ସତ୍ୟସାଇ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି ମାମଲା, ଅଭିଭାବକଙ୍କୁ ନୋଟିସ୍‌ ଦେଲେ କର୍ତୃପକ୍ଷ

ଖଣ୍ଡଗିରି: ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଫର୍ମ ପୂରଣ ସମୟରେ ଜରିମାନା ଆଦାୟକୁ ନେଇ ଗଣ୍ଡମୁଣ୍ଡାସ୍ଥିତ ସତ୍ୟସାଇ ମହିଳା ମହାବିଦ୍ୟାଳୟରେ ସୃଷ୍ଟି ହୋଇଥିବା ଛାତ୍ରୀ ଅଶାନ୍ତିର ସମାଧାନ ପାଇଁ କଲେଜ କର୍ତ୍ତୃପକ୍ଷ ଛାତ୍ରୀ ଅଭିଭାବକମାନଙ୍କ ସହଯୋଗ ଲୋଡ଼ିଛନ୍ତି। ଜରିମାନାକୁ ବିରୋଧ କରି ଧାରଣା ଦେଇଥିବା ଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ନୋଟିସ୍ ଦିଆଯାଇଛି। ଅଭିଭାବକମାନେ କଲେଜର ଶୃଙ୍ଖଳା ରକ୍ଷା ଦିଗରେ ସହଯୋଗ କରିବା ପାଇଁ ଏହି ନୋଟିସ୍‌ରେ ଅନୁରୋଧ କରାଯାଇଛି। ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅଧ୍ୟକ୍ଷା ଏସ୍ ମିଶ୍ର ଦେଇଥିବା ସୂଚନାନୁସାରେ କଲେଜ କାଉନ୍‌ସିଲ୍‌ ବୈଠକର ନିଷ୍ପତ୍ତି ଅନୁସାରେ ପିଲାମାନଙ୍କ ଉପରେ ଜରିମାନା ଧାର୍ଯ୍ୟ କରାଯାଇଛି। ଯେଉଁ ପିଲାମାନଙ୍କର ଶ୍ରେଣୀ ଉପସ୍ଥାନ କମ୍‌ ରହିଛି ଓ ଯେଉଁ ଛାତ୍ରୀ ଟେଷ୍ଟ ପରୀକ୍ଷା ଦେଇ ନାହାନ୍ତି, ସେମାନଙ୍କ ଉପରେ ଜରିମାନା ଲାଗୁ କରାଯାଇଛି। କିନ୍ତୁ ଏହାକୁ ନେଇ କିଛି ଛାତ୍ରୀ ଗତ ୨୦ ତାରିଖରେ କଲେଜରେ ବିଶୃଙ୍ଖଳା ସୃଷ୍ଟି କରି ଫାଟକ ନିକଟରେ ଧାରଣା ଦେଇଥିଲେ। ମାତ୍ର ଏବେ ଶୃଙ୍ଖଳିତଭାବେ ଅନ୍ୟ ଛାତ୍ରୀମାନେ ଫର୍ମ ପୂରଣ କରୁଛନ୍ତି ଓ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହା ଚାଲୁରହିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର