ଭୁବନେଶ୍ୱର: ଆଉ ଦିନ କେଇଟା ପରେ ସାବିତ୍ରୀ ବ୍ରତ। ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ନୂଆ ଶାଢ଼ି, ଶଙ୍ଖା ପରିଧାନ କରିଥାନ୍ତି। ତେଣୁ ସାବିତ୍ରୀ ଆସିବା ପୂର୍ବରୁ ରାଜଧାନୀର ହାଟବଜାର ଚଳଚଞ୍ଚଳ ହୋଇପଡ଼ିଛି। ସପିଂ ମଲ୍‌ଠାରୁ ଆରମ୍ଭ କରି ଶାଢ଼ି, ଗହଣା, ଷ୍ଟେସନାରି ଆଦି ଦୋକାନରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି। ଭଲ ରୋଜଗାର ହେବା ଆଶାରେ ଦୋକାନଗୁଡ଼ିକରେ ମଧ୍ୟ ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି। 

Advertisment

ଶାଢ଼ି ଦୋକାନରେ ଅସମ୍ଭାଳ ଭିଡ଼
ମାର୍କେଟ ବିଲ୍ଡିଂ ହେଉ ବା ଜନପଥ, ସବୁ ଶାଢ଼ି ଦୋକାନରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି। ଗତ ୮ ଦିନ ହେଲା ବେପାର ବେଶ୍‌ ଜମୁଥିବା ବେଳେ ଆଜି ଠାରୁ ରବିବାର ପର୍ଯ୍ୟନ୍ତ ଭିଡ଼ ଆହୁରି ବଢ଼ିବ ବୋଲି ବ୍ୟବସାୟୀମାନେ ଆଶାପ୍ରକଟ କରିଛନ୍ତି। ଏଥିପାଇଁ ସହରରେ ବିଭିନ୍ନ ସୋ’ ରୁମ୍‌ରେ ରିହାତି ଓ ଅଫର୍‌ ମଧ୍ୟ ଲାଗିଥିବା ଦେଖିବାକୁ ମିଳୁଛି। କିଏ ୧୦% ତ’ କିଏ ୭% ଓ କେହି କେହି ୨୦% ରିହାତି ଦେଇ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି। ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ସିଲକ୍‌ ବା ସିନ୍ଥେଟିକ୍‌ ଶାଢ଼ି ଅପେକ୍ଷା କଟନ୍‌ ପାଟ ଓ ସମ୍ୱଲପୁରୀ ଶାଢ଼ିକୁ ମହିଳାମାନେ ବେଶୀ କିଣୁଥିବାର ଦେଖାଯାଇଛି। ଏହାବ୍ୟତୀତ ରାଜସ୍ଥାନ, ବିହାର ଆଦି ସ୍ଥାନରୁ ଆସିଥିବା ସୂତା ଓ ସିଲ୍‌କ ଶାଢ଼ୀ ପ୍ରତି ମଧ୍ୟ ମହିଳାମାନେ ଆକର୍ଷିତ ହେଉଛନ୍ତି। ରାମ ମନ୍ଦିର ନିକଟରେ ବେପାର କରୁଥିବା ରଶ୍ମି ଯାଦବଙ୍କ କହିବା ଅନୁଯାୟୀ ରାଜସ୍ଥାନୀ ଡିଜାଇନକୁ ମହିଳାମାନେ ବେଶ୍‌ ପସନ୍ଦ କରୁଛନ୍ତି। 

ଆକଷର୍ଣର କେନ୍ଦ୍ର ପାଲଟିଛି ଚୁଡ଼ି 
ଚୁଡ଼ି ଦୋକାନରେ ମଧ୍ୟ ପ୍ରବଳ ଭିଡ଼ ହେଉଛି। ଶାଢ଼ୀ ସହିତ ମ୍ୟାଚିଂ କରି ବିଭିନ୍ନ ଚୁଡ଼ି କିଣୁଛନ୍ତି। ବିଭିନ୍ନ ଡିଜାଇନ୍‌ ଅନୁସାରେ ଚୁଡ଼ିର ମୂଲ୍ୟ ୧୦୦ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ନାଲି ଓ କଳାଶଙ୍ଖା ମଧ୍ୟ ବହୁତ ବିକ୍ରି ହେଉଛି। ପତଳା ନାଲି ଶଙ୍ଖାଗୁଡ଼ିକର ମୂଲ୍ୟ ଚାରିପଟକୁ ୨୦ ଟଙ୍କା ହୋଇଥିବା ବେଳେ ଡିଜାଇନ ଅନୁସାରେ ଅନ୍ୟ ଶଙ୍ଖାର ମୂଲ୍ୟ ୧୦୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ମାର୍କେଟ ବିଲ୍ଡିଂର ଚୁଡ଼ି ବ୍ୟବସାୟୀ ବ୍ରଜ ପ୍ରଧାନଙ୍କ କହିବା ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ତାଙ୍କର ବେଶ୍‌ ଭଲ ବ୍ୟବସାୟ ହେଉଛି। ସେହିପରି ବିଭିନ୍ନ ଗହଣା ଦୋକାନରେ ମଧ୍ୟ ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି। 

୩୦ଟଙ୍କାରେ ସାବିତ୍ରୀ ପୁଟୁଳି
ସାବିତ୍ରୀ ବ୍ରତରେ ପୂଜା ପାଇଁ ଯାଉଥିବା ଥାଳିରେ ନୂଆ ଶାଢ଼ି ସହିତ ଶୃଙ୍ଗାର ସାମଗ୍ରୀ ଯେପରିକି ସିନ୍ଦୁର, ଶଙ୍ଖା, ବ୍ରତ, ଆଇନା, କାଠ ପାନିଆ, ଶଙ୍ଖା, କଳାମାଳି, ଗୁଆ, ଅଳତା ଆଦିର ସ୍ୱତନ୍ତ୍ର ପୁଟୁଳି ବର୍ତ୍ତମାନ ଲୋକପ୍ରିୟ ହୋଇଗଲାଣି। ମାତ୍ର ୩୦ ଟଙ୍କାରେ ସମସ୍ତ ଏସବୁ ଜିନିଷ ମିଳି ଯାଉଥିବାରୁ ମହିଳାମାନେ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି। ହାତରେ ଆଉ କିଛି ଦିନ ଥିବାରୁ ଫଳ ବଜାରରେ ଆମ୍ୱ, ପଣସ, ଲିଚୁ, ସପୁରି ଇତ୍ୟାଦି କିଣିବାକୁ ଭିଡ଼ ଜମୁଛି।