ସାବିତ୍ରୀ ଓ ରଜ ବଜାର ବେପାର ଠପ୍‌ ‘ମୋ ଭାଇ’ ଦେଉଛି ସାବିତ୍ରୀ ଭାର

ସାବିତ୍ରୀ ପୂର୍ବରୁ ପ୍ରତିଦିନ ୫୦ରୁ ୫୫ ଶାଢ଼ି ବିକ୍ରି ହେଉଥିଲା, ପ୍ରତିଦିନ ଓଡ଼ିଶାରେ ୩୦୦ କୋଟି ଟଙ୍କାର ବେପାର ଠପ୍‌

ଭୁବନେଶ୍ବର: ଲକ୍‌ଡାଉନ୍‌ ପାଇଁ ବନ୍ଦ ରହିଛି ଦୋକାନ ବଜାର। ଏହି ସମୟରେ ପଡ଼ୁଛି ଦୁଇଟି ମୁଖ ପର୍ବ ସାବିତ୍ରୀ ଅମାବାସ୍ୟା ଓ ଓଡ଼ିଆଙ୍କ ମୁଖ୍ୟ ରଜ ପର୍ବ। ସାବିତ୍ରୀରେ ନୂଆ ଶାଢ଼ି ପୂଜା କରି ବିବାହିତାମାନେ ସ୍ବାମୀଙ୍କ ମଙ୍ଗଳ ମନାସିବା ସହ ରଜ ପର୍ବର ଝିଅମାନେ ନୂଆ ପୋଷାକ ପିନ୍ଧି ରଜ ପାଳିଥା’ନ୍ତି। କିନ୍ତୁ ଉଭୟ ପର୍ବକୁ ଏଥର ଫିକା କରିଦେବ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌। ଦୋକାନ ଖୋଲାନଥିବାରୁ ଅନେକ ନିରାଶ ହୋଇଥିବା ବେଳେ ଆଉ କିଛି ଅନ୍‌ଲାଇନ୍‌ ସପିଂ ମୁହାଁ ହୋଇଛନ୍ତି। ଆକର୍ଷଣୀୟ ଅଫର୍‌ ସହ ଅନ୍‌ଲାଇନ୍‌ ବଜାର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ଏଭଳି ସ୍ଥିତିରେ ମୁଣ୍ଡରେ ହାତ ଦେଲେଣି ଶାଢ଼ି ଓ ପୋଷାକ ବେପାରୀ। ଦଶହରା ପରେ ସାବିତ୍ରୀ ଓ ରଜ ପୋଷାକ ବେପାର ଋତୁ ହୋଇଥିବା ବେଳେ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ଯାଉଛନ୍ତି ପୋଷାକ ବେପାରୀ।

ଓଡ଼ିଆ ମହିଳାମାନଙ୍କର ସବୁଠାରୁ ବଡ଼ ପର୍ବ ହେଉଛି ସାବିତ୍ରୀ। ସେଦିନ ବାପ ଘରୁ ବିବାହିତ ଝିଅ ପାଇଁ ସାବିତ୍ରୀ ଭାର ଯାଏ। ଆଉ ସେ ଭାରରେ ଶଙ୍ଖା, ସିନ୍ଦୂର ସହ ସବୁଠାରୁ ବଡ଼ ଆକର୍ଷଣ ସାଜେ ଶାଢ଼ି। ରଙ୍ଗବେରଙ୍ଗ ଓ ଭିନ୍ନ ଭିନ୍ନ ଡିଜାଇନ୍‌ର ଶାଢ଼ି ପିନ୍ଧିବାର ମହିଳାମାନଙ୍କ ମଧ୍ୟରେ ସେ ଦିନ ଏକ ପ୍ରତିଯୋଗିତା ଆରମ୍ଭ ହୋଇଯାଏ। ଏଣୁ ବଜାରକୁ ଯାଇ ନିଜ ମନ ମୁତାବକ ଶାଢ଼ିଟିଏ କିଣି ନେବାକୁ ସମସ୍ତେ ଚାହାନ୍ତି। କିନ୍ତୁ ଏସବୁରେ ଭଟ୍ଟା ପକାଇଛି ଲକ୍‌ଡାଉନ୍‌।

ସାବିତ୍ରୀ ପୂର୍ବରୁ ପ୍ରତିଦିନ ୫୦ରୁ ୫୫ ଶାଢ଼ି ବିକ୍ରି ହେଉଥିଲା
ପ୍ରତିବର୍ଷ ସାବିତ୍ରୀ ପୂର୍ବରୁ ବେପାର ବେଶ୍‌ ଭଲ ଜମେ। ସାବିତ୍ରୀ ଆସିବାର ୧୫ ଦିନ ପୂର୍ବରୁ ଦୋକାନ ଗହଳି ଆରମ୍ଭ ହୋଇଯାଏ। ପ୍ରତିଦିନ ୫୦ରୁ ୫୫ ଖଣ୍ଡ ଶାଢ଼ି ବିକ୍ରି ହୁଏ। ସାବିତ୍ରୀ ଯେତେ ପାଖାଏ ଶାଢ଼ି ବିକ୍ରି ବଢ଼ିବାରେ ଲାଗେ। ସାବିତ୍ରୀ ସପ୍ତାହେ ପୂର୍ବରୁ ଶାଢ଼ି ପ୍ରାୟ ୭୦ରୁ ୭୫ ଖଣ୍ଡ ବିକ୍ରି ହୋଇଯାଏ। ଗତବର୍ଷ କଟକଣା ଭିତରେ ଖୋଲିଥିବାରୁ କିଛି କିଛି ବେପାର ହୋଇଥିଲା। କିନ୍ତୁ ଏଥର ସମ୍ପୂର୍ଣ୍ଣ ବନ୍ଦ ଯୋଗୁଁ ଆମେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛୁ।
-କିଶୋର ମେହେର, ମ୍ୟାନେଜର, ମେହେର୍‌ସ୍‌

ପ୍ରତିଦିନ ଓଡ଼ିଶାରେ ୩୦୦ କୋଟି ଟଙ୍କାର ବେପାର ଠପ୍‌
ପୋଷାକ ଓ ଶାଢ଼ି ବେପାରର ଅଧା ବ୍ୟବସାୟ ସାବିତ୍ରୀ ଓ ରଜ ସମୟରେ ହୋଇଥାଏ। କିନ୍ତୁ ଗତ ୨ ବର୍ଷ ହେଲା ବେପାର ମାନ୍ଦା ଯୋଗୁଁ ବ୍ୟବସାୟୀ କୂଳ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ବେପାର ବନ୍ଦ ଯୋଗୁଁ କିଛି ବ୍ୟବସାୟୀ ଆତ୍ମହତ୍ୟା କରୁଥିବା ନଜିର ବି ରହିଛି। ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଦେଲେ ରାଜ୍ୟରେ ପ୍ରତିଦିନ ୩୦୦ କୋଟି ଟଙ୍କାର ବେପାର ହୋଇଥାଏ। କିନ୍ତୁ ଏବେ ମାସେ ହେଲା ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏଥିସହ ସରକାରଙ୍କର ୪୦ରୁ ୪୫ କୋଟି ଟଙ୍କାର ରାଜସ୍ବ ମଧ୍ୟ କ୍ଷତି ହେଉଛି। ଗତବର୍ଷ ବ୍ୟବସାୟକୂଳ ଏତେ କ୍ଷତି ସହିବା ପରେ ପୁଣି ଥରେ ଚଳିତ ବର୍ଷ ଲକ୍‌ଡାଉନ୍‌ କରି ବ୍ୟବସାୟୀମାନଙ୍କ ପାଇଁ କିଛି ବ୍ୟବସ୍ଥା ନ କରିବା ଦୁର୍ଭାଗ୍ୟଜନକ। ଅନ୍ୟପଟେ ଯଦି ବ୍ୟବସାୟ ବନ୍ଦ କରାଯାଇଛି ଓ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ପାଇଁ ଅନୁମତି ଅଛି ତେବେ‌ ଅନ୍‌ଲାଇନ୍‌ କ୍ଷେତ୍ରରେ ବି ଏହା ଲାଗୁ ହେଉ। ନ ହେଲେ କିଛି ବ୍ୟବସାୟୀ ବେପାର କରି ଲାଭ କରିବେ ଅନ୍ୟମାନେ ବସି ରହିବା ଅନ୍ୟାୟ ହେବ।
-ସୁଧାକର ପଣ୍ଡା, ସାଧାରଣ ସମ୍ପାଦକ, ଓଡ଼ିଶା ବ୍ୟବସାୟୀ ମହାସଂଘ

‘ମୋ ଭାଇ’ ଦେଉଛି ସାବିତ୍ରୀ ଭାର
ଲକ୍‌ଡାଉନ୍‌ ଯୋଗୁଁ କେହି କୁଆଡ଼େ ନ ଯାଇପାରିଲେ ବି ‘ମୋ ଭାଇ’ ନିଶ୍ଚୟ ନେଇ ଆସିବ ସାବିତ୍ରୀ ଭାର। ଆପଣଙ୍କର ଗେଟିଏ କ୍ଲିକ୍‌ ରେ ‘ମୋ ଭାଇ’ ଆପଣଙ୍କ ପାଖରେ ଶଙ୍ଖା, ସିନ୍ଦୂର, ଅଳତା, ବ୍ରତ, ସାଗୁ, ମିଶ୍ରି, ଛୋଟ ଦର୍ପଣ, ନଡ଼ିଆ, ସେଓ, ସପୁରୀ ପଣସ, ଆମ୍ବ, କଦଳୀ, ଖଜରା, ବିନ୍ଦି ଓ ସାବିତ୍ରୀ ବହି ଆଦିର ପୁଟୁଳି ପହଞ୍ଚାଇ ଦେବ ଆପଣଙ୍କ ପାଖରେ। ତାଲାବନ୍ଦ ଯୋଗୁଁ ସାବିତ୍ରୀ ସାମଗ୍ରୀ କିଣାଙ୍କୁ ନେଇ ମହିଳାମାନଙ୍କ ଚିନ୍ତା ବଢ଼ିଥିବା ବେଳେ ଏହି ସମସ୍ୟାକୁ ହଟାଇବାକୁ ଆସିଛି ଗୋଟିଏ ସ୍ଵତନ୍ତ୍ର ଆପ୍। ଆପ୍‌ଟିର ନାଁ ହେଉଛି ‘ମୋ ଭାଇ’ ଆପ୍। ଏହି ଆପ୍ ମାଧ୍ୟମରେ ମହିଳାମାନେ ଘରେ ବସି, ଆବଶ୍ୟକ ସମସ୍ତ ପ୍ରକାରର ପୂଜା ସାମଗ୍ରୀ ସୁବିଧାରେ ପାଇପାରିବେ। ଏହି ନିଆରା ଆପ୍‌ଟିକୁ ଆଣିଛନ୍ତି ରାଜଧାନୀର ଜ୍ୟୋତିରଞ୍ଜନ ସାହୁ। ସାବିତ୍ରୀ ବ୍ରତ ପାଇଁ କିପରି ମହିଳାମାନେ ସୁରୁଖୁରରେ ସବୁ ଜିନିଷ ପାଇପାରିବେ ସେଥିପ୍ରତି ଦୃଷ୍ଟି ରଖି ଭୁବନେଶ୍ବର, କଟକ ଓ ବାଲେଶ୍ବରରେ ଏହି ସେବା ସେ ଯୋଗାଉଛନ୍ତି।

‘ମୋ ଭାଇ’ ଆପ୍‌ରୁ ଦୁଇ ପ୍ରକାର ସାବିତ୍ରୀ ପୁଟୁଳି ଅର୍ଡର କରିହେବ। ଗୋଟିଏ ପୁଟୁଳିର ଦାମ୍‌ ରହିଛି ୫୦୦ ଟଙ୍କା। ଏଥିରେ ୫ ପ୍ରକାର ଫଳ ରହିଥାଏ। ଅନ୍ୟ ପୁଟୁଳିରେ ୭ ପ୍ରକାର ଫଳ ସହ ପ୍ରଥମ ପଟୁଳି ଅପେକ୍ଷା ସମସ୍ତ ସାମଗ୍ରୀ ଦ୍ବିଗୁଣା ରହିଥାଏ। ଏହାର ଦାମ୍‌ ରହିଛି ୧୦୦୦ଟଙ୍କା। ଅର୍ଡର କରିବାର ୨୪ ଘଣ୍ଟା ମଧ୍ୟରେ ଘରେ ଆସି ପହଞ୍ଚିବ ଜିନିଷ। ବିନା କୌଣସି ଅସୁବିଧାରେ ଜିନିଷ ଯୋଗାଇବା ସହ ଏହା ଦ୍ବାରା ୩୦ ଜଣଙ୍କୁ ରୋଜଗାରକ୍ଷମ କରାଇପାରିଛନ୍ତି ଜ୍ୟୋତିରଞ୍ଜନ।

ସମ୍ବନ୍ଧିତ ଖବର