ଡାକ ଟିକଟ ସଂଗ୍ରାହକ ବିଦ୍ୟାର୍ଥୀଙ୍କୁ ମିଳିବ ୬ହଜାର ଟଙ୍କାର ବୃତ୍ତି

ଭୁବନେଶ୍ୱର : ଡାକ ଟିକଟ ସଂଗ୍ରହରେ ରୁଚି ରଖୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ମିଳିବ। ଦୀନଦୟାଲ ‘ସ୍ପର୍ଶ’ ଯୋଜନାରେ ପ୍ରତି ଡାକ ସର୍କଲ୍‌ରୁ ସର୍ବାଧିକ ୪୦ ଜଣଙ୍କୁ ବୃତ୍ତି ପ୍ରଦାନ କରାଯିବ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ବୃତ୍ତି ପାଇପାରିବେ। ଜଣେ ବିଦ୍ୟାର୍ଥୀ ବାର୍ଷିକ ୬ ହଜାର ଟଙ୍କାର ବୃତ୍ତିରାଶି ପାଇବେ। କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନସ୍ଥ ଡାକ ବିଭାଗ ପକ୍ଷରୁ ଏହି ବୃତ୍ତି ପ୍ରଦାନ କରାଯିବ। ଡାକ ସର୍କଲଗୁଡ଼ିକ ମାଧ୍ୟମରେ ଡାକଟିକେଟ୍‌ ସଂଗ୍ରାହକ ଛାତ୍ରଛାତ୍ରୀଙ୍କ ରୁଚି ଓ ପ୍ରକଳ୍ପର ମୂଲ୍ୟାୟନ କରାଯାଇ ବୃତ୍ତି ପ୍ରଦାନ କରାଯିବ।

ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଗୋଟିଏ ଲେଖାଏଁ ଫିଲାଟେଲି କ୍ଲବ୍‌ ତଥା ଡାକଟିକଟ ସଂଗ୍ରାହକ କ୍ଲବ୍‌ ଗଢ଼ାଯିବ। ଡାକଟିକେଟ୍‌ ସଂଗ୍ରହରେ ରୁଚି ରଖୁଥିବା ଛାତ୍ରଛାତ୍ରୀମାନେ କ୍ଲବ୍‌ରେ ସଦସ୍ୟତା ଗ୍ରହଣ କରିପାରିବେ। ଜଣେ ପ୍ରୋତ୍ସାହକ ଏହାର ପରିଚାଳନା ଦାୟିତ୍ୱରେ ରହିବେ। ଜଣେ ବିଶିଷ୍ଟ ଡାକଟିକଟ ସଂଗ୍ରାହକ ଫିଲାଟେଲି କ୍ଲବ୍‌ର ପରାମର୍ଶଦାତା ତଥା ପ୍ରୋତ୍ସାହକ ଭାବେ ନିୟୋଜିତ ହେବେ। ଏଥିପାଇଁ ରାଜ୍ୟସ୍ତରରେ ଏକ କମିଟି ଗଠନ ହେବ। ପ୍ରକଳ୍ପର ବିଷୟବସ୍ତୁ ନିର୍ଧାରିତ କରାଯିବ।

ଜଣେ ଛାତ୍ର ଗୋଟେ ବର୍ଷ ବୃତ୍ତି ପାଇଥିଲେ ସୁଦ୍ଧା ପରବର୍ତୀ ବର୍ଷ ତାଙ୍କ ପ୍ରଦର୍ଶନ ଆଧାରରେ ବୃତ୍ତି ପାଇଁ ଆବେଦନ କରିପାରିବେ। ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଦର୍ଶନୀ ଜରିଆରେ ବୃତ୍ତି ପାଇବା ପାଇଁ ନିଜକୁ ଯୋଗ୍ୟ ବିବେଚିତ କରିବାକୁ ପଡ଼ିବ। ପ୍ରତି ୩ ମାସରେ ବୃତ୍ତିରାଶି ପ୍ରଦାନ କରାଯିବ। ଡାକଟିକେଟ୍‌ରେ ଏକ ନିର୍ଦିଷ୍ଟ ସମୟର ସାମାଜିକ, ଅର୍ଥନୈତିକ, ରାଜନୈତିକ ବ୍ୟବସ୍ଥା ପ୍ରତିଫଳିତ ହୋଇଥାଏ। ତେଣୁ ଡାକଟିକଟ ସଂଗ୍ରହ ମାଧ୍ୟମରେ ଜଣେ ବହୁବିଧ ଜ୍ଞାନ ଅର୍ଜନ କରିବାକୁ ସକ୍ଷମ ହୋଇଥାଏ। ଡାକଟିକଟ ସଂଗ୍ରହରେ ଆଗ୍ରହ ବୃଦ୍ଧି ସହିତ ଗବେଷଣାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ଏପରି ଏକ ଅଭିଯାନ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର