ଜାତୀୟ ଅନୁସୂଚିତ ଜାତି ଆୟୋଗ ସଦସ୍ୟଙ୍କ କ୍ୟାମ୍ପକୋର୍ଟ

ଭୁବନେଶ୍ବର : ଜାତୀୟ ଅନୁସୂଚିତ ଜାତି ଆୟୋଗ ସଦସ୍ୟ ଡ. ଯୋଗେଶ ପାଶ୍ୱାନ୍‌ ଭୁବନେଶ୍ବର ରାଜ୍ୟ ଅତିଥି ଭବନରେ ଏକ କ୍ୟାମ୍ପକୋର୍ଟରେ ଯୋଗ ଦେଇଛନ୍ତି। ଏଠାରେ ୫ଟି ପୁରୁଣା ମାମଲାର ଶୁଣାଣି ହୋଇଥିବା ବେଳେ ୫ଟି ନୂଆ ଅଭିଯୋଗ ପଞ୍ଜୀକୃତ ହୋଇଛି। ଶୁଣାଣିରେ‌ ଦୁଇଟି ମାମଲାକୁ ସଦସ୍ୟ ଗୁରୁତର ସହ ନେଇଛନ୍ତି। ବାଙ୍କୀ ଘୋଡ଼ାବରରେ ହୋଇଥିବା ବୋମାମାଡ଼ ଘଟଣାରେ ଦୁଇଜଣ ଅନୁସୂଚିତ ଜାତି ବର୍ଗର ଯୁବକଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‌ ହାଲ୍‌କା ଭାବରେ ନେଉଥିବାରୁ ସଦସ୍ୟ କ୍ଷୁବ୍ଧ ହୋଇଛନ୍ତି। ୧୪ ଜଣ ଆସି ବୋମାମାଡ଼ କରିଥିଲେ ମଧ୍ୟ ଘର ଭିତରେ ବୋମା ତିଆରି ଚାଲିଥିଲା ଫୁଟିଗଲା ବୋଲି ପୁଲିସ୍‌ ରିପୋର୍ଟ ଦେଇ ବସି ଯାଇଛି। ସଦସ୍ୟଙ୍କୁ ଅଭିଯୋଗ ହେବା ପରେ ଏହି ମାମଲାର ପୁଣି ଥରେ ତଦନ୍ତ କରିବା ପାଇଁ ବାଙ୍କୀ ପୁଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ନୟାପଲ୍ଲୀ ଥାନା ଅଧୀନରେ ଦୁଇ ଭଉଣୀଙ୍କୁ ଘରେ ପଶି ପୁଲିସ୍‌ ପିଟିବା ମାମଲାରେ ଅଭିଯୋଗକାରିଣୀଙ୍କୁ ପୁଲିସ୍‌ କୋର୍ଟ ଚାଲାଣ କରିଥିବା ବେଳେ ଅଭିଯୋଗକାରୀଣୀଙ୍କ ଅଭିଯୋଗକୁ ଆଧାର କରି ହୋଇଥିବା ମାମଲାର ତଦନ୍ତ ହେଉନାହିଁ। ତତ୍‌କାଳୀନ ଥାନା ଇନ୍‌ସ୍‌ପେକ୍ଟରଙ୍କ ବିରୋଧରେ ମାମଲା ଥିବାରୁ ଏହାକୁ ତଦନ୍ତ କରୁଥିବା ଅଧିକାରୀ ଜାଣି ଜାଣି ବିଳମ୍ବ କରୁଥିବା ଅଭିଯୋଗ ହୋଇଛି। କମିସନ୍‌ ସଦସ୍ୟ ଏହା ଜାଣିବା ପରେ ଗୁରୁତର ସହ ନେଇଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରାଯିବ ବୋଲି ଜଣାପଡ଼ିଛି। ତେବେ ଏହି ମାମଲାରେ ଅଧିକାରୀଙ୍କୁ ସ୍ଥାନାନ୍ତର ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହା ଛଡ଼ା ଅନ୍ୟ ମାମଲାଗୁଡ଼ିକରେ ଖିଲାପି ପୁଲିସ୍‌ ଅଧିକାରୀଙ୍କ ଉପରେ ସଦସ୍ୟ ବର୍ଷିଛନ୍ତି। ତାଙ୍କ ସହିତ ଏଡିଜି (ଏଚ୍‌ଆରପିସି) ମହେନ୍ଦ୍ର ପ୍ରତାପ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର