କୋଚିଂ ପାଇଁ ଟଙ୍କା ଦେଇ ହତାଶ : ଅନୁଷ୍ଠାନରେ ତାଲା, ଥାନାରେ ଏତଲା

ଭୁବନେଶ୍ୱର : ବିଭିନ୍ନ କମ୍ପିଟିଟିଭ୍‌ କୋଚିଂ ପାଇଁ ଅନୁଷ୍ଠାନ ଟଙ୍କା ନେଲା। ରାଜ୍ୟ ତଥା ରାଜ୍ୟ ବାହାରୁ ପାଖାପାଖି ଅଢେଇ ଶହ ଛାତ୍ରଛାତ୍ରୀ ପ୍ରତ୍ୟେକ ୧୦ ହଜାର ଟଙ୍କା ଦେଇ ନାମ ଲେଖାଇଲେ। ଦୁଇଦିନ କ୍ଲାସ୍‌ କରିବା ପରେ ଅନୁଷ୍ଠାନରେ ତାଲା ପକାଇ ମାଲିକ ଫେରାର ହୋଇଗଲା। ଦୀର୍ଘ ଦିନ ଦଉଡ଼ିବା ପରେ ହତାଶ ହୋଇ ଆଜି ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସହିଦ ନଗର ଥାନାରେ ଏତଲା ଦେଇଛନ୍ତି। ପାଖାପାଖି ୨୫ ଲକ୍ଷ ଟଙ୍କା ଧରି ମାଲିକ ଦୁବାଇ ଫେରାର ହୋଇଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଏହି ସଂସ୍ଥାର ଅନ୍ୟତମ ସହଯୋଗୀ ଦିବ୍ୟପ୍ରକାଶ ସାହୁଙ୍କୁ ପୁଲିସ ଆଣି ପଚରା ଉଚରା କରୁଛି। ଦିବ୍ୟପ୍ରକାଶ ମଧ୍ୟ ନିଜର ହତାଶା ଭାବ ପ୍ରକଟ କରିଛନ୍ତି। ତେବେ ପିଲାମା‌ନେ ଉଚିତ୍‌ ସମୟରେ କିଭଳି କୋଚିଂ ନେଇପାରିବେ ମୁଁ ବ୍ୟବସ୍ଥା କରିଛି। ଅନ୍ୟଏକ ଜାଗାରେ ସେମାନଙ୍କୁ କୋଚିଂ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଯେଉଁ ଅନୁଷ୍ଠାନରେ ପଢ଼ିବା ପାଇଁ ଏହି ଛାତ୍ରଛାତ୍ରୀମାନେ ନାମ ଲେଖାଇଥିଲେ ସେଠାରେ ପଢ଼ିବା ପାଇଁ ସୁଯୋଗ ପାଉନଥିବାରୁ ଅନ୍ୟ କୌଣସି ଅନାମଧେୟ ଅନୁଷ୍ଠାନରେ ପଢ଼ିବା ପାଇଁ ନ ଚାହିଁ ଟଙ୍କା ଫେରସ୍ତ ପାଇବାକୁ ଜିଦ୍‌ କରିଛନ୍ତି। ଫଳରେ ଦିବ୍ୟପ୍ରକାଶଙ୍କୁ ସହିଦ ନଗର ଥାନା ପୁଲିସ ଅଟକ ରଖି ଅନ୍ୟ ପାର୍ଟନରମାନଙ୍କୁ ଯୋଗଯୋଗ କରୁଛି।

ରାଜସ୍ଥାନର ପରେଶ କୁମାରଙ୍କ ଅଭିଯୋଗ ମୁତାବକ, ଉକ୍ତ ସଂସ୍ଥା ବ୍ୟାଙ୍କିଙ୍ଗ୍‌, ଏସ୍‌ଏସ୍‌ସି ଓ ରେଳବାଇ ପ୍ରଭୃତିରେ ଚାକିରି କରିବା ପାଇଁ ପ୍ରବେଶିକା ପରୀକ୍ଷାରେ ଭଲ କୋଚିଂ ଦେଉଥିବା ନେଇ ବିଜ୍ଞାପନ କରିଥିଲା। କେତେକ ସଫଳ ଛାତ୍ରଛାତ୍ରୀଙ୍କ ମତାମତ ସହ ଗ୍ୟାରେଣ୍ଟି ଉତ୍ତୀର୍ଣ୍ଣର ଦାବି ମଧ୍ୟ କରୁଥିଲା। ଏଥିପାଇଁ ଏଠାରେ ନାମ ଲେଖାଇବା ଉଦ୍ଦେଶ୍ୟରେ ଅନୁଷ୍ଠାନ ସହ ଯୋଗାଯୋଗ କରାଯାଇଥିଲା। ପ୍ରଥମେ ୧ ହଜାର ଟଙ୍କା (ଫେରସ୍ତଯୋଗ୍ୟ ନୁହେଁ) ପଞ୍ଜୀକରଣ ପାଇଁ ସଂସ୍ଥା ନେଇଥିଲା। ପରେ କୋର୍ସ (ବ୍ୟାଙ୍କିଙ୍ଗ୍‌)ପିଛା ୧୧ ହଜାର ଟଙ୍କା ନେଇଥିଲା‌। ୪ ମାସ ଭିତରେ ମାତ୍ର ୩ଟି କ୍ଲାସ୍‌ ହୋଇଥିଲା। ଏହାପରେ କ୍ଲାସ୍‌ ହୋଇନଥିଲା। ପୂର୍ବରୁ ସଂସ୍ଥା ଖୋଲା ଥିଲେ ମଧ୍ୟ କ୍ଲାସ୍‌ ହେଉନଥିଲା। କିନ୍ତୁ ସପ୍ତାହେ ହେଲା ସଂସ୍ଥା ବନ୍ଦ ହୋଇଯାଇଛି। କେହି ଫୋନ୍‌ ଉଠାଉ ନାହାନ୍ତି। ଏବେ ପରୀକ୍ଷା ପାଖେଇ ଆସିଲାଣି। ଆଉ କୋଚିଂର କିଛି ମୂଲ୍ୟ ନାହିଁ। ଏଭଳି ସ୍ଥିତିରେ ସଂସ୍ଥାରେ ତାଲା ପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ସହ ସହିଦନଗର ଥାନାରେ ପହଞ୍ଚିଥିବା ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ଅନୁରୂପ ଅଭିଯୋଗ କରିଛନ୍ତି। ପଚରାଉଚରା ଚାଲିଛି। ଆବଶ୍ୟକ ପଡ଼ିଲେ ମାମଲା ରୁଜୁ ହୋଇ ସମ୍ପୃକ୍ତ ଫେରାର ମାଲିକକୁ ଗିରଫ କରାଯିବ ବୋଲି ସହିଦନଗର ଥାନା ପୁଲିସ କହିଛି।

ସମ୍ବନ୍ଧିତ ଖବର