ଦରଦୀ ମଣିଷ ଥିଲେ ସୌରୀବନ୍ଧୁ

ସୌରୀବନ୍ଧୁ କର ଜଣେ ସୁସାହିତ୍ୟିକ, ଦକ୍ଷ ଶ୍ରମିକ ସଂଗଠକ ଏବଂ ଦରଦୀ ମଣିଷ ଭାବରେ ପରିଚିତ ଥିଲେ। ଏକ ନିଆରା ଢଙ୍ଗର ମଣିଷଟିଏ ଥିଲେ। ସେ ଥିଲେ ବହୁ ଜ୍ଞାନର ଭଣ୍ଡାର। ଶ୍ରମ ଆଇନ, ଓଡ଼ିଆ ସାହିତ୍ୟରେ ତାଙ୍କର ପ୍ରଗାଢ଼ ଜ୍ଞାନ ଓ ପାରଦର୍ଶିତା ଥିଲା। ବିଭିନ୍ନ ଶ୍ରମିକ କଲ୍ୟାଣ ବୋର୍ଡ଼ରେ ସଦସ୍ୟ ଥାଇ ଅନେକ ସମୟରେ ସରକାରଙ୍କୁ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ସୁଚିନ୍ତିତ ମତାମତ ଏବଂ ପରାମର୍ଶମାନ ଦେଉଥିଲେ।
ସେ ଶ୍ରମିକମାନଙ୍କର ସମସ୍ୟାର ସମାଧାନ ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥିଲେ। ସମସ୍ତ ସମସ୍ୟା ଆଲୋଚନା, ତର୍କ ଓ ଆଇନଗତ ଦିଗକୁ ନେଇ କିଭଳି ସମାଧାନ ହେବ ସେ ଦିଗରେ ସେ ଆପ୍ରାଣ ଚେଷ୍ଟା କରୁଥିଲେ; କିନ୍ତୁ କୌଣସି ସମସ୍ୟାର ସମାଧାନ ଆନ୍ଦୋଳନ, ହରତାଳ, ବନ୍ଦ କରି ହୋଇପାରିବ ନାହିଁ ବୋଲି ରୋକଠୋକ ଶ୍ରମିକ ଓ ଶ୍ରମିକ ସଂଗଠନ ନେତାମାନଙ୍କୁ ଜଣାଇ ଦେଉଥିଲେ।

ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ

ମୁଁ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ ଭାବରେ କାର୍ଯ୍ୟରତ ଥିବା ସମୟରେ ଭୁବନେଶ୍ବରର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଏକ ଶିକ୍ଷାନୁଷ୍ଠାନର ଶ୍ରମିକମାନଙ୍କ ସମସ୍ୟାର ସମାଧାନ ପଇଁ ବସିଥିବା କନ୍‌ସିଲିଏସନ୍‌ ଟେବୁଲରେ ଶ୍ରମିକମାନେ ଆନ୍ଦୋଳନ ମାଧ୍ୟମରେ ଦାବି ପୂରଣ କରିବା ପାଇଁ ଜିଦ୍ ଧରି ବସିଥିବାବେଳେ ସେ ରୋକ୍‌ଠୋକ୍‌ ଶ୍ରମିକମାନଙ୍କୁ ଶୁଣାଇ ଦେଇଥିଲେ ଯଦି ତୁମେମାନେ ଶାନ୍ତି ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବ ନାହିଁ ତାହେଲେ ମୁଁ ତୁମ ଶ୍ରମିକ ସଂଗଠନର ସଭାପତି ହିସାବରେ ଆଜି ଇସ୍ତଫା ପ୍ରଦାନ କରିବି । ଏହି ଉକ୍ତି ସେଦିନ ମୋତେ ଆଶ୍ଚର୍ଯ୍ୟ କରିଥିଲା ଯେ ଜଣେ କମ୍ୟୁନିଷ୍ଟ ଚିନ୍ତାଧାରାର ଲୋକ କିପରି ଆଲୋଚନାକୁ ପ୍ରାଧାନ୍ୟ ଦେଇ ଶ୍ରମିକମାନଙ୍କ ସମସ୍ୟାର ସମାଧାନ ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ଏବଂ ଶ୍ରମିକମାନଙ୍କର ଅଗ୍ରହଣୀୟ ଯୁକ୍ତି ପାଖରେ ମୁଣ୍ଡ ନୁଆଁଇ ନାହାନ୍ତି। ସେ ମଧ୍ୟ ସବୁ ବେଳେ କୌଣସି ପକ୍ଷକୁ କ୍ଷତି ନ ପହଞ୍ଚାଇ କିଭଳି ଶ୍ରମିକମାନଙ୍କ ସମସ୍ୟାର ସମାଧାନ ହୋଇପାରିବ ସେଥିପାଇଁ ସେ ନିଷ୍ଠାର ସହିତ କାର୍ଯ୍ୟ କରୁଥିଲେ। ଶ୍ରମିକମାନଙ୍କର ସ୍ୱାର୍ଥରକ୍ଷା ଓ ସେମାନଙ୍କର କଲ୍ୟାଣ ପାଇଁ ସୌରୀବନ୍ଧୁ କରଙ୍କର ସଂଗ୍ରାମ, ବଳିଷ୍ଠ ନେତୃତ୍ବ ଏବଂ ସମର୍ପିତ ମନୋଭାବ ତାଙ୍କୁ ସବୁଦିନ ଶ୍ରମିକ ସମାଜ ମନେରଖିବ।

ଏତଦବ୍ୟତୀତ ଜଣେ ସୁସାହିତ୍ୟିକ ଏବଂ ପ୍ରାବନ୍ଧିକ ହିସାବରେ ସେ ରାଜ୍ୟ ଏବଂ ରାଜ୍ୟ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲେ। ମୋର ତୃତୀୟ ଗଳ୍ପ ସଂକଳନ ‘ଆକାଶର ତାରା’ରେ ସେ ଗୋଟିଏ ମୁଖବନ୍ଧ ଲେଖିଥିଲେ, ଯାହାକୁ ମୁଁ ସବୁଦିନ ପାଇଁ ମନେରଖିଛି। ଏଭଳି ଜଣେ ବନ୍ଧୁ, ଦୃଢ଼ ସଂଗଠକ ଏବଂ ଦରିଦ୍ର, ଦୁଃଖୀ ଓ ଅଣସଂଗଠିତ ଶ୍ରମିକ ସମସ୍ୟା ସମାଧାନ ପାଇଁ ଅହରହ ଚିନ୍ତା କରୁଥିବା ମଣିଷଟି ଯେ ଆଜି ଆମ ପାଖରେ ନାହାନ୍ତି, ତାହା ବିଶ୍ବାସ କରିହେଉନାହିଁ।
ଅଜୟ କୁମାର ପଟ୍ଟନାୟକ
ପ୍ରାକ୍ତନ ଯୁଗ୍ମ ଶ୍ରମ କମିଶନର

ସମ୍ବନ୍ଧିତ ଖବର