ଗଙ୍ଗୁଆ ଓ ଦୟା ବଞ୍ଚାଅ ଆନ୍ଦୋଳନ ଅଭିଯାନ : ଗଙ୍ଗୁଆ ନାଳ ନୁହେଁ, ନଦୀ

ଭୁବନେଶ୍ୱର : ଗଙ୍ଗୁଆ ନାଳ ନୁହେଁ ବରଂ ନଦୀ। ସରକାରଙ୍କ େଓ୍ଵବ୍‌ସାଇଟ୍‌ରେ ଗଙ୍ଗୁଆକୁ ନାଳ ଉଲ୍ଲେଖ କରାଯାଇଛି, ଏହାକୁ ନଦୀ ବୋଲି ଉଲ୍ଲେଖ କରାଯାଉ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଥିବା ‘ଗଙ୍ଗୁଆ ଓ ଦୟାନଦୀ ବଞ୍ଚାଅ ଆନ୍ଦୋଳନ’ର ଶୁଭାରମ୍ଭ ହୋଇଥିବା ବେଳେ ଏଭଳି ମତ ରଖିଛନ୍ତି ଅଭିଯାନର ସଦସ୍ୟବୃନ୍ଦ।

ନିର୍ବାଚନ କମିସନରଙ୍କ ଉପଦେଷ୍ଟା ଭଗବାନ ପ୍ରକାଶ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ ଆନ୍ଦୋଳନର ଲୋଗୋ ଓ ବ୍ୟାନର ଉନ୍ମୋଚନ କରିଛନ୍ତି। ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯାନରେ ବକ୍ତାମାନେ ଗଙ୍ଗୁଆ ଓ ଦୟାନଦୀର ସାଂପ୍ରତିକ ପରିସ୍ଥିତିକୁ ନେଇ ଘୋର୍‌ ଉଦବେଗ ପ୍ରକାଶ କରିଥିଲେ। ଭୁବନେଶ୍ୱରରେ ଥିବା ୩୪ ଜଳ ପ୍ରଦୂଷଣକାରୀ ଶିଳ୍ପସଂସ୍ଥା ତାଙ୍କର ବର୍ଜ୍ୟବସ୍ତୁ ଏହି ନଦୀକୁ ଛାଡ଼ୁଛନ୍ତି। ବିଏମ୍‌ସି ଅଧୀନରେ ଥିବା ୯ଟି ପ୍ରାକୃତିକ ନାଳକୁ ନର୍ଦମା ନାଳ ଭାବେ ବ୍ୟବହାର କରାଯାଉଛି। ଯାହାର ପାଣି ଗଙ୍ଗୁଆରେ ମିଶୁଛି। ଅନେକ ସ୍ଥାନରେ ଗଙ୍ଗୁଆ ନଦୀର ଶଯ୍ୟା ଓ ପଠାକୁ ଜବରଦଖଲ କରାଯାଇ ସେଠାରେ ଘର, ଅନୁଷ୍ଠାନ, ଶିଳ୍ପ କାରଖାନା ଆଦି ନିର୍ମାଣ କରାଯାଉଛି। ଏହାଛଡ଼ା ହସ୍ପିଟାଲ୍‌ଗୁଡ଼ିକର ଆବର୍ଜନା ସବୁ ଗଙ୍ଗୁଆ ମଧ୍ୟକୁ ଛଡ଼ା ଯାଉଛି। ତେଣୁ ଗଙ୍ଗୁଆ ଓ ଦୟା ନଦୀକୁ ବଞ୍ଚାଇବା ପାଇଁ ଆସନ୍ତାକାଲିଠାରୁ ଗଙ୍ଗୁଆ ଓ ଦୟା ପରିଦର୍ଶନରେ ଯିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ସଭା ସମିତି ଆୟୋଜିତ ହେବ। ଏକ ଗଣ ସମ୍ମିଳନୀ ଆୟୋଜିତ ହେବା ପରେ ପଦଯାତ୍ରା ଅଗଷ୍ଟ ମାସରେ କରାଯିବ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୟା ବଞ୍ଚାଅ ଆନ୍ଦୋଳନର ଆବାହକ ସଂଗ୍ରାମ କେଶରୀ ପାଇକରାୟ, ମହାନଦୀ ବଞ୍ଚାଅ ଆନ୍ଦୋଳନର ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ପ୍ରସନ୍ନ ବିଶୋୟୀ, ନିରଦ ଖୁଣ୍ଟିଆ, ରଶ୍ମି ମହାପାତ୍ର, ମନୋଜ ଜେନା, ଅଶୋକ ପାଇକରାୟ, କୁନାଲ ରାଉତ, ଟୁନା ରାଉତ, ମନୀନ୍ଦ୍ର କାନୁନ୍‌ଗୋ, ପଦ୍ମଚରଣ ଗୋଚ୍ଛାୟତ, ବିଜୟ ସାମନ୍ତରାୟ, ପ୍ରକାଶ ମଲ୍ଲିକ, ଶୁଭ୍ରା ଦାସ, ଲକ୍ଷ୍ମୀକାନ୍ତ ପାଇକରାୟ, ପୀୟୂଷ ରାଉତ ଓ ଦେବ ପରିଜା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର