ଭୁବନେଶ୍ୱର : ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥି କଲେଜ ଏଣ୍ଡ ହସ୍ପିଟାଲ୍ରେ ପରଚେଜ୍ କମିଟିର ବିନା ଅନୁମତିରେ ୩ଲକ୍ଷ ଟଙ୍କାର ଚେୟାର-ଟେବୁଲ କିଣାଗଲା। ମାତ୍ର କାହା ନିର୍ଦେଶରେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର କିଣାଗଲା ତାହାର ତଦନ୍ତ ହେଲାନାହିଁ। ବରଂ ସମସ୍ତଙ୍କ ଦୃଷ୍ଟିରୁ ହଟାଇବା ପାଇଁ ଏହାକୁ ଡେଲିଭରି ଦେଇଥିବା କମ୍ପାନିକୁ ଫେରାଇ ଦିଆଗଲା।
ସୂଚନା ଅନୁଯାୟୀ, ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ଗତବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଚେୟାର ଟେବୁଲ କିଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୩ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଥିଲା କଲେଜର ପରଚେଜ୍ କମିଟି। ଚେୟାର ଟେବୁଲ ଯୋଗାଇବା ପାଇଁ ଟେଣ୍ଡର ନେଇଥିବା କମ୍ପାନି ଜିନିଷ ଯୋଗାଇ ଦେଇଥିଲା। ମାତ୍ର ଗତବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ରାଜ୍ୟର ୪ଟି ହୋମିଓପ୍ୟାଥିକ କଲେଜରେ ଫର୍ଣ୍ଣିଚର୍ ଯୋଗାଇବା ପାଇଁ ଟେଣ୍ଡର୍ ଆହ୍ଵାନ କରାଯାଇଥିଲା। କିନ୍ତୁ ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ଏହାର ଯଥେଷ୍ଟ ପୂର୍ବରୁ ଫର୍ଣ୍ଣିଚର କିଣା ହୋଇ ସାରିଥିବା ଜଣାପଡ଼ିଥିଲା। ଏହାକୁ ନେଇ ପରେ ବିବାଦ ଦେଖା ଦେଇଥିଲା।
କଲେଜରେ ଏଭଳି ଜିନିଷର କିଣା ପାଇଁ ଆୟୁଷ ନିର୍ଦେଶାଳୟର ଅନୁମତି ନେବାର ଆବଶ୍ୟକତା ରହିଛି। ମାତ୍ର ଏଥିପାଇଁ ଅନୁମତି ନିଆଯାଇ ନାହିଁ। ଏଭଳି ଘଟଣା ନଜରକୁ ଆସିବା ପରେ ଆୟୁଷ ନିର୍ଦେଶାଳୟ ପକ୍ଷରୁ କଲେଜ ଅଧ୍ୟକ୍ଷକଙ୍କୁ ନୋଟିସ୍ ଜାରି ହୋଇଥିଲା। ନିର୍ଦେଶାଳୟରୁ ନୋଟିସ୍ ପାଇବା ପରେ କଲେଜ ଅଧ୍ୟକ୍ଷ ବାଧ୍ୟହୋଇ ପରଚେଜ୍ କମିଟିର ମୁଖ୍ୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ପରବର୍ତୀ ସମୟରେ କଲେଜ କର୍ତୃପକ୍ଷ ଏହାର ଜବାବ ରଖିଥିବା ଜଣାପଡ଼ିଛି।
ଏ ସଂପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବେଆଇନ ଭାବେ କିଣା ହୋଇଥିବା ଏହି ଚେୟାର-ଟେବୁଲକୁ ସଂପୃକ୍ତ କମ୍ପାନିକୁ ଫେରାଇ ଦିଆଯାଇଥିବା ଜଣାପଡ଼ିଛି। ତେବେ ଏହି ଜିନିଷପତ୍ର କିଣା ପଛରେ କେଉଁମାନେ ସଂପୃକ୍ତ ଓ ସେମାନଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହାକୁ ନେଇ କଲେଜ କର୍ତୃପକ୍ଷ ଓ ନିର୍ଦେଶାଳୟକୁ ଅଡ଼ୁଆରେ ପକାଇଛି।
ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥି ମେଡିକଲ କଲେଜର ଅଧ୍ୟକ୍ଷ ଡା.ସୁଧୀର କୁମାର ଦାଶ କହିଛନ୍ତି, ସେ ଅଧ୍ୟକ୍ଷ ହେବା ପୂର୍ବରୁ ଏହି ଚେୟାର-ଟେବୁଲ କିଣାଯାଇଥିଲା। ତେବେ ଏହାର କିଣାରେ ବିବାଦ ହେବାରୁ ଏହାକୁ ବାତିଲ କରି ଦିଆଯାଇଥିଲା। ସଂପୃକ୍ତ କମ୍ପାନି ନିଜର ଜିନିଷ ଫେରାଇ ନେଇଥିଲା। ପରେ ଏଥିପାଇଁ ସ୍ୱତନ୍ତ୍ରଭାବେ ଟେଣ୍ଡର୍ କରାଯିବା ସହିତ ଜିନିଷ କିଣାଯାଇଥିଲା। ତେବେ ବେଆଇନ କିଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ପ୍ରଶ୍ନକୁ ଶ୍ରୀ ଦାଶ ଏଡ଼ାଇ ଯାଇଥିଲେ।