ଭୁବନେଶ୍ବର: ସକାଳୁ ସକାଳୁ ରାଜଧାନୀର ବିଭିନ୍ନ ମନ୍ଦିରରେ ଜମିଥିଲା ସାବିତ୍ରୀ ବ୍ରତଧାରୀ ମହିଳାଙ୍କ ଭିଡ଼। ସ୍ବାମୀଙ୍କ ଶୁଭ ମନାସି ହାତରେ ପୂଜା ଥାଳି ଧରି ମନ୍ଦିର ପୂଜାର୍ଚ୍ଚନା ପାଇଁ ଧାଡ଼ି ଲଗାଇଥିଲେ। ନୂଆ ଲୁଗା, ଶଙ୍ଖା, ସିନ୍ଦୂର, ବ୍ରତ, ନାନାଦି ଫଳମୂଳ ଆଦି ମନ୍ଦିରରେ ପୂଜା କରିଥିଲେ। ଘରେ ସ୍ବାମୀଙ୍କୁ ପୂଜା କରିବା ପରେ ମହିଳାମାନେ ଜଳସ୍ପର୍ଶ କରିଥିଲେ।
ଆଜି ସୋମବାର ଥିବାରୁ ପୁରୁଣା ଭୁବନେଶ୍ବରର ପ୍ରଭୁ ଲିଙ୍ଗରାଜ ମନ୍ଦିର, ମା’ ପାର୍ବତୀଙ୍କ ମନ୍ଦିରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ମୁଖ୍ୟତଃ ସ୍ବାମୀ-ସ୍ତ୍ରୀ ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ମା’ ସାବିତ୍ରୀଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ଲିଙ୍ଗରାଜଙ୍କ ମନ୍ଦିର ସମେତ କେଦାରଗୌରୀ, ଅନନ୍ତବାସୁଦେବ, ଭୀମେଶ୍ବର, କପିଳେଶ୍ବର, ଚିନ୍ତାମଣିଶ୍ବର ସହ ଭୁବନେଶ୍ବରର ସମସ୍ତ ଛୋଟ ବଡ଼ ମନ୍ଦିର ଆଜି ସାବିତ୍ରୀମୟ ହୋଇ ଉଠିଥିଲା। ଏଥିସହ କିନ୍ନରମାନେ ନିଜ ଗୁରୁଙ୍କୁ ପୂଜାର୍ଚ୍ଚନା କରିଥିଲେ। କିନ୍ନର ଆଖଡ଼ା ତରଫରୁ ପଳାଶପଲ୍ଲୀରେ ସାବିତ୍ରୀ ବ୍ରତ ପାଳନ କରାଯାଇଥିଲା। ଏଥିସହ ଖଣ୍ଡଗିରି, ଡମଣା ଗାଁରେ ମଧ୍ୟ କିନ୍ନରମାନେ ସାବିତ୍ରୀ ବ୍ରତ ଧୁମ୍ଧାମ୍ରେ ପାଳନ କରିଥିଲେ।