ଲଗାଣ ବର୍ଷାରେ ଦବିଗଲା ୭ଦିନର ରାସ୍ତା, ଗୃହବନ୍ଦୀ ଅବସ୍ଥାରେ ସତ୍ୟସାଇ ଏନ୍‌କ୍ଲେଭ୍‌ବାସୀ

ଖଣ୍ଡଗିରି : ଗତ ତିନି ବର୍ଷ ହେଲା ସ୍ବେରେଜ୍‌ ଲାଇନ୍‌ କାମକୁ ନେଇ ଖଣ୍ଡଗିରି ସତ୍ୟସାଇ ଏନ୍‌କ୍ଲେଭ୍‌ବାସୀ ହନ୍ତସନ୍ତ ହୋଇ ଆସୁଛନ୍ତି। କେତେବେଳେ କାମ ବିଳମ୍ବକୁ ନେଇ ତ କେ‌ତେବେଳେ ନିମ୍ନମାନର କାମକୁ ନେଇ ଅସୁବିଧାରେ ପଡ଼ୁଛନ୍ତି। ଏବେ ତରବରିଆ ଭାବେ କରାଯାଇଥିବା କିଛି ଲେନ୍‌ ରାସ୍ତା ଗତକାଲିର ଲଗାଣ ବର୍ଷାରେ ଦବି ଯାଇଛି। ଫଳରେ ୭,୮,୯,ଓ ୧୦ ନମ୍ବର ଲେନ୍‌ ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ବଡ଼ ଗର୍ତ୍ତ ଯୋଗୁଁ ଉକ୍ତ ଲେନ୍‌ ଲୋକେ ଘରୁ ବାହାରି ପାରୁନଥିବା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୦୧୮ ଅକ୍ଟୋବରରୁ ଟାଟା ପ୍ରୋଜେକ୍ଟ ଏଠା‌ରେ ସ୍ବେରେଜ୍‌ ଲାଇନ୍‌ କାମ ଠିକାରେ ନେଇ କରୁଥିଲା। ପ୍ରଥମରୁ ଧିମା ଗତିରେ କାମ କରୁଥିବାରୁ ସ୍ଥାନୀୟ ଲୋକେ ଯାତାୟାତରେ ଘୋର ସମସ୍ୟାରେ ପଡ଼ୁଥିଲେ। ମାସ ମାସ ଧରି ଲେନ୍‌ ରାସ୍ତା ଖୋଳି ପକାଇ ଦିଆଯାଉଥିଲା ଓ ମ୍ୟାନ୍‌ହୋଲ୍‌କୁ ଘେରାବନ୍ଦୀ କରି ଛାଡ଼ି ଦିଆଯାଉଥିଲା। ଫଳରେ ଉକ୍ତ ଲେନ୍‌ରେ ଲୋକେ ଯାତାୟାତ କରିବା ପାଇଁ ମାସମାସ ଧରି ହଇରାଣ ହେଉଥିଲେ। ତେବେ ପ୍ରାୟ ସପ୍ତାହେ ପୂର୍ବେ ତରବରିଆ ଭାବେ ୧୦ ନମ୍ବର ଲେନ୍‌ କାମ ଶେଷ କରାଯାଇଥିଲା ଓ ପିଚୁ ପକାଇ ରାସ୍ତା ସମତଳ କରାଯାଇଥିଲା। କିନ୍ତୁ ମ୍ୟାନ୍‌ହୋଲ୍‌ ସାଇଡ୍‌ରେ ବାଲି ଭର୍ତ୍ତି ନକରି ମାଟି ପୂରାଇ ଦେବାରୁ ରାସ୍ତା ଦବିଯିବ ବୋଲି ଲୋକେ ଅଭିଯୋଗ କରିଥିଲେ। ମାତ୍ର ଠିକା ସଂସ୍ଥା କର୍ଣ୍ଣପାତ କରିନଥିଲା। ଫଳରେ ଗତ ଦୁଇଦିନର ଲଗାଣ ବର୍ଷାରେ ରାସ୍ତା ପୂରା ଦବି ଯାଇଛି। ମ୍ୟାନ୍‌ହୋଲ୍‌ ନିକଟ ସହ ଅନ୍ୟ ସ୍ଥାନ ବି ଦବି ଯାଇ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ ଲୋକେ ରାସ୍ତାରେ ଗୋଡ଼ ପକାଇବାକୁ ଭୟ କରୁଛନ୍ତି।

୭, ୮ ଓ ୯ ନମ୍ବର ଲେନ୍‌ ଅବସ୍ଥା ମଧ୍ୟ ଅନୁରୂପ। ଲୋକେ ଘରୁ ଗାଡ଼ି ବାହାର କରିପାରୁନାହାନ୍ତି। ବଡ଼ କଷ୍ଟରେ କଡ଼ରେ କଡ଼ରେ ପାଦ ପକାଇ ଚାଲିଚାଲି ଯାଉଛନ୍ତି। ଏମିତି ସ୍ଥିତିରେ ଯଦି ଆମ୍ବୁଲ‌ାନ୍‌ସଟିଏ ଭିତରକୁ ଆସିପାରିବ ନାହିଁ ଓ ଲୋକେ ରୋଗୀକୁ ଟେକି ଟେକି ଆମ୍ବୁଲାନ୍‌ସ ପାଖକୁ ନେବାକୁ ପଡ଼ିବ। ତେଣୁ ଆଜି ସ୍ଥାନୀୟ ଲୋକେ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରିବା ପରେ ଠିକାସଂସ୍ଥା ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ଠିକାସଂସ୍ଥାର ଇଂଜିନିୟର ରତିକାନ୍ତ ନାୟକଙ୍କ କହିବା କଥା ଲଗାଣ ବର୍ଷା ଯୋଗୁଁ ଏପରି ହୋଇଛି। ଖବର ମିଳିବା ପରେ ତୁରନ୍ତ ମରାମତି ଆରମ୍ଭ ହୋଇଛି। ତେବେ ମରାମତି କାମ ବି ନିମ୍ନମାନର ହେଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ପୂରା ପିଚୁ ବାହାର କରି ଆଉ ଥରେ ମୂଳଦୁଆ ଦୃଢ଼ ନକେଲେ, ପୁଣି ରାସ୍ତା ଦବିଯିବ ବୋଲି ଲୋକେ ଆଶଙ୍କା କରିଛନ୍ତି।

ସମ୍ବନ୍ଧିତ ଖବର