ବିନା ବିଶେଷଜ୍ଞରେ ଏଣ୍ତୋକ୍ରାଇନୋଲୋଜି ବିଭାଗ
ଡାଇବେଟିକ୍ ବିଭାଗ ପରିଚାଳନା ଦାୟିତ୍ବରେ ନେଫ୍ରୋଲୋଜି ଓ ଶିଶୁରୋଗ ଡାକ୍ତର
୨୦୨୨ରେ ଏମ୍ସିଆଇ ପରିଦର୍ଶନ ପୂର୍ବରୁ ନିଯୁକ୍ତି ନହେଲେ ଡିଏମ୍ ସିଟ୍ କଟିବା ଆଶଙ୍କା
କଟକ : ରାଜ୍ୟର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ଏମ୍ସ ପ୍ଲସ କରିବା ପାଇଁ କୁହାଯାଉଥିବା ବେଳେ ଏବେ ବିନା କୌଣସି ଡାକ୍ତରରେ ଚାଲିଛି ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଏଣ୍ତୋକ୍ରାଇନୋଲୋଜି (ବହୁମୂତ୍ର ରୋଗ ସଂପର୍କିତ) ବିଭାଗ। ବିଭାଗରେ ଜଣେ ହେଲେ ବି ଆସିଷ୍ଟାଣ୍ଟ, ଆସୋସିଏଟ୍ ପ୍ରଫେସର କିମ୍ବା ପ୍ରଫେସର ନାହାନ୍ତି। ଜଣେ ସିନିଅର ରେସିଡେଣ୍ଟ ଡାକ୍ତରଙ୍କ କାର୍ଯ୍ୟ ଅବଧି ଶେଷ ହୋଇଯାଇଥିଲେ ବି ତାଙ୍କୁ ପୁନଃ ନିଯୁକ୍ତି କିମ୍ବା ଓପିଏସ୍ସି ଜରିଆରେ ନିଯୁକ୍ତି ମିିଳିପାରୁନାହିଁ। କେବଳ ୬ଜଣ ପିଜି ଡାକ୍ତରଙ୍କ ଭରସାରେ ବିଭାଗ ଚାଲିଛି। ଏପରିସ୍ଥଳେ ନେଫ୍ରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଏସ୍.ବି. ରାଉତଙ୍କୁ ଏହି ବିଭାଗ ପରିଚାଳନା ଦାୟିତ୍ବରେ ରଖାଯାଇଥିବାବେଳେ ଶିଶୁରୋଗ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଇପ୍ସିତା ମିଶ୍ରଙ୍କୁ ଆଡ୍ହକ୍ରେ ନିଯୁକ୍ତି ଦିଆଯାଇଛି। ଏଭଳିସ୍ଥିତିରେ ଡିଏମ୍ ପରୀକ୍ଷା ବାତିଲ ହେବା ଆଶଙ୍କା ଦେଖାଦେବାରୁ ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ଅନୁଜ କୁମାର ବଳିଆରସି˚ହ ଓ ଡାକ୍ତର ଅରୁଣ ଚୌଧୁରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇ ଡିଏମ୍ ପରୀକ୍ଷା କରାଯାଇଛି। ଦୁଇ ଦିନତଳେ ବ୍ରହ୍ମପୁର ଏଣ୍ତୋକ୍ରାଇନୋଲୋଜି ବିଭାଗର ପ୍ରଫେସର ଓ ଆସୋସିଏଟ୍ ପ୍ରଫେସରଙ୍କୁ ପଦୋନ୍ନତି ମିଳିଥିଲାବେଳେ ଅନ୍ୟାନ୍ୟ ବିଭାଗରେ ନୂଆ ନିଯୁକ୍ତି ଦିଆଯାଇଛି। ହେଲେ ବଡ଼ ମେଡିକାଲ୍ର ଉକ୍ତ ବିଭାଗ ପ୍ରତି ସରକାରଙ୍କ ଉଦାସୀନତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି।
ଏଣ୍ତୋକ୍ରାଇନୋଲୋଜି ବିଭାଗରେ ପାଠପଢା ପାଇଁ ଅନ୍ଲାଇନ୍ର ସହାୟତା ନିଆଯାଉଛି। ଚୁକ୍ତିଭିତ୍ତିକ ଡାକ୍ତରମାନେ ପିଜି ଡାକ୍ତରଙ୍କୁ ଅନ୍ଲାଇନ୍ରେ ଶିକ୍ଷା ଦେଉଥିଲାବେଳେ ରୋଗୀ ପରାମର୍ଶ ମଧ୍ୟ ଭିଡିଓ କନ୍ଫରେନ୍ସି˚ରେ ହେଉଛି। ଏମାନଙ୍କୁ ସହାୟତା ଦେବା ପାଇଁ ଜଣେ ସିନିଅର ରେସିଡେଣ୍ଟ ବିଭାଗରେ ଥିଲେ ମଧ୍ୟ ତାଙ୍କର କାର୍ଯ୍ୟ ଅବଧି ଶେଷ ହୋଇଯାଇଛି। ତେଣୁ ତାଙ୍କୁ ଆଉ କୌଣସି ନିଯୁକ୍ତି ମିଳିନଥିବାରୁ ଏହି ସ୍ଥାନ ମଧ୍ୟ ଖାଲି ହୋଇଯାଇଛି। ଆଗକୁ ୨୦୨୨ ମସିହାରେ ଏମ୍ସିଆଇ ପ୍ରତିନିଧି ଦଳ ଡିଏମ୍ ସିଟ୍ ସ୍ଥିତି ବିଷୟରେ ଯାଞ୍ଚ କରିବାକୁ ଆସିବ। ଏହା ପୂର୍ବରୁ ଯଦି ଖାଲି ପଦବି ପୂରଣ ନହୁଏ, ତାହେଲେ ସିଟ୍ କଟିଯିବା ଆଶଙ୍କା ରହିଛି।
ବିଭାଗରେ ଓପିଏସ୍ସି ଜରିଆରେ ଦିଆଯାଉଥିବା ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ଉପରେ ହାଇକୋର୍ଟରେ ମାମଲା ଚାଲିଥିବାରୁ ନୂଆ ନିଯୁକ୍ତି ହୋଇପାରୁନଥିବା ଜଣାପଡ଼ିଛି। ତେଣୁ ଅନ୍ୟ ବିଭାଗରୁ ଆଡ୍ହକ୍ରେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ ଡିଏମ୍ ପରୀକ୍ଷା କରାଯାଉଛି। ତଥାପି ବ୍ରହ୍ମପୁରରେ ଥିବା ଜଣେ ଆସିଷ୍ଟାଣ୍ଟ ପ୍ରଫେସର କିମ୍ବା ଆସୋସିଏଟ୍ ପ୍ରଫେସରଙ୍କୁ ଏସ୍ସିବି ଅଣାଯାଇପାରିଥାନ୍ତା। କିନ୍ତୁ ସେମାନଙ୍କର ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ପାହ୍ୟାକୁ ପଦୋନ୍ନତି ହୋଇଯାଇଥିବାବେଳେ ସେଠାରେ ଆସିିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ରହିଛି। ୨୦୨୧ ମସିହାରେ ଏମ୍ସିଆଇ ପରିଦର୍ଶନ ଥିବାରୁ ଜଣେ ଏସ୍ଆର୍ଙ୍କୁ ଆଡ୍ହକ୍ରେ ନିଯୁକ୍ତି ଦିଆଯାଇପାରେ ବୋଲି କୁହାଯାଉଛି। ତେଣୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଡାକ୍ତର ସମସ୍ୟା ଦେଖାଦେଇଥିଲାବେଳେ ସରକାର ସ୍ବାସ୍ଥ୍ୟ ସେବାରେ କିପରି ସୁଧାର ଆଣିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।