ସାମ୍ନାକୁ ଆସିଲା ଅସାଧୁ ରାସନ୍‌ ଡିଲର୍‌ଙ୍କ ଆଉ ଏକ କେଳେଙ୍କାରୀ: ଲେଖୁଛନ୍ତି ୨୦, ଦେଉଛନ୍ତି ୧୦

‘ସମ୍ବାଦ’ର ସହାୟତା ଲୋଡ଼ିଲେ ହିତାଧିକାରୀ, ଯୋଗାଣ ବିଭାଗ ନିଦାବିଷ୍ଣୁ

ଭୁବନେଶ୍ୱର : ୪ ହିତାଧିକାରୀଙ୍କ ବାବଦକୁ ୨୦ କେଜି ରାସନ୍‌ ସାମଗ୍ରୀ ଦିଆଯାଉଛି ବୋଲି ଖାତାରେ ସ୍ପଷ୍ଟ ଉଲ୍ଲେଖ କରୁଛନ୍ତି। କିନ୍ତୁ ଦେଲା ବେଳକୁ ମାତ୍ର ୨ ଜଣଙ୍କ ହିସାବ କରି ୧୦ କେଜି ଦେଉଛନ୍ତି। ଅଭିଯୋଗ କଲେ, ରାସନ୍‌ରୁ ଅନ୍ୟ ହିତାଧିକାରୀଙ୍କ ନାମ କଟି ଯାଇଛି ବୋଲି କହୁଛନ୍ତି। ଏମିତି ବର୍ଷବର୍ଷ ଧରି ଗରିବ, ଖଟିଖିଆଙ୍କ କୋଟା ରାସନ୍‌ ସାମଗ୍ରୀ ହଡ଼ପ କରି ଆସୁଛନ୍ତି ଡିଲର୍‌। ବିଏମ୍‌ସିର ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ଭିଏସ୍‌ଏସ୍‌ନଗର ଡିଲର୍‌ଙ୍କ ଆଉ ଏକ କେଳେଙ୍କାରୀର ତଥ୍ୟ, ପ୍ରମାଣ ‘ସମ୍ବାଦ’ ହାତରେ ଲାଗିଛି। କିଛି ଦିନ ତଳେ ସଂପୃକ୍ତ ଡିଲର୍‌ଙ୍କ ବିରୋଧରେ ଆଉ ଏକ ସମାନ ଅଭିଯୋଗ ଆସିଥିଲା। ଏନେଇ ସମ୍ବାଦରେ ଖବର ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ ଯୋଗାଣ ବିଭାଗ ପକ୍ଷରୁ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଡିଲର୍‌-ଯୋଗାଣ ବିଭାଗ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନା ଅନୁସାରେ, ଭିଏସ୍‌ଏସ୍‌ ନଗର ନିକଟ ତାରିଣୀ ବସ୍ତିରେ ସ୍ତ୍ରୀ ଶୀମତୀ ମହାରଣା, ଝିଅ ନମିତା ଓ ପୁଅ ଶିବଙ୍କ ସହ ରହନ୍ତି ହରିହର ମହାରଣା (୬୫)। ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଏହି ପରିବାରକୁ ୨୦୧୩ ମସିହାରୁ ମୁଣ୍ଡ ପିଛା ୫ କେଜି ହିସାବରେ ପ୍ରତି ମାସ ୨୦ କେଜି ଚାଉଳ ମିଳୁଥିଲା। କିନ୍ତୁ ୨୦୧୯ ମସିହାଠାରୁ ତାଙ୍କୁ ମାତ୍ର ୧୦ କେଜି ଚାଉଳ ମିଳୁଛି। ରାସନ୍‌ ଖାତାରେ ୨୦ କେଜି ଉଲ୍ଲେଖ କରି ଡିଲର୍‌ ତାଙ୍କୁ ମାତ୍ର ୧୦ କେଜି ରାସନ୍‌ ଦେଇ ଆସୁଛନ୍ତି। ଏ ବାବଦରେ ହରିହର ପଚାରିବାରୁ ପୁଅ ଓ ଝିଅ ବାବଦ ରାସନ୍‌ ସାମଗ୍ରୀ ଆଉ ତାଙ୍କୁ ମିଳିବ ନାହିଁ ବୋଲି ଡିଲର୍‌ ସଫା ମନା କରି ଦେଇଥିଲେ। ଝିଅ ବାହା ହେବା ଓ ପୁଅ ଗାଁକୁ ଚାଲିଯିବା ପରଠାରୁ ଖାତାରୁ ତାଙ୍କ ନାଁ କଟି ଯାଇଛି ବୋଲି ଡିଲର୍‌ ବୁଝାଇ ଦେଇଥିଲେ। ଡିଲର୍‌ କେଳେଙ୍କାରୀ କରୁଥିବା ଜାଣିଥିଲେ ସୁଦ୍ଧା ‌କେଉଁଠି ଏ ସଂପର୍କରେ ଅଭିଯୋଗ କରିବେ, ହରିହର ଜାଣି ପାରୁନଥିଲେ କିମ୍ବା ଡିଲର୍‌କୁ ପ୍ରତିବାଦ କରିବା ପାଇଁ ସାହସ ଜୁଟାଇ ପାରୁନଥିଲେ। ତେବେ ସଂପୃକ୍ତ ଡିଲର୍‌ଙ୍କ ବିରୋଧରେ ଗତ ୧୫ ତାରିଖରେ ଖବର ପ୍ରକାଶ ପାଇବା ପରେ ହରିହର ଆଜି ‘ସମ୍ବାଦ’ର ସହାୟତା ଲୋଡ଼ିଥିଲେ।

The Indian Express

ହରିହରଙ୍କ କହିବାନୁସାରେ, ୨୦୧୯ ମସିହାରେ ଝିଅ ବାହାଘର ଏବଂ ପୁଅ ଗାଁକୁ ଚାଲିଯିବା କଥା ସଂପୃକ୍ତ ଡିଲର୍‌ କେଉଁ ସୂତ୍ରରୁ ଜାଣିବାକୁ ପାଇଥିଲେ। ରାସନ୍‌ ସାମଗ୍ରୀ ଆଣିବାକୁ ଗଲା ବେଳେ, ତୁମ ଝିଅ ଓ ନାତିଙ୍କ ରାସନ୍‌ ଖାତାରୁ ନାଁ କଟିଯାଇଛି ଓ ତାଙ୍କ ଭାଗର ୧୦ କେଜି ମିଳିବ ନାହିଁ ବୋଲି ମନା କରିଦେଇଥିଲେ। କେମିତି କଟିଲା ବୋଲି ପଚାରିବାରୁ, ଯୋଗାଣ ବିଭାଗ ବଡ଼ବାବୁମା‌‌ନେ ସବୁଆଡ଼େ ବୁଲୁଛନ୍ତି, ସମସ୍ତଙ୍କ ବିଷୟରେ ଜାଣୁଛନ୍ତି ବୋଲି ଡିଲର୍‌ ତାଙ୍କୁ କହିଥିଲେ। ତେବେ ଖାତାରେ କାହିଁକି ୨୦ କେଜି ଲେଖୁଛ ବୋଲି ପଚାରିବାରୁ ଡିଲର୍‌ ତାହାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଯେନତେନ କରି ବୁଝାଇ ବିଦା କରିଦେଇଥିଲେ। ଅପରପକ୍ଷେ ଅଧିକ ବଚସା କଲେ କାଳେ ବାକି ୧୦ କେଜି ରାସନ୍‌ ବି କାଟିଦେବ ଭାବି ହରିହର ଭୟରେ ପ୍ରତିବାଦ କରୁନଥିଲି। ଏଠାରେ ସୂଚାଯୋଗ୍ୟ, ହରିହରଙ୍କ ଝିଅ ବାହା ହେବା ପରେ ମଧ୍ୟ ଏବେ ସେ ତାଙ୍କରି ଘରେ ରହୁଛନ୍ତି।

ଏ ସଂପର୍କରେ ଖୋର୍ଦ୍ଧା ଜିଲ୍ଳା ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ଏଭଳି ଅଭିଯୋଗ ପୂର୍ବରୁ ମୋର ହସ୍ତଗତ ହୋଇନଥିଲା। ଏହାର ବିଧିବଦ୍ଧ ତଦନ୍ତ କରାଯିବ ଓ ଏଥିରେ ଯେଉଁମା‌ନେ ବି ସଂପୃକ୍ତ ଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ଯୋଗଣ ଅଧିକାରୀ ସୁଗଦା ମୁର୍ମୁ କହିଛନ୍ତି, ପୂର୍ବରୁ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ମୁଁ ଅତରିକ୍ତ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲି। ଏ ସମସ୍ୟା ବିଷୟରେ ସମ୍ପୃକ୍ତ ବ୍ୟକ୍ତି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯାଇ ଦରଖାସ୍ତ ଦିଅନ୍ତୁ। ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଉଲ୍ଲେଖଯୋଗ୍ୟ, ସଂପୃକ୍ତ ଡିଲର୍‌ଙ୍କ ବିରୋଧରେ କିଛି ଦିନ ତଳେ ଏଭଳି ଆଉ ଏକ ସଂଗିନ୍‌ ଅଭିଯୋଗ ଆସିଥିଲା। ଦେଢ଼ବର୍ଷ ଧରି ଜଣେ ମୃତ ମହିଳାଙ୍କ କୋଟା ଚାଉଳ ହଡ଼ପ କରି ଆସୁଥିବା ନେଇ ଅଭିଯୋଗ ହୋଇଥିଲା। ଏ ସଂପର୍କିତ ବିସ୍ତୃତ ଖବର ସମ୍ବାଦରେ ଗତ ୧୫ ତାରିଖରେ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର