କାହା ସ୍ୱାର୍ଥରେ ସ୍ବଚ୍ଛ ଭାରତ ଅଭିଯାନ ସେଲ୍‌ ସେଲ୍‌ : ସଫେଇ ସଂସ୍ଥାଙ୍କ ଟଙ୍କାରେ ବିଏମ୍‌ସି ବାବୁ ଖେଳୁଛନ୍ତି

ଏସ୍‌ବିଏ ସେଲ୍‌ ପାଲଟିଛି ଥଇଥାନ କେନ୍ଦ୍ର
ସ୍ୱଚ୍ଛ ଭାରତ ଅଭିଯାନରେ ଭୁବନେଶ୍ୱର ର‍୍ୟାଙ୍କ ଖସୁଛି
୫ବର୍ଷରେ ଗୋଟିଏ ବି ଅଭିନବ ପଦକ୍ଷେପ ନେଇପାରିଲାନି ସେଲ୍‌

ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ପରିମଳ ବ୍ୟବସ୍ଥା ନେଇ ସଚେତନ କରାଯିବ, ଅଳିଆ ଗାଡ଼ି ଓ ଡଷ୍ଟବିନରେ ଜିପିଆର୍ଏସ୍‌ ଲାଗିବ, ସଫେଇ ବ୍ୟବସ୍ଥା ଉପରେ ଟିକିନିଖି ନଜର ରଖାଯିବ। ଏଥିପାଇଁ ବିଏମ୍‌ସି ସିଟି ସାନିଟେସନ୍ ସେଲ୍‌ ଗଠନ କରିଥିଲା। ଦିନ କେଇଟାରେ ଏହା ଏସ୍‌ବିଏ ସେଲ୍‌ (ସ୍ବଚ୍ଛ ଭାରତ ଅଭିଯାନ ସେଲ୍‌ ) ପାଲଟିଗଲା। ଏହି ଏସ୍‌ବିଏ ସେଲ୍‌ କାର୍ଯ୍ୟକାରୀ କରିବା ପାଇଁ ବିଏମ୍‌ସି ନିଜେ ଅର୍ଥ ଖର୍ଚ୍ଚ କଲାନି, ବରଂ ସଫେଇ ସଂସ୍ଥାଙ୍କ ପ୍ରାପ୍ୟରୁ ୪% ଲେଖାଏଁ କାଟିଲା। ମାସକୁ ପ୍ରାୟ ୧୬ ଲକ୍ଷ ଟଙ୍କା ଏମିତି ବିଏମ୍‌ସି କାଟିକି ରଖୁଛି। ୬ ବର୍ଷରେ ପ୍ରାୟ ୧୧ କୋଟି ୫୨ଲକ୍ଷ ଟଙ୍କା କାଟିକି ରଖିଛି। କିନ୍ତୁ ଏହି ଅର୍ଥକୁ ଯେଉଁ ଦିଗରେ ଖର୍ଚ୍ଚ କରିବା କଥା କରାଯାଉନି। ଫଳରେ ଅନ୍ୟ ସହର ତୁଳନାରେ ସଫା, ପରିଷ୍କାର ଦେଖାଯାଉଥିବା ଭୁବନେଶ୍ବରକୁ ପ୍ରତିଯୋଗିତାରେ ଭଲ ରୢାଙ୍କ ମିଳୁନି।

ଆଶ୍ଚର୍ଯ୍ୟର ବିଷୟ, ସାରା ରାଜ୍ୟରେ କୌଣସି ମହାନଗର ନିଗମ କି ମ୍ୟୁନିସିପାଲିଟିରେ ଏସ୍‌ବିଏ ସେଲ୍‌ ନଥିବା ବେଳେ ଭୁବନେଶ୍ବରରେ କେବଳ ଏହି ସେଲ୍‌ ଅଛି। ଏହି ସେଲ୍‌ ସଫେଇ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା, ସଫେଇ ବ୍ୟବସ୍ଥା ଉପରେ ନଜର ରଖିବା ଏବଂ ଲୋକଙ୍କୁ ସଚେତନ କରିବା ପାଇଁ ଗଠନ ହୋଇଥିଲା। କିନ୍ତୁ ଏସ୍‌ବିଏ ସେଲ୍‌ ଏହି କାମ କମ୍‌ କରୁଛି, ବିଏମ୍‌ସିରେ ଅନ୍ୟ କାମ ଅଧିକ କରୁଛି। ବିଏମ୍‌ସି ନିଜ କାମ କରୁଥିଲେ ହେଁ ଘରୋଇ ସଂସ୍ଥାଙ୍କ ପ୍ରାପ୍ୟରୁ କାଟି ଦରମା ଦେଉଛି। ଏପଟେ ସଫେଇ ସଂସ୍ଥାଙ୍କର କ’ଣ ଦୋଷ ଦୁର୍ବଳତା ରହୁଛି କେଜାଣି ନିଜ ପ୍ରାପ୍ୟରୁ ମାସକୁ ଲକ୍ଷାଧିକ ଟଙ୍କା ବେଆଇନ ଭାବେ କଟା ଯାଉଥିଲେ ବି ପାଟି ଫିଟାଇବାକୁ ଡରୁଛନ୍ତି। ଯାହାର ଫାଇଦା ବିଏମ୍‌ସି ୬ବର୍ଷ ହେଲା ଉଠାଇ ଆସୁଛି।

ସ୍ବଚ୍ଛ ସର୍ଭେକ୍ଷଣ ପ୍ରତିଯୋଗିତା ୫ ବର୍ଷ ହେଲା ହେଉଥିବା ବେଳେ ପ୍ରତିବର୍ଷ ଅଭିନବ ପଦକ୍ଷେପ ନେଉଥିବା ପୌରସଂସ୍ଥାକୁ ଭଲ ମାର୍କ ମିଳୁଛି। ଫଳରେ ପୌରସଂସ୍ଥା ଏକସଙ୍ଗେ ୧୦୦ରୁ ୨୦୦ ରୢାଙ୍କ ଉପରକୁ ଲମ୍ଫ ମାରୁଛନ୍ତି। ବ୍ରହ୍ମପୁର ମହାନଗର ନିଗମ ଚଳିତବର୍ଷ ଏହି ସମ୍ମାନ ପାଇଛି। ସେଠାରେ ‌ଏସ୍‌ବିଏ ସେଲ୍‌ ନାହିଁ। କିନ୍ତୁ ରାଜ୍ୟର ଏକମାତ୍ର ଏସ୍‌ବିଏ ସେଲ୍‌ ଥିବା ଭୁବନେଶ୍ବର ମହାନଗର ନିଗମ ୫ ବର୍ଷରେ ଗୋଟିଏ ବି ଅଭିନବ ପଦକ୍ଷେପ ଗ୍ରହଣ କରିପାରିଲାନି। ମାସକୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ସେଲ୍‌ କ’ଣ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଭିନ୍ନ ଓ ଅଭିନବ ପଦକ୍ଷେପ ନେଇପାରିଲାନି, ଯାହା ବିଏମ୍‌ସିକୁ ଉଚ୍ଚପ୍ରଶଂସିତ କରିପାରଥା’ନ୍ତା। ଏହି ପ୍ରଶ୍ନ ଏବେ ଉଠିଲାଣି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସେଲ୍‌ ଗଠନ ହେବା ଦିନରୁ ହିଁ ବିବାଦ ଆରମ୍ଭ ହୋଇଛି। ୨୦୧୪ ଜୁଲାଇ ମାସରୁ ବିଏମ୍‌ସି ଏହି ସେଲ୍‌ ଗଠନ କରି ସଫେଇ ସଂସ୍ଥାଙ୍କଠାରୁ ଅର୍ଥ କାଟୁଛି। ଜୁନ୍‌, ୨୦୧୪ରେ ସଫେଇ ସଂସ୍ଥାଗୁଡ଼ିକ ବିଭିନ୍ନ ୱାର୍ଡ ସଫା କରିବା ପାଇଁ ଟେଣ୍ଡର ପାଇଥିଲେ। କିନ୍ତୁ ଠିକ୍‌ ପର ମାସରେ ତତ୍କାଳୀନ ବିଏମ୍‌ସି କମିସନର କହିଲେ ଯେ ତୁମେ ଲୋକଙ୍କ ଅଭିଯୋଗ ରଖୁନ, ଲୋକଙ୍କୁ ସଚେତନ କରୁନ, ଗାଡ଼ିରେ ଜିପିଏସ୍‌ ଲଗାଉନ, କଣ୍ଟ୍ରୋଲ ରୁମ୍‌ ଖୋଲୁନ। ତେଣୁ ବିଏମ୍‌ସି ଏହି କାମ କରିବ। ଆଉ ଏଥିପାଇଁ ତୁମେ ଅର୍ଥ ଦେବ। ଯେଉଁଠି କମିସନର ଅର୍ଥ କାଟିବାକୁ କହୁଛନ୍ତି, ସେଠାରେ କିଏ ବିରୋଧ କରିବ? ହେଲେ କେହି ସହମତି ଦେଇନାହାନ୍ତି। ଏସ୍‌ବିଏ ସେଲ୍‌ ଗଠନ ପାଇଁ କୌଣସି ସଫେଇ ସଂସ୍ଥାଙ୍କର ଅନୁମତି ନିଆଯାଇନି। ଜୋର୍ ଜବରଦସ୍ତି ୪% ଲେଖାଏଁ କଟା ଯାଉଛି। ପ୍ରଥମରୁ ହିଁ ଏଠାରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଚିହ୍ନାପରିଚିତ ଲୋକଙ୍କୁ ଚାକିରି ଦିଆଚାଲିଛି। କାଳେ କିଏ ଏନେଇ ପ୍ରଶ୍ନ ଉଠାଇବ, ସେଥିପାଇଁ ଚତୁରତାର ସହ ପିଏମ୍‌ଆର୍ ସଫେଇ ସଂସ୍ଥାକୁ ନିଯୁକ୍ତିଦାତା ଏଜେନ୍ସି କରି ଦିଆଯାଇଛି। ଏହି ସଂସ୍ଥା ନିଯୁକ୍ତି ଦେଉଛି ଓ ଦରମା ବି ଦେଉଛି। ସଂସ୍ଥା ନିଯୁକ୍ତି ଦେଉଛି କିନ୍ତୁ କିଏ ଚାକିରି ପାଇଲା, କ’ଣ ଯୋଗ୍ୟତା, କ’ଣ କାମ କରିବେ, କେତେ ଟଙ୍କା ‌ଦରମା ପାଇବେ, ତାହା ସଂସ୍ଥା ଜାଣୁନି। ବିଏମ୍‌ସିର ଯେଉଁ ଅନୁଯାୟୀ ତାଲିକା ଯାଉଛି, ସେହି ଅନୁଯାୟୀ ଦରମା ଦେଇଦେଉଛି। ଏପଟେ ବିଏମ୍‌ସି ସଫେଇ ସଂସ୍ଥାଙ୍କଠାରୁ କାଟୁଥିବା ଟଙ୍କା ଏହି ସଂସ୍ଥା ଆକାଉଣ୍ଟକୁ ଦେଉଛି। ସେଠାରୁ ଦରମା ଆସୁଛି। ଏହି ସଂସ୍ଥା ବର୍ଷକୁ କୋଟିଏରୁ ଅଧିକ ଟଙ୍କା ବିଏମ୍‌ସିରୁ ନେଉଥିବା ବେଳେ କୋଟିଏରୁ ଅଧିକ ଟଙ୍କା କର୍ମଚାରୀଙ୍କୁ ଦେଉଛି। ହେଲେ ଏଥିପାଇଁ କୌଣସି ଟେଣ୍ଡର୍‌ କି ବିଧିବଦ୍ଧ ଅନୁମତି ନିଆଯାଇନି। କାଳେ ଭଲ ସଫା କରୁନ କହି ବିଏମ୍‌ସି ଅଧିକ ଜରିମାନା କାଟିଦେବ କି କୌଣସି ଉପାୟରେ ହଇରାଣ କରିବ, ସେଥିପାଇଁ ସବୁ ପ୍ରକାରର ଅନିୟମିତତା ହେଉଥିବା ଜାଣିବା ସତ୍ତ୍ବେ ବି ତିନି ସଫେଇ ସଂସ୍ଥା ପାଟି ଫିଟାଉ ନାହାନ୍ତି।

କେବଳ ଏତିକି ନୁହେଁ, ଏହି ଏସ୍‌ବିଏ ସେଲରେ ଯେତିକି କର୍ମଚାରୀ ଅଛନ୍ତି, ସେଥିରୁ ଅଧିକାଂଶ ଥଇଥାନ ହୋଇଛନ୍ତି। ଅର୍ଥାତ୍‌, ବାବୁମାନେ ନିଜ ଚିହ୍ନା ପରିଚିତ, ବିଭିନ୍ନ ନେତା ମନ୍ତ୍ରୀ, ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଖୁସି କରିବାକୁ ଏଠାରେ ଥଇଥାନ କରିଦେଇଛନ୍ତି। କିନ୍ତୁ ୫୦ରୁ ଅଧିକ କର୍ମଚାରୀ ଥିବା ଏହି ସେଲ୍‌ ସଫେଇ ବ୍ୟବସ୍ଥାକୁ କମ୍‌ ଗୁରୁତ୍ବ ଦିଏ ଓ ଅନ୍ୟ କାମ ଅଧିକ କରେ। ଯେମିତି ଅଧିକାଂଶ ବାବୁମାନଙ୍କ ପାଖରେ ଗୋଟିଏ ଲେଖା‌ଏଁ ଡାଟା ଏଣ୍ଟ୍ରି ଅପରେଟର୍‌, ପରାମର୍ଶଦାତାଙ୍କଠାରୁ ଆରମ୍ଭ କରି ଭିନ୍ନଭିନ୍ନ ପଦବିରେ ଏହି କର୍ମଚାରୀମାନେ ଅଛନ୍ତି। ଏଠାରେ କର୍ମଚାରୀଙ୍କୁ ୬ ହଜାରରୁ ଆରମ୍ଭ କରି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଦରମା ବି ଦିଆଯାଉଛି। ହେଲେ ଭୁବନେଶ୍ବରକୁ କିପରି ଜାତୀୟ ସ୍ତରରେ ପ୍ରଶଂସା ମିଳିବ, ସ୍ବଚ୍ଛ ସର୍ବେକ୍ଷଣରେ ଭଲ ରୢାଙ୍କ ମିଳିବ ସେନେଇ ଏସ୍‌ବିଏ ସେଲ୍‌ କାମ କରିପାରୁନି।

ବିଏ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ଏସ୍‌ବିଏ ସେଲ୍‌ ଆରମ୍ଭରୁ ଯେତିକି କର୍ମଚାରୀଙ୍କୁ ରଖି କାମ କରିବ ବୋଲି ଯୋଜନା ହୋଇଥିଲା, ଏବେ ତାହାଠାରୁ ଅଧିକ କର୍ମଚାରୀ ରହିଛନ୍ତି। ଏଥିରେ ବିଭିନ୍ନ ବିଭାଗରେ ଡାଟାଏଣ୍ଟ୍ରି ଅପରେଟର ଅଛନ୍ତି ଏବଂ ଅନ୍ୟ କିଛି କାମ କରୁଛନ୍ତି। କାରଣ ବିଏମ୍‌ସିରେ ଗତ କିଛି ବର୍ଷ ମଧ୍ୟରେ ଯେତିକି କର୍ମଚାରୀ ଅବସର ନେଲେଣି, ସେହି ଅନୁଯାୟୀ ପଦ ପୂରଣ ହେଉନି। ତେଣୁ କାମ କରିବାକୁ କର୍ମଚାରୀ ରଖାଯାଉଛି। ଏବେ ବିଏମ୍‌ସିର କାମ ବଢ଼ିଥିବାରୁ ଅଧିକ କର୍ମଚାରୀ ଆବଶ୍ୟକ ହେଉଛି। ତେଣୁ ଏସ୍‌ବିଏ ସେଲ୍‌ ମାଧ୍ୟମରେ କର୍ମଚାରୀ ରଖିବାର ସ୍କୋପ୍‌ ଥିବାରୁ ରଖାଯାଉଛି। ସମସ୍ତେ କିନ୍ତୁ ସେମାନଙ୍କ ପଦବି ଅନୁଯାୟୀ କାମ ଜାଣିଛନ୍ତି। ସେମାନେ ଏବେ ବହୁତ କାମ କରୁଛନ୍ତି। ସୂଚନାଯୋଗ୍ୟ, ସଫେଇ ବ୍ୟବସ୍ଥା ଅନୁଧ୍ୟାନ କରିବାକୁ ଏସ୍‌ବିଏ ସେଲ୍‌ ଗଠନ ହୋଇଥିଲେ ହେଁ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ କାମ କରୁଛନ୍ତି, ପ୍ରତି ୱାର୍ଡରେ ସାନିଟାରି ଇନ୍ସପେକ୍ଟର ଅଛନ୍ତି, ବିଏମ୍‌ସି ଇଞ୍ଜିନିୟରିଂ ବିଭାଗ ଯାନ୍ତ୍ରିକ ସଫେଇ, କମ୍ପୋଷ୍ଟ ପ୍ଲାଣ୍ଟ କଥା ବୁଝୁଛି। ତେବେ ଏସ୍‌ବିଏ ସେଲ୍‌ କ’ଣ କରୁଛି।

ସମ୍ବନ୍ଧିତ ଖବର