କରୋନା ପାଇଁ ଚିନ୍ତାରେ ସାବିତ୍ରୀ… ଅନ୍‌ଲାଇନ୍‌ରେ ଭାର

ଭଉଣୀ ଦୁଆରେ ପଡ଼ୁନି ଭାଇର ପାଦ

ଖଣ୍ଡଗିରି: ଚଳିତ ବର୍ଷ ଅନ୍‌ଲାଇନ୍‌ରେ ଯିବ ସାବିତ୍ରୀ ଭାର। ଦୂରଦୂରାନ୍ତ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାରେ ସମସ୍ୟା ହେଉଥିବାରୁ ଲୋକେ ଚଳିତ ବର୍ଷ ଏହି ପନ୍ଥା ଆପଣେଇବାକୁ ବାଧ୍ୟ ହୋଇଛନ୍ତି। ଭା‌ର ନେଇ ଯିବା ସମ୍ଭବ ହେଉନଥିବାରୁ ଲୋକେ ଅନ୍‌ଲାଇନ୍‌ରେ ଭଉଣୀ ଆକାଉଣ୍ଟକୁ ଟଙ୍କା ପଠାଇ ଦେଉଛନ୍ତି। ପେଟିଏମ୍‌, ଗୁଗୁଲ୍ ପେ’, ଫୋନ୍‌ ପେ ଭଳି ଡିଜିଟାଲ୍ ଆପ୍‌ ଦ୍ବାରା ଭାଇ ଅନ୍‌ଲାଇନ୍‌ରେ ଭଉଣୀକୁ ଟଙ୍କା ପଠାଇ ଦେଉଛି। ତେବେ ଭାର ପାଇଁ ଟଙ୍କା ସିନା ପଠାଇ ହେଉଛି, କିନ୍ତୁ ଭଉଣୀ ଦୁଆରେ ଭାଇର ପାଦ ପଡ଼ି ପାରୁନି। ଭଉଣୀ ଦୁଆରେ ପଡ଼ିଛି କରୋନାର ଲକ୍ଷ୍ମଣରେଖା।

ଚଳିତ ବର୍ଷ ମହାମାରୀ କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ଲାଗୁ ହୋଇଥିବା ତାଲା ବନ୍ଦ କଟକଣା ସାଧାରଣ ଜୀବନଯାତ୍ରାରେ ବହୁ ପରିବର୍ତ୍ତନ ଆଣିଛି। ଓଡ଼ିଶାର ବହୁ ବଡ଼ ବଡ଼ ପର୍ବପର୍ବାଣୀ କେବଳ ବିଧିରେ ବିଧିରେ ପାଳିତ ହେଉଛି। ତେଣୁ ସାବିତ୍ରୀ ବ୍ରତ ମଧ୍ୟ ବାଦ୍ ପଡ଼ିନି। ଏହି ମହାମାରୀ ଲୋକଙ୍କୁ ଏକ ପ୍ରକାର ଅଛୁଆଁ କରି ଦେଇଥିବାରୁ କେହି କାହା ପାଖକୁ ଯିବା ସମ୍ଭବ ହେଉନାହିଁ। ଦୂରଦୂରାନ୍ତରେ ରହୁଥିବା ଭଉଣୀ ପାଖକୁ ଭାର ନେଇ ଭାଇମାନେ ଯିବା ସମ୍ଭବ ହେଉନାହିଁ। ଗାଁ ଗାଁରେ ବାଡ଼ ପଡ଼ିଛି। ଲୋକେ ବାହାର ଗାଁ ଲୋକଙ୍କୁ ନିଜ ଗାଁ ଭିତରକୁ ପଶିବାକୁ ଦେଉନାହାନ୍ତି। ବିଶେଷକରି ସହରରେ ରହୁଥିବା ଭାଇମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଗାଁରେ ରହୁଥିବା ଭାଇମାନଙ୍କ ପାଇଁ କୋଉଠି କେମିତି କିଛି କୋହଳ ବ୍ୟବସ୍ଥା ରହିଥିଲେ ମଧ୍ୟ ସହରିଆ ଭାଇମାନଙ୍କ ପାଇଁ କଠୋର କଟକଣା। ସହରିଆ ଭାଇକୁ ଭଉଣୀ ଘର ଗାଁକୁ ପୂରା ବାରଣ। ତେଣୁ ଏଭଳି ସ୍ଥିତିରେ ଭାଇମାନେ ଭଉଣୀ ପାଖକୁ ଟଙ୍କା ପଠାଇବା ଛଡ଼ା ଅନ୍ୟ ବାଟ କିଛି ନାହିଁ। ସେଥିପାଇଁ କିଏ ପେଟିଏମ୍‌, କିଏ ଗୁଗୁଲ୍ ପେ ଓ କିଏ ଫୋନ୍‌ ପେ ଆପ୍‌ର ସହଯୋଗ ନେଉଛନ୍ତି। ଭଉଣୀ ଆକାଉଣ୍ଟକୁ ଟଙ୍କା ପଠାଇ ଭାଇମାନେ ଭଉଣୀର ସାବିତ୍ରୀ ବ୍ରତ କରାଉଛନ୍ତି।

ତେବେ ବ୍ରତ ସିନା ହେଇଯିବ, ହେଲେ ଭଉଣୀମାନଙ୍କ ମନରେ ରହି ଯାଉଛି ଦୁଃଖ। ବର୍ଷକରେ ଥରେ ଏହି ମଉକାରେ ଭାଇର ପାଦ ପଡ଼ୁଥିଲା ଭଉଣୀ ଘରେ। ଭଉଣୀ ବଡ଼ ଗର୍ବରେ ସାହି ପ‌ଡ଼ିଶାଙ୍କୁ ଭାଇ ଆସିଥିବା କଥା କହି ବୁଲୁଥିଲା। ଭାଇ ଆଣିଥିବା ଶାଢ଼ିକୁ ବୁଲି ବୁଲି ଦେଖାଇ ହେଉଥିଲା। କିନ୍ତୁ ଚଳିତ ବର୍ଷ ଏହା ବନ୍ଦ। କରୋନାର ଲକ୍ଷ୍ମଣରେଖା ଡେଇଁ ଭାଇ ପହଞ୍ଚି ପାରୁନି ଭଉଣୀ ଦୁଆରେ। ସେହିଭଳି ଭଉଣୀଟିଏ ଭଲ ଶାଢ଼ି ପାଇବା ଆଶା ମଧ୍ୟ ଚଳିତ ବର୍ଷ ମରି ଯାଇଛି। ବଜାର ହାଟ ଖୋଲିଥିଲେ ହେଁ ବଡ଼ ବଡ଼ ମଲ ବା ଶାଢ଼ି ସୋ’ରୁମ୍‌ ସବୁ ବନ୍ଦ ରହିଛି। ତେଣୁ ଚଳିତ ବର୍ଷ ଭାଇ ପଇସାରେ ଭଉଣୀଟି ଭଲ ଶାଢ଼ି ପିନ୍ଧିବା ଆଶା ଆଶାରେ ରହି ଯାଇଛି।

କରୋନା ପାଇଁ ଚିନ୍ତାରେ ସାବିତ୍ରୀ…
ପୁରୁଣା ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ପାଳିତ ହେବ ସାବିତ୍ରୀ ବ୍ରତ। ପ୍ରତିବର୍ଷ ଏହି ପୂଜାରେ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ରାଜଧାନୀର ବିଭିନ୍ନ ମନ୍ଦିରରେ ସଧବା ମହିଳାମାନେ ପୂଜା କରନ୍ତି। ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଏହି ପୂଜା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। କଟକଣା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ବିଭିନ୍ନ ମନ୍ଦିରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଛି। ଆସନ୍ତା ୧୭ ତାରିଖରେ ଲକ୍‌ଡାଉନ୍‌ ଅବଧି ପୂରିବ। ଏହାପରେ ମନ୍ଦିରକୁ ପ୍ରବେଶ କଟକଣା ହଟିଲେ ହିଁ ମହିଳାମାନେ ମନ୍ଦିରରେ ସାବିତ୍ରୀ ବ୍ରତ କରିପାରିବେ। ନହେଲେ ମହିଳାମାନେ କିପରି ପୂଜା କରିବେ, ତାହା ଚିନ୍ତାର ବିଷୟ ହୋଇଛି। ଲକ୍‌ଡାଉନ୍‌ ହଟିଲେ ମଧ୍ୟ ମନ୍ଦିର ପ୍ରାଙ୍ଗଣରେ ଯେ ସାବିତ୍ରୀ ପୂଜାର ସୁଯୋଗ ମିଳିବ, ସେଥିରେ ବି ଗ୍ୟାରେଣ୍ଟି ନାହିଁ। ସମ୍ଭବତଃ ସାବିତ୍ରୀ ବ୍ରତ ପୂଜା ଏଥର ଘର ମଧ୍ୟରେ ସୀମିତ ରହିବ ବୋଲି ଅନୁମାନ କରାଯାଉଛି।

ପୂଜା ସାମଗ୍ରୀ ମିଳିବା କଷ୍ଟକର
ଏହି ପୂଜା ପୂର୍ବରୁ ମହିଳାମାନେ ନୂଆ ଶାଢ଼ି ସହ ପୂଜା ସମାଗ୍ରୀ କିଣିଥାନ୍ତି। ସେହିପରି ବିଭିନ୍ନ ମହିଳାଙ୍କ ବାପଘରୁ ଭାର ମଧ୍ୟ ଆସେ। ଚଳିତ ବର୍ଷ କିନ୍ତୁ ମୋଟାମୋଟି ଏହା ସମ୍ଭବ ହେବ ନାହିଁ। ବିଭିନ୍ନ ଦୋକାନ ବନ୍ଦ ଥିବା ସହ ପୂଜା ସାମଗ୍ରୀ ମଧ୍ୟ ମିଳିବା କଷ୍ଟକର ହୋଇପଡ଼ିବ।
ଅଞ୍ଜନା ଦାଶ, ରାଧାକୃଷ୍ଣ ନଗର

ଘରେ ରହି ପୂଜା କରିବୁ
ଆମେ କରୋନା ପରି ଯୁଦ୍ଧରେ ଯଦି ବଞ୍ଚିଯିବା, ତେବେ ଜୀବନରେ ବହୁବାର ସାବିତ୍ରୀ ପୂଜା କରିପାରିବା। ଚଳିତ ବର୍ଷ ଏହି ରୋଗରୁ ଦୂରେଇ ରହିବା ବଡ଼ ପୂଜା ବୋଲି ମୁଁ ଭାବୁଛି। ତେବେ ଘରେ ରହି ପୂଜା କରିବୁ ବୋଲି ନିଷ୍ପତ୍ତି ନେଇଛୁ।
ମୀନା ସାହୁ, ଦର୍ଜି ସାହି

ପରମ୍ପରା ଭାଙ୍ଗିବା ଆଶଙ୍କା
ଯଦି ସାବିତ୍ରୀ ସମୟରେ ଲକ୍‌ଡାଉନ୍‌ ରହିଥାଏ, ତେବେ ମହିଳାମାନଙ୍କ ବାପ ଘରୁ ସାବିତ୍ରୀ ଭାର ପହଞ୍ଚିବା କ‌ଷ୍ଟ। ତେଣୁ ଦୀର୍ଘଦିନର ପରମ୍ପରା ଭାଙ୍ଗିବା ଆଶଙ୍କା ରହିଛି। ଯଦି ବି ଲକ୍‌ଡାଉନ୍ ଉଠେ, ତେବେ ସାମାଜିକ ଦୂରତା ଭଳି କଟକଣା ରହିବ। ଯାହା ଫଳରେ ମହିଳାମାନଙ୍କ ଶାଢ଼ି କିଣିବାରେ ସମସ୍ୟା ହେବ।
ପ୍ରଭାତୀ ନଳିନୀ ମହାପାତ୍ର, ବଢ଼େଇବାଙ୍କ ଛକ

ଘରେ ପୂଜା କରି ବ୍ରତ ପାଳନ କରିବେ
ମହିଳାମାନେ ସ୍ବାମୀଙ୍କ ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ କରନ୍ତି। ତେବେ ମନ୍ଦିରକୁ ବାରଣ କରାଗଲେ ବ୍ରାହ୍ମଣ ଡକାଇ ଘରେ ପୂଜା କରାଯାଇ ପାରିବ। ମାତ୍ର ତାହା ହୋଇ ନ ପାରିଲେ ମହିଳାମାନେ ନିଜେ ଘରେ ପୂଜା କରି ଏହି ବ୍ରତ ପାଳନ କରିବେ।
ଗୋପୀନାଥ କର, ବରିଷ୍ଠ ପୂଜକ, ତୀର୍ଥେଶ୍ବର ମନ୍ଦିର

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେବ
ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଚ ୨୦ ତାରିଖରୁ ମନ୍ଦିର ପ୍ରବେଶ ଓ ଦିଅଁ ଦର୍ଶନକୁ ବାରଣ କରାଯାଇଛି। ଯଦି ଲକ୍‌ଡାଉନ୍ ଅବଧି ବଢ଼େ ତେବେ ମନ୍ଦିର ପ୍ରବେଶ କଟକଣା ମଧ୍ୟ ରହିବ। ଏନେଇ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ସେଇ ଅନୁଯାୟୀ କାର୍ଯ୍ୟ କରାଯିବ।
ପ୍ରସନ୍ନ କୁମାର ଦାଶ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ

ସାମାଜିକ ଦୂରତା କଟକଣା ରହିବ
ମହିଳାମାନେ ଏହି ସମୟରେ ନୂଆ ଶାଢ଼ି ସହ ପୁଜା ସମାଗ୍ରୀ କିଣିଥାନ୍ତି। ଯଦି ବି ଲକ୍‌ଡାଉନ୍ ଉଠେ ତେବେ ବି ସାମାଜିକ ଦୂରତା କଟକଣା ରହିବ। ଶାଢ଼ି ଓ ଅନ୍ୟ ଦୋକାନରେ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ନିଷ୍ପତ୍ତି ନେବ। ଲକ୍‌ଡାଉନ୍ ଅବଧି ବଢ଼ିଲେ କିଣାବିକା ଓ ବିଭିନ୍ନ ମନ୍ଦିରରେ କଟକଣା ଜାରିରହିବ। ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ।
ଅବନୀକାନ୍ତ ପଟ୍ଟନାୟକ, ବିଏମ୍‌ସି ଅତିରିକ୍ତ କମିସର

ସମ୍ବନ୍ଧିତ ଖବର