ତଦନ୍ତ କଲେ, କାର୍ଯ୍ୟାନୁଷ୍ଠାନ ପାଇଁ ଭୁଲିଗଲେ

କ୍ୟାପିଟାଲ ହସ୍ପିଟାଲରେ ଔଷଧ କିଣାରେ କେଳେଙ୍କାରୀ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଔଷଧ କିଣାରେ ଲକ୍ଷାଧିକ ଟଙ୍କାର କେଳେଙ୍କାରୀ ହୋଇଥିବା ଖବର ପଦାକୁ ଆସିଲା। ଏଥିରୁ ସମସ୍ତଙ୍କ ନଜର ହଟାଇବା ଲାଗି ତରବରିଆ ଭାବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ନିର୍ଦେଶ ଦିଆଗଲା। ସ୍ୱାସ୍ଥ୍ୟସେବା ନିର୍ଦେଶାଳୟର ୨ଜଣ ଅଧିକାରୀ ତଦନ୍ତ କରି ରିପୋର୍ଟ ପ୍ରଦାନ କଲେ। ରିପୋର୍ଟ ପ୍ରଦାନ କରାଯିବାର ୧ମାସରୁ ଅଧିକ ସମୟ ହେଲାଣି ଏହା ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହେଲାନାହିଁ। କେବଳ ଔଷଧ କିଣାରେ କେଳେଙ୍କାରୀ ନୁହେଁ, ହସ୍ପିଟାଲର ଇନ୍‌ଫୋସିସ୍‌-ଶିଶୁ ଓ୍ଵାର୍ଡରେ ହୋଇଥିବା କୋଟିଏରୁ ଅଧିକ ଟଙ୍କାର କେଳେଙ୍କାରୀର ତଦନ୍ତ ମଧ୍ୟ କରାଗଲା ନାହିଁ। ସମସ୍ତଙ୍କ ସହଭାଗିତାରେ ହୋଇଥିବା ବଡ଼ ଧରଣର ଏହି କେଳେଙ୍କାରୀକୁ ମିଳିମିଶି ଚାପି ଦିଆଗଲା।

କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ଔଷଧ କିଣାରେ ଲକ୍ଷାଧିକ ଟଙ୍କାର କେଳେଙ୍କାରୀ ହୋଇଥିବା ଗତ ଜାନୁଆରି ୧୧ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ହସ୍ପିଟାଲର କିଛି ତଳିଆ କର୍ମଚାରୀ ଏହି କେଳେଙ୍କାରୀରେ ସାମିଲ ଥିବା ହସ୍ପିଟାଲ କର୍ତୃପକ୍ଷ ଧରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟସେବା ନିର୍ଦେଶକ ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟସେବା ନିର୍ଦେଶାଳୟର ୨ଜଣ ଅଧିକାରୀ କ୍ୟାପିଟାଲ ହସ୍ପିଟାଲରେ ଏହାର ତଦନ୍ତ କରିଥିଲେ। ତଦନ୍ତ କରି ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ପଠାଇ ଦିଆଗଲା। ତେବେ ବିଭାଗ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବେର୍ତ ରିପୋର୍ଟକୁ ଚାପି ବସିଛି। ମାସେ ପରି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ଏହାସହ ହସ୍ପିଟାଲର ଇନଫୋସିସ୍‌-ଶିଶୁ ଓ୍ଵାର୍ଡରେ କୋଟିଏରୁ ଅଧିକ ଟଙ୍କାର କେଳେଙ୍କାରୀ ହୋଇଥିବା ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଓ୍ଵାର୍କ ଅର୍ଡରରେ ଶିଶୁ ଓ୍ଵାର୍ଡରେ ଯେଉଁ ଯେଉଁ ନବୀକରଣ କରାଯିବା କଥା ତାହା କରାଯାଇ ନ ଥିବା ନଜରକୁ ଆସିଥିଲା। ଏପରିକି କେବଳ କାନ୍ଥ ଓ ଚଟଣାରେ ରଙ୍ଗ ମାରି କୋଟିଏ ଟଙ୍କା ହଡ଼ପ କରି ନିଆଗଲା। ଏଭଳି ବଡ଼ ଧରଣର ଦୁର୍ନୀତି ଉପରେ ସ୍ୱାସ୍ଥ୍ୟ ବିଭାଗ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କଲାନାହିଁ। ଫଳରେ ହସ୍ପିଟାଲର ଉନ୍ନତୀକରଣ ପାଇଁ ଇନଫୋସିସ୍‌ ପକ୍ଷରୁ ଯେଉଁ ଆର୍ଥିକ ସହାୟତା ଦିଆଯାଇଥିଲା ତାହାକୁ କିଛି ଅସାଧୁ ବ୍ୟକ୍ତି ହଡ଼ପ କରି ନେଇଛନ୍ତି। ଏଭଳି କେଳେଙ୍କାରୀ ପଦାକୁ ଆସିବା ପରେ ହସ୍ପିଟାଲ କର୍ତୃପକ୍ଷ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିଥିଲେ। ମାତ୍ର ସଂଧ୍ୟାରେ ଏଭଳି ଆଦେଶକୁ ପୁଣିଥରେ ଫେରାଇ ନେଇଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟସେବା ନିର୍ଦେଶାଳୟର ନିର୍ଦେଶକ ଡା.ବି.କେ ବ୍ରହ୍ମାଙ୍କ କହିବାନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ନିର୍ଦେଶାଳୟ ପକ୍ଷରୁ ତଦନ୍ତ କରି ବିଭାଗକୁ ରିପୋର୍ଟ ପ୍ରଦାନ କରାଯାଇଛି। ତେବେ ସେଠାରୁ କୌଣସି ନିର୍ଦେଶ ଆସି ନ ଥିବା ଡା.ବ୍ରହ୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର