ସାବିତ୍ରୀ ଫ୍ୟାସନ: ଆଗରେ ଅର୍ଗେଞ୍ଜା ଶାଢ଼ି

ଭୁବନେଶ୍ବର: ଆସୁଛି ମହିଳାଙ୍କ ପର୍ବ ‘ସାବିତ୍ରୀ ବ୍ରତ’। ଏନେଇ ଶାଢ଼ି ବଜାର ସରଗରମ। କିନ୍ତୁ ଏଥର ସାବିତ୍ରୀ ଫ୍ୟାସନ୍‌ରେ ଆଗରେ ରହିଛି ଅର୍ଗେଞ୍ଜା ଶାଢ଼ି। ଏହି ହାଲ୍‌କା ସିଲ୍କ ଶାଢ଼ି ମହିଳାଙ୍କୁ ଏକ କ୍ଲାସି ଓ ଏଲିଗେଣ୍ଟ୍‌ ଲୁକ୍‌ ଦେବାରେ ସହାୟ ହେଉଛି। ଓଜନରେ ବେଶ୍‌ ହାଲୁକା ହୋଇଥିବାରୁ ଏହାକୁ ପିନ୍ଧିବା ଓ ସମ୍ଭାଳିବା ଅତି ସହଜ।

ଏଥିସହ ଏହାର ସାଇନିଂ କପଡ଼ା ଏହାକୁ ଆହୁରି ନିଆରା କରୁଛି। ଏହି ଶାଢ଼ି ବିବାହ ଭୋଜିଠାରୁ ଆରମ୍ଭ କରି ଅଫିସ୍‌ ପାର୍ଟି ଓ ଯେକୌଣସି ଛୋଟବଡ଼ କାର୍ଯ୍ୟକ୍ରମକୁ ପିନ୍ଧି ଯାଇ ହେବ। ଅର୍ଗେଞ୍ଜା ଶାଢ଼ି ପିନ୍ଧି ସେଲିବ୍ରିଟିମାନେ ଅନେକ ସମୟରେ ରେଡ୍‌ କାର୍ପେଟରେ ଚାଲିବାଠାରୁ ଆରମ୍ଭ କରି ବିଭିନ୍ନ ସୋ’ ଓ ଚଳଚ୍ଚିତ୍ରର ପ୍ରଚାରପ୍ରସାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ୧୫୦୦ଟଙ୍କାରୁ ଆରମ୍ଭ କରି ବିଭିନ୍ନ ଡିଜାଇନ୍‌ର ଶାଢ଼ି ଭିନ୍ନ ଭିନ୍ନ ଦାମ୍‌ରେ ମିଳିଯାଏ। ଅର୍ଗେଞ୍ଜା ଶାଢ଼ି ସାଧାରଣତଃ ହାଲ୍‌କା ରଙ୍ଗର ଆସିଥାଏ। ଧଳା, ହାଲ୍‌କା ହଳଦିଆ, ହାଲ୍‌କା ଗୋଲାପି, ହାଲ୍‌କା ଆକାଶିଆ ଆଦି ରଙ୍ଗର ଏହି ସିଲ୍କ ଫେବ୍ରିକ୍‌ ମହିଳାମାନଙ୍କ ରିଚ୍‌ ଲୁକ୍‌ ଦେଇଥାଏ। ଆଉ ଷ୍ଟୋନ୍‌, କୁନ୍ଦନ, ଚୁମୁକି ଓ ମିରର୍‌ ଖଚିତ ଭାରୀ ଶାଢ଼ି ସହରୀ ମହିଳାମାନେ ପସନ୍ଦ କରୁ ନଥିବାରୁ ଏହି ଅର୍ଗେଞ୍ଜା ଶାଢ଼ି ମହିଳାଙ୍କ ପସନ୍ଦର ସର୍ବାଗ୍ରେ ରହିଛି।

ସମ୍ବନ୍ଧିତ ଖବର