ଭୁବନେଶ୍ବର: ଡରାଇଲାଣି ବଜ୍ରପାତ। ଉପକୂଳରୁ ଉତ୍ତର ପର୍ଯ୍ୟନ୍ତ, ସବୁଠି ବଜ୍ରପାତ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଯାଉଛି। ବ୍ୟାପକ ସଚେତନ ସହ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଏହାକୁ ରୋକାଯାଇପାରି ନାହିଁ। ଦୁଇ ଦିନରେ ବଜ୍ରପାତରେ ସାରା ରାଜ୍ୟରେ ୧୭ଜଣଙ୍କ ମୃତ୍ୟୁ ହେବା ପରେ ନିଜକୁ ସୁରକ୍ଷିତ ରଖିବାକୁ ସ୍ୱତନ୍ତ୍ର ରିଲିଫ୍ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ଲୋକଙ୍କୁ ନିବେଦନ କରାଯାଇଛି। ଜିଲ୍ଲାରୁ ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ବାନ ମଧ୍ୟ ଦିଆଯାଇଛି।

Advertisment

ଏସ୍‌ଆରସିଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବଜ୍ରପାତ ସମୟରେ ଯେକୌଣସି ବ୍ୟକ୍ତି ଯଦି ଘର ବାହାରେ ଥାଆନ୍ତି ତଥା ନିଜକୁ ଅସୁରକ୍ଷିତ ମଣୁଥାନ୍ତି, ତେବେ ଯଥାଶୀଘ୍ର ନଇଁପଡ଼ି ଆଣ୍ଠୁ ବଙ୍କା କରି ଆଗକୁ ଝୁଙ୍କି ବସି ପଡ଼ିବା ଦରକାର। ଭୂମିରେ ଚିତ ହୋଇ ଶୋଇବାକୁ ବାରଣ କରାଯାଇଛି। ଦୁଇ ଗୋଡ଼ର ଗୋଇଠି ଯେପରି ଲାଗିରହିବ ସେଥ‌ିପ୍ରତି ଅଧିକ ଯତ୍ନବାନ ହେବା, ଦୁଇ ପାଦର ଆଙ୍ଗୁଠି ତଳ ଅଂଶ କେବଳ ଭୂମି ସଂସ୍ପର୍ଶରେ ଆସୁଥିବ ଏବଂ ହାତ ପାପୁଲି ସାହାଯ୍ୟରେ ଦୁଇ କାନକୁ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି। ଏପରି କରିବା ଦ୍ବାରା ବୈଦ୍ୟୁତିକ ଝଟକା କମ୍ ଲାଗିଥାଏ ଏବଂ ଗୋଡ଼ର ଗୋଟିଏ ଗୋଇଠିରୁ ଅନ୍ୟ ଗୋଇଠିକୁ ପ୍ରବାହିତ ହୋଇ ଶରୀରର ଅନ୍ୟ କୌଣସି ଅଙ୍ଗରେ ପ୍ରବାହିତ ହୋଇ ନ ଥାଏ। କାନ ବନ୍ଦ ରଖିବା ଦ୍ବାରା ବଜ୍ରପାତରୁ ଉତ୍ପନ୍ନ ଶବ୍ଦରୁ କାନକୁ ରକ୍ଷା କରାଯାଇ ପାରିବ।

ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ଏକ ପକ୍କା ଘର ଭିତରକୁ ଚାଲିଯାଆନ୍ତୁ। ମୋଟା ଚଦର ଛାତ ଥିବା ଗାଡ଼ି ଯଥା କାର୍, ବସ୍ ଆଦି ଯାନ ମଧ୍ୟ ନିରାପଦ ହୋଇପାରିବ। ଘର ଭିତରେ ଥ‌ିବା ସମୟରେ କାନ୍ଥ, ଝରକା ଓ କବାଟଠାରୁ ଦୂରେଇ ରୁହନ୍ତୁ। ନିରାପଦ ଆଶ୍ରୟ ସ୍ଥଳୀଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଯାକିଜୁକି ହୋଇ ରହିଯାଆନ୍ତୁ। ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରନ୍ତୁ। ନିଜେ ଯଥା ସାଧ୍ୟ କମ୍‌ ଉଚ୍ଚତାରେ ରୁହନ୍ତୁ। ମୁଣ୍ଡ ବାଳ ଠିଆ ହୋଇଗଲେ କିମ୍ବା ପାଖ ପଥର ଆଦିରୁ ପ୍ରତିଫଳିତ ଶବ୍ଦ କାନକୁ ଶୁଭିଲେ ସେ ସ୍ଥାନ ଛାଡ଼ି ତୁରନ୍ତ ଚାଲି ଯାଆନ୍ତୁ। ଗାଡ଼ି ଆସ୍ତେ ଚଳାନ୍ତୁ। ଗଛ କିମ୍ବା ବିଦ୍ୟୁତ୍‌ ତାର ଓ ଖୁଣ୍ଟଠାରୁ ଯଥାସମ୍ଭବ ଦୂରରେ ରୁହନ୍ତୁ। ପୋଖରୀ ଅଥବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ଯଦି ଆପଣ ପାଣି କିମ୍ବା ଡଙ୍ଗା ଭିତରେ ଅଛନ୍ତି ଯଥାଶୀଘ୍ର କୁଳକୁ ବାହାରି ଆସନ୍ତୁ। ନିରାପଦ ସ୍ଥାନକୁ ଚାଲି ଯାଆନ୍ତୁ। ବଜ୍ରପାତ ସମ୍ଭାବନା ଦେଖା ଦେଲେ ଗୃହପାଳିତ ପଶୁମାନଙ୍କୁ ବାହାରେ ନା ଛାଡ଼ି ଘର ଭିତରେ ରଖନ୍ତୁ।

ବଜ୍ରପାତ ସମୟରେ ବିଦ୍ୟୁତ୍‌ଚାଳିତ ଉପକରଣ ଓ ତାରଯୁକ୍ତ ଟେଲିଫୋନ୍‌/ମୋବାଇଲ ଫୋନ୍‌ ବ୍ୟବହାର କରନ୍ତୁ ନାହିଁ। ଖୋଲା ଘର କିମ୍ବା ତମ୍ବୁ ତଳେ ଆଶ୍ରୟ ଏସମୟରେ ନିରାପଦ ନୁହେଁ। ଗଛ ତଳେ କିମ୍ବା ବୁଦା ନିକଟରେ ଆଶ୍ରୟ ନେବାକୁ ବାରଣ କରାଯାଇଛି। ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ନ ଉଡ଼ାଇବା, ହାତରେ ମାଛଧରା ବନିଶି କିମ୍ବା ଲୁହା ବେଣ୍ଟ ଛତା, ଲୁହା ଛଡ଼ ନ ଧରିବାକୁ କୁହାଯାଇଛି। କୌଣସି ଧାତୁ ତିଆରି ଜିନିଷକୁ ଛୁଅନ୍ତୁ ନାହିଁ। ଲୁହାଖମ୍ବ, ଲୁହା ଛଡ଼ ଓ ଲୁଗା ଶୁଖାଇବା ତାର ଠାରୁ ଦୂରରେ ରୁହନ୍ତୁ। ସାଇକେଲ ଓ ଖୋଲା ଗାଡ଼ିରେ ନବୁଲିବାକୁ ପରାମର୍ଶ ଦିଆଯାଇଛି।