ଏସ୍‌ସିବିର ପ୍ରଫେସର୍‌, ପୁଲିସ ଏସିପି ସଂକ୍ରମିତ

ଗୋଟିଏ ଦିନରେ ୬ ଡାକ୍ତର, ୧୭ ପୁଲିସ, ୧୧ ସ୍ବାସ୍ଥ୍ୟ କର୍ମଚାରୀ ପଜିଟିଭ୍

କଟକ : କଟକ ସହର ଅବସ୍ଥା ଅସମ୍ଭାଳ ହେବାକୁ ବସିଲାଣି। ଗତକାଲି ଗୋଟିଏ ଦିନରେ କଟକ ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୨୪୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୫୦ରୁ ଅଧିକ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଘରୋଇ ଲାବରେ ହୋଇଥିବା ପରୀକ୍ଷା ରିପୋର୍ଟ ହିସାବ ହୋଇ ପାରି ନଥିବାରୁ ଏହି ସଂଖ୍ୟା ହୁଏତ ବିଳମ୍ବିତ ରାତି ସୁଦ୍ଧା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଆଜି କଟକ ବଡ଼ ମେଡିକାଲର ଜଣେ ବରିଷ୍ଠ ପ୍ରଫେସର୍‌ଙ୍କ ସମେତ ୬ଜଣ ଡାକ୍ତର ସଂକ୍ରମିତ ହେବା ଘଟଣା ଚିନ୍ତାର ବିଷୟ ହୋଇଛି। ସଂପୃକ୍ତ ପ୍ରଫେସରଙ୍କ ବିଭାଗରେ ଏଯାଏ ପ୍ରାୟ ୪୦ଜଣ ରୋଗୀ ଓ ସେମାନଙ୍କ ସଂପର୍କୀୟ ସଂକ୍ରମିତ ହୋଇ ସାରିଥି‌ବା ବେଳେ ପ୍ରଫେସରଙ୍କ ସଂକ୍ରମଣ ଅଧିକ ଚିନ୍ତାର କାରଣ ହୋଇଛି। ବଡ଼ ମେଡିକାଲର ଜଣେ ପ୍ରଫେସର ଏଭଳି ସଂକ୍ରମଣର ଶିକାର ହେବା ପ୍ରଥମ ବୋଲି କୁହାଯାଉଛି। ସେହିଭଳି କଟକ କମିସ‌ନରେଟ ପୁଲିସର ଜଣେ ଏସିପିଙ୍କ ସମେତ ୧୭ ଜଣ ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେବଳ ମଙ୍ଗଳାବାଗ ଥାନା ଓ ମେଡିକାଲ ଫାଣ୍ଡିରୁ ୧୫ଜଣ ଥିବା ବେଳେ ଜଣେ କ୍ୟାଣ୍ଟନମେଣ୍ଟ ଥାନାର।

ଏଭଳି ସ୍ଥିତିରେ କଟକ ବଡ଼ ଡାକ୍ତରଖାନା ପରିସର ଏବେ ପାଲଟିଛି କରୋନାର ପ୍ରମୁଖ ହଟସ୍ପଟ୍। ଆଜି ଗୋଟିଏ ଦିନରେ ୬ ଜଣ ଡାକ୍ତର, ୨ଜଣ ଟେକ୍ନିସିଆନ୍, ୩୭ଜଣ ରୋଗୀ, ୧୦ଜଣ ରୋଗୀ ସଂପର୍କୀୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏସ୍‌ସିବିରେ ଏଯାଏ ୫୦ ପାଖାପାଖି ଡାକ୍ତର ସଂକ୍ରମିତ ହୋଇସାରିଲେଣି। ଏଥିସହ ଏସ୍‌ସିବି ଡିନ୍‌ ତଥା ପ୍ରିନ୍‌ସିପାଲଙ୍କ କାର୍ଯ୍ୟାଳୟରୁ ୯ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଇସୋଲେସନ୍‌ ୱାର୍ଡରେ ୨୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୫ଜଣ କର୍କଟ ରୋଗୀ ମଧ୍ୟ ଆଜି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଆଉଟ୍‌ଡୋର୍‌ରୁ ୫ ରୋଗୀ ଓ ସଂପର୍କୀୟ, ହେମାଟୋଲୋଜିରୁ ଗତକାଲି ୨ରୋଗୀ ସଂକ୍ରମିତ ହୋଇଥିବାବେଳେ ଆଜି ୧୦ଜଣ ରୋଗୀ ସଂପର୍କୀୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକ କମିସନରେଟ ପୁଲିସରେ ଆଜିର ୧୭ ଜଣଙ୍କୁ ମିଶାଇ ୧୧ଟି ଥାନାରୁ ଏଯାଏ ୬୪ ଜଣ ପୁଲିସ ସଂକ୍ରମିତ ହୋଇସାରିଲେଣି।

ସମ୍ବନ୍ଧିତ ଖବର