଓ ମନୋରଂଜନ ପାଇଁ ସକା‌ଳ ଓ ସଂଧ୍ୟାରେ ଏଠାରେ ଲୋକଙ୍କ ଭିଡ଼ ଜମିଲା। କିନ୍ତୁ ଏବେ ଏହାର ପରିବେଶ ପୂରାପୂରି ବିଗିଡ଼ି ଯାଇଛି। ପାର୍କର ସୁରକ୍ଷା ପାଇଁ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରାଯାଇଥିଲେ ମଧ୍ୟ କମ୍ ଦରମା ମିଳୁଥିବାରୁ ପ୍ରାୟ ସମୟ ସେ ପାର୍କରେ ରହୁନାହାନ୍ତି। ଏ ସଂପର୍କରେ ସେ କହିଛନ୍ତି, ପ୍ରାୟ ୮ବର୍ଷ ହେଲାଣି ସେ ଏହି ପାର୍କରେ କାମ କରୁଛନ୍ତି। ଏହା ସତ୍ତ୍ବେ ଦରମା ବୃଦ୍ଧି କରିବା ବଦଳରେ କମାଇ ଦିଆଯାଇଛି। ଆଗରୁ ମୋତେ ୧୮୦୦ ଟଙ୍କା ଦିଆଯାଉଥିବା ବେଳେ ଏବେ ସେଥିରୁ ୧୦୦ ଟଙ୍କା କମାଇ ଦିଆଯାଇଛି। ଏତେ କମ୍‌ ଟଙ୍କାରେ ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ କଷ୍ଟକର ହେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର