ନବ ବିବାହିତାଙ୍କ ଆକୁଳ ଗୁହାରି ‘ମୋ ସ୍ବାମୀଙ୍କୁ ବଞ୍ଚାଇ ଦିଅ’

ବିବାହର ୮ ଦିନରେ ଅଭିଷେକଙ୍କୁ କରୋନା, ଏକ୍‌ମୋ ଚିକିତ୍ସା ପାଇଁ ଅର୍ଥ ବାଧକ

ଖଣ୍ଡଗିରି: ବାହାଘରକୁ ମାତ୍ର ମାସଟିଏ ପୂରିଛି। ଯେତେବେଳେ ନବ ଦାମ୍ପତ୍ୟ ଜୀବନକୁ ନେଇ ସେମାନେ ଖୁସିରେ ଦିନ କାଟିବା କଥା, ସେତିକିବେଳେ ସ୍ବାମୀଙ୍କ ଜୀବନ ବଞ୍ଚାଇବାକୁ ରାଜରାସ୍ତାରେ ସଂଘର୍ଷ ଆରମ୍ଭ କରିଛନ୍ତି ସ୍ତ୍ରୀ। କରୋନା ଆକ୍ରାନ୍ତ ସ୍ବାମୀଙ୍କୁ ବଞ୍ଚାଇବାକୁ ସ୍ତ୍ରୀ ସମଗ୍ର ଓଡ଼ିଶାବାସୀଙ୍କ ଠାରୁ ଟଙ୍କାଟିଏ ଲେଖାଏଁ ଭିକ୍ଷା ମାଗିଛନ୍ତି। ନୂଆ କରି ମଥାରେ ଲାଗିଥିବା ସିନ୍ଦୁରକୁ ବଞ୍ଚାଇବାକୁ ଜଣେ ମହିଳାଙ୍କ ଏହି ଆକୁଳ ନିବେଦନ ଆଜି ବହୁ ଲୋକଙ୍କୁ ବ୍ୟଥିତ କରିଛି। ଜୀବନ ମରଣ ସହ ସଂଘର୍ଷ କରୁଥିବା ଅଭିଷେକଙ୍କ ଏହି କରୁଣ ଚିତ୍ର ଆଜି ଭାଇରାଲ ହେବା ପରେ ଧୀରେ ଧୀରେ ସହଯୋଗର ହାତ ଲମ୍ବିବା ଆରମ୍ଭ ହୋଇଛି।

ଭଦ୍ରକର ଅଭିଷେକ ମହାପାତ୍ର(୨୮) ଗତ ମେ ୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମାତ୍ର ୮ ଦିନ ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବେ ତାଙ୍କୁ ଏକ୍‌ମୋ ମେସିନ୍‌ ଦ୍ବାରା ଚିକିତ୍ସା କରିବା ଜରୁରୀ ବୋଲି ଡାକ୍ତରମାନେ କହିଛନ୍ତି। ତେବେ ଏଥିପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି। କେବଳ ସେତିକି ନୁହେଁ, ଏବେ ଓଡ଼ିଶାରେ ଏହି ସୁବିଧା ନଥିବାରୁ ତାଙ୍କୁ ତୁରନ୍ତ କୋଲକାତା ସ୍ଥାନାନ୍ତର କରିବାକୁ ହେବ ବୋଲି ଡାକ୍ତରମାନେ ସୁପାରିଶ କରିଛନ୍ତି। ତେଣୁ ତୁରନ୍ତ ଏୟାର୍ ଲିଫ୍‌ଟ କରିବାକୁ ହେବ। ଏତେ ଟଙ୍କା ଯୋଗାଡ଼ କରିବା ପରିବାର ପକ୍ଷରେ ସମ୍ଭବ ନୁହେଁ।  ତଥାପି ପରିବାର ଲୋକେ ଟଙ୍କା ଯୋଗାଡ଼ରେ ଲାଗି ଯାଇଛନ୍ତି। ଆର୍ଥିକ ସହାୟତା ପାଇଁ ମିଲାପ୍ ଫଣ୍ଡ ରେଜ୍‌ର ସହଯୋଗ ନେଇଛନ୍ତି।

ନବ ବିବାହିତା ପତ୍ନୀ ବଡ଼ ବିକଳ ହୋଇ ଓଡ଼ିଶାବାସୀଙ୍କୁ ପ୍ରାର୍ଥନା‌ କରିଛନ୍ତି। ଓଡ଼ିଶାର ଚାରି କୋଟି ଜନତା ଟଙ୍କାଟିଏ ଲେଖାଏଁ ଦେ‌ଲେ, ତାଙ୍କ ସିନ୍ଦୁର ବଞ୍ଚିବ ବୋଲି ସେ ବିକଳ ହୋଇ କହିଛନ୍ତି। ତେଣୁ ବର୍ତ୍ତମାନ ସୁଦ୍ଧା ତାଙ୍କୁ ୧୭  ଲକ୍ଷ ୭୩ ହଜାର ୧୧୪ ଟଙ୍କା ମିଳିପାରିଛି। ଏପର୍ଯ୍ୟନ୍ତ ଅଭିଷେକଙ୍କୁ ଏହି ଫଣ୍ଡ ଜରିଆରେ ୧ ହଜାର ୫ ଶହ ୨୨ ଜଣ ସାହାଯ୍ୟ କଲେଣି। ଯଦି କେହି ସହୃଦୟ ବ୍ୟକ୍ତି ଅଭିଷେକଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, ତେବେ ମିଲାପ ଫଣ୍ଡ ରେଜର୍ ଆପ୍‌ କିମ୍ୱା ୯୫୮୩୫୯୬୮୮୬ ରେ ଫୋନ୍ ପେ’ ଜରିଆରେ ସହଯୋଗ କରିପାରିବେ ବୋଲି ଅଭିଷେକଙ୍କ ସ୍ତ୍ରୀ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ବ୍ରହ୍ମପୁରର ଯୁବ ଇଂଜିନିୟର ଅମ୍ରିତ ପ୍ରଧାନଙ୍କ ପାଇଁ ଏମିତି ବହୁ ଲୋକଙ୍କ ସହଯୋଗର ହାତ ଲମ୍ବି ଆସିଥିଲା। ସେ ଏବେ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଓ ଲୋକେ ତାଙ୍କୁ ଏବେ ବି ଆର୍ଥିକ ସହଯୋଗ କରୁଛନ୍ତି। ତେଣୁ ଅଭିଷେକଙ୍କ ପାଇଁ ମଧ୍ୟ ସମାନ ସହଯୋଗ ମିଳିବ ବୋଲି ତାଙ୍କ ପରିବାର ଲୋକେ ଆଶା ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର