‘ଫନି’ ଟଙ୍କା ଖାଇଗଲେ, ସୂଚନା ଅଧିକାର ତଥ୍ୟରୁ ଧରାପଡ଼ିଲା ଦୁର୍ନୀତି

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ପ୍ରତାପରୁଦ୍ରପୁର ପଞ୍ଚାୟତରେ ‘ଫନି’ କ୍ଷୟକ୍ଷତି ଟଙ୍କା ହଡ଼ପ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟରୁ ଏହା ଆଜି ସ୍ପଷ୍ଟ ହେବା ପରେ ଦୁଇ ହିତାଧିକାରୀ ଏନେଇ ଖୋର୍ଧା ଜିଲ୍ଲାପାଳ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରାଗଲେ ଏକ ବଡ଼ ଦୁର୍ନୀତି ପଦାକୁ ଆସିବ ବୋଲି ଦୁହେଁ ଅଭିଯୋଗରେ ଦର୍ଶାଇଛନ୍ତି।

ସ୍ଥାନୀୟ ଜୟଦେବ ପଞ୍ଚାୟତ ଅଧୀନ ସାହେବନଗର ଗ୍ରାମର ତ୍ରିଲୋଚନ ଜେନା ନାମକ ଜଣେ ବ୍ୟକ୍ତି ଫନି କ୍ଷତିଗ୍ରସ୍ତ ଲୋକଙ୍କୁ ଘରଭଙ୍ଗା ଟଙ୍କା ବଣ୍ଟନର ତଥ୍ୟ ସୂଚନା ଅଧିକାର ଆଇନ ବଳରେ ମାଗିଥିଲେ। ତେବେ ତହସିଲ ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିବା ସୂଚନାରୁ ଏଭଳି ଦୁର୍ନୀତିର ପର୍ଦ୍ଦାଫାସ୍‌ ହୋଇଛି।

ଉକ୍ତ ରିପୋର୍ଟରେ ସିରିଏଲ ନଂ ୧ରେ ମାନସ ଭୋଇ ଏବଂ ସିରିଏଲ ନଂ ୭୧ରେ ସାଧୁ ଚରଣ ନାୟକଙ୍କୁ ୯୫ହଜାର ୧୦୦ଟଙ୍କା ଘରଭଙ୍ଗା ସହୟତା ଟଙ୍କା ପ୍ରଦାନ କରାଯାଇଥିବା ଦର୍ଶାଯାଇଛି। ହେଲେ ମାନସ ଏବଂ ସାଧୁ ଏପର୍ଯ୍ୟନ୍ତ କ୍ଷୟକ୍ଷତି ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି।

ମାନସଙ୍କ ଅଭିଯୋଗ ମୁତାବକ, ଫନିରେ ତାଙ୍କର ୨ବଖରା କଚ୍ଚା ଘର ମାଟିରେ ମିଶି ଯାଇଥିଲା। ଭିଙ୍ଗାରପୁର ରାଜସ୍ବ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯିବା ପରେ ଟଙ୍କା ପାଇବା ପାଇଁ ସେ ତହସିଲରେ ବ୍ୟାଙ୍କ ଆକାଉଣ୍ଟ, ବାସସ୍ଥାନ ପଟ୍ଟା ଏବଂ ଆଧାର ପ୍ରମାଣପତ୍ର ଦାଖଲ କରିଥିଲେ। ସେହିପରି ସାଧୁ ନାୟକ ମଧ୍ୟ ଅନୁରୂପ ଭାବେ ତାଙ୍କର ଆବଶ୍ୟକ ପ୍ରମାଣପତ୍ର ସରପଞ୍ଚଙ୍କ ମାଧ୍ୟମରେ ପ୍ରଦାନ କରିଥି‌ଲେ। ପରେ ସରକାରୀ ସହାୟତା ପାଇଁ ସେ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ିଥିଲେ ମଧ୍ୟ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସି ନଥିବା ଜଣାଇଛନ୍ତି। ଅପରପକ୍ଷରେ ସେ ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ରାଶି ୯୫ହଜାର ୧୦୦ଟଙ୍କା ପାଇଥିବା ସୂଚନା ଅଧିକାର ତଥ୍ୟରୁ ଜାଣିବାକୁ ପାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେଣୁ ଏହାର ତଦନ୍ତ କରି ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଏଥିସହ ମାନସ ଓ ସାଧୁ ଏ ସଂପର୍କିତ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି।

ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି କେବଳ ମାନସ ଓ ସାଧୁଙ୍କ କ୍ଷେତ୍ରରେ ନୁହେଁ, ଏହିଭଳି ପଞ୍ଚାୟତର ଅନେକ ଲୋକଙ୍କ ଫନି କ୍ଷୟକ୍ଷତି ଟଙ୍କା ହଡ଼ପ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ତେଣୁ ଏହାର ନିର‌‌ପେକ୍ଷ ତଦନ୍ତ କରାଗଯିବାକୁ ସାଧାରଣରେ ମତ ପ୍ରକାଶ ପାଇଚି।

ଅଭିଯୋଗ ସଂପର୍କରେ ପ୍ରତାପରୁଦ୍ରପୁର ସରପଞ୍ଚ ବାମନ ଚରଣ ଭୋଇଙ୍କୁ ପଚାରିବାରୁ ସେ କହିଛନ୍ତି, ତହସିଲ ଓ ରାଜସ୍ବ ବିଭାଗର ଅଧିକାରୀଙ୍କ ତତ୍ତ୍ବାବଧାନରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିର ପଞ୍ଚାୟତର କିଛି ଭୂମିକା ନଥିବା ସେ କହିଛନ୍ତି। ଏ ସଂପର୍କରେ ବର୍ତ୍ତମାନ କାର୍ଯ୍ୟରତ ଥିବା ତହସିଲଦାର ସୁଜାତା ମହାରଣାଙ୍କୁ ପଚାରିବାରୁ ସେ ନୂତନ ଭାବେ ତହସିଲଦାର ଦାୟିତ୍ବଭାର ନେଇଥିବା ବେଳେ କିଛି ଜାଣିନଥିବା କହିଛନ୍ତି।

ସମ୍ବନ୍ଧିତ ଖବର