ମନ୍ଦିର ଛାଡ଼ି ପୂଜକ ପାର୍‌, ପାଚେରିରେ ନଡ଼ିଆ ବାଡ଼େଇ‌ଲେ

ମେଣ୍ଢାଶାଳ: ମହାମାରୀ କରୋନା କଟକଣାକୁ ସାବିତ୍ରୀ ବ୍ରତଧାରୀମାନେ ଖାତିର୍‌ କଲେ ନାହିଁ। ସାମାଜିକ ଦୂରତା ବଜାୟ ରଖିବା ପାଇଁ ଧାର୍ଯ୍ୟ ନିୟମକୁ ଫୁ’ କରି ଉଡ଼ାଇଦେଲେ। ବେଳକୁ ବେଳ ମନ୍ଦିରରେ ଭିଡ଼ ଜମିଲା। ପୁଲିସ କର୍ମଚାରୀଙ୍କ ବାରଣକୁ ମଧ୍ୟ ମାନିଲେ ନାହିଁ। ଖୁନ୍ଦାଖୁନ୍ଦି ହୋଇ ମନ୍ଦିର ଭିତ‌ରେ ପଶିଲେ। ତେଣୁ ଶେଷରେ ପୁଲିସ ବାଧ୍ୟ ହେଲା ବଳପ୍ରୟୋଗ କରିବାକୁ। କେଉଁଠି ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଲା ତ କେଉଁଠି ପୁଲିସକୁ ଦେଖୁ ଦେଖୁ ପୂଜକ ମନ୍ଦିର ଛାଡ଼ି ପାର୍‌ ହୋଇଗଲେ। ଆଜି ଚନ୍ଦକା ଥାନା ମେଣ୍ଢାଶାଳ ଓ ଛତାବର ଅଞ୍ଚଳରେ ବିଭିନ୍ନ ଶିବ ମନ୍ଦିରରେ ଘଟିଥିବା ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ଆଜି ସକାଳୁ ମେଣ୍ଢାଶାଳ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ଓ ଛତାବର ବୁଦ୍ଧେଶ୍ବର ମହାଦେବଙ୍କ ମନ୍ଦିରରେ ମହିଳାମାନେ ପୂଜା କରିବାକୁ ସୁଯୋଗ ପାଇଥିଲେ। ପୂଜକ ମନ୍ଦିରକୁ ଆସିଥିଲେ ଓ ମହିଳାମାନେ ସାମାଜିକ ଦୂରତା ରକ୍ଷା କରି ପୂଜା ଥାଳି ବଢ଼ାଉଥିଲେ। କିନ୍ତୁ ଏହି ପଦ୍ଧତିରେ ବେଶ୍ ବିଳମ୍ବ ହୋଇଥିଲା। ଫଳ‌ରେ ଧୀରେ ଧୀରେ ସେମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟିଥିଲା।

ଖରା ଓ ଗୁଳୁଗୁଳି ବଢ଼ିବା କାରଣରୁ ମହିଳାମାନେ ଆଉ ଧାଡ଼ି ବାନ୍ଧି ଅପେକ୍ଷା କରିବାକୁ ପସନ୍ଦ କରିନଥିଲେ। ତେଣୁ ହଠାତ୍ ସେମାନେ ଧାଡ଼ି ଭାଙ୍ଗି ଦେବା ସହ ଠେଲାପେଲା ହୋ‌ଇ ମନ୍ଦିର ଭିତରକୁ ପଶିଥିଲେ। ତେବେ ଏହି ଖବର ପ୍ରଚାରିତ ହେବା ପରେ ପୁଲିସ ଉକ୍ତ ଦୁଇ ମନ୍ଦିରରେ ପହଞ୍ଚିଥିଲା। ପୁଲିସକୁ ଦେଖିବା ପରେ ବି ମହିଳାମାନେ ଖାତିର୍‌ କରିନଥିଲେ। କିନ୍ତୁ ମେଣ୍ଢାଶାଳ ମନ୍ଦିର ପୂଜକ ପୁଲିସକୁ ଦେଖି ସେଠାରୁ ଖସି ପଳାଇ ଯାଇଥିଲେ। ପୂଜକ ପଳାଇବା ପରେ ମହିଳାମାନେ ମନ୍ଦିର ପାଚେରିରେ ନଡ଼ିଆ ବାଡ଼େଇ ଘରକୁ ଫେରିଥିଲେ। ସେହିଭଳି ଛତାବର ମନ୍ଦିରରେ ପୁଲିସକୁ ଦେଖି ମଧ୍ୟ ମହିଳାମାନେ ସାମାଜିକ ଦୂରତା ନିୟମକୁ ମାନି ନଥିଲେ। ତେଣୁ ପୁଲିସ ବାଧ୍ୟ ହୋଇ ମୃଦୁ ଲାଠିଚାଳନା କରିଥିଲା। ପୁଲିସ ଲାଠି ଚାଳନା କରୁଥିବା ମଉକାରେ ପୂଜକ ମନ୍ଦିରରେ ତାଲା ପକାଇ ପଳାଇଥିଲେ। ପୁଲିସ ଗଲା ପରେ ମଧ୍ୟ ପୂଜକ ଆଉ ମନ୍ଦିରକୁ ଆସିନଥିଲେ। ତେଣୁ ମହିଳାମାନେ ମନ୍ଦିର ବେଢ଼ାରେ ନଡ଼ିଆ ବାଡ଼େଇବା ସହ ନୂଆ ଶାଢ଼ିକୁ ପାର୍ଶ୍ବଦେବଦେବୀଙ୍କୁ ଛୁଆଁଇ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର