ଭୁବନେଶ୍ୱର: ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକର ବାଲିପାଟଣା ଓ ବନମାଳିପୁର ଅଞ୍ଚଳ ପରିଦର୍ଶନ କରି ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ସଚିବ ଶ୍ରୀ ସିଂ ପ୍ରଥମେ କୁଶଭଦ୍ରା ନଦୀରେ ନିର୍ମିତ ହାଇଲେଭଲ୍ ସେତୁ ପରିଦର୍ଶନ କରିଥିଲେ। ଶିଶୁ ଅନନ୍ତ ପୀଠଠାରୁ ଜୟଦେବ ପୀଠକୁ ସଂଯୋଗ କରୁଥିବା ଏହି ହାଇଲେଭଲ ସେତୁ ୩୭କୋଟି ୨୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି।
ଏହି ସେତୁ ନିର୍ମାଣ ସରିଥିବା ବେଳେ ଏହାର ସଂଯୋଗୀକରଣ ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି। ଏହି ସେତୁ ଫଳରେ ସ୍ଥାନୀୟ ଗାରେଡ଼ିପାଞ୍ଚଣ, ଅଠାନ୍ତର, ପମ୍ପାଲୋ, ଜୟଦେବ, ପ୍ରତାପରୁଦ୍ରପୁର ଆଦି ୪ଟି ପଞ୍ଚାୟତର ପ୍ରାୟ ୧୮ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଉପକୃତ ହେଉଛନ୍ତି। ସେହିପରି ଶ୍ରୀ ସିଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୬କୋଟି ୧ଲକ୍ଷ ଟଙ୍କା ବ୍ୟୟରେ ଉନ୍ନତୀକରଣ କରାଯାଉଥିବା ଚଣାହାଟ-ରାଜସ ରାସ୍ତା ଏବଂ ୫ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ବନମାଳିପୁର-ବଳଙ୍ଗା ରାସ୍ତା ଉନ୍ନତୀକରଣ କାର୍ଯ୍ୟର ତଦାରଖ କରିଛନ୍ତି। ଏହି ଗସ୍ତ ସମୟରେ ପୂର୍ତ୍ତ ସଚିବ ପ୍ରଦୀପ କୁମାର ସାମଲ, ମୁଖ୍ୟଯନ୍ତ୍ରୀ(ସେତୁ ଓ ବିଲ୍ଡିଂ) ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ଯନ୍ତ୍ରୀ (ଯୋଜନା ଓ ରାସ୍ତା ନିର୍ମାଣ) ସଂଜୀବ ମହାନ୍ତି, ମୁଖ୍ୟ ନିର୍ମାଣ ଯନ୍ତ୍ରୀ (କେନ୍ଦ୍ରୀୟ ଗ୍ରାମ୍ୟ ନିର୍ମାଣ ସର୍କଲ) ସତ୍ୟବ୍ରତ ବେହେରା ଓ ଅଧୀକ୍ଷଣ ଯନ୍ତ୍ରୀ(ପୂର୍ତ୍ତ) ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଧ୍ୟାନ ସମୟରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ବିଭାଗର ଯନ୍ତ୍ରୀମାନଙ୍କ ସହ ନିର୍ମାଣ କାର୍ଯ୍ୟରେ ଗୁଣବତ୍ତା ବଜାୟ ରଖିବା, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବା, ଆବଶ୍ୟକ ସ୍ଥାନରେ ଗାର୍ଡଓ୍ୱାଲ ନିର୍ମାଣ ଆଦି ସଂପର୍କରେ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ସିଂ ବାଲିପାଟଣାର ପ୍ରସିଦ୍ଧ ଶିଶୁ ଅନନ୍ତ ପୀଠ ପରିଦର୍ଶନ କରିଥିଲେ। ସେଠାରେ ଶିଶୁ ଅନନ୍ତ ପୀଠର ମହିମା ସଂପର୍କରେ ପୀଠର ସଂପାଦିକା ତନୟା ଦାସ ଗୋସ୍ୱାମୀଙ୍କଠାରୁ ବିଶେଷ ଭାବେ ଅବଗତ ହୋଇଥିଲେ। ଏହି ଅବସରରେ ସଂପାଦିକା ତନୟା ଦାସ ଗୋସ୍ୱାମୀ ପ୍ରମୁଖ ଶାସନ ସଚିବଙ୍କ ସହ ପୀଠର ଉନ୍ନତୀକରଣ କରିବାକୁ ଅନୁରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/65fs4h65sf4h65fh4sf65h.jpg)