ଭୁବନେଶ୍ୱର: ଜାଗମରାର ରୁପମ୍ ସାମଲ। ବୟସ ୮ବର୍ଷ। ଓଜନ ପ୍ରାୟ ୧୯ କେଜି ହେବ। ଖଣ୍ଡଗିରିରେ ଥିବା ଏକ ଘରୋଇ ବିଦ୍ୟାଳୟରେ ପଢ଼ୁଛନ୍ତି। ସ୍କୁଲକୁ ଯିବା ସମୟରେ ସାଙ୍ଗରେ ପାଣି ବୋତଲ, ଟିଫିନ୍ ବକ୍ସ ସମେତ ୫ଟି ପିରିୟଡ୍ ପାଇଁ ବହି ଓ ଖାତା ନେଇ ଯାଉଛନ୍ତି। ଏ ସବୁକୁ ମିଶାଇଲେ ୩ କେଜି ଓଜନର ବ୍ୟାଗ୍ ପ୍ରତିଦିନ ବୋହୁଛନ୍ତି। ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ରୁପମ୍ଙ୍କ ଓଜନ ଅନୁଯାୟୀ ଯେତିକି ଓଜନର ବ୍ୟାଗ୍ ନେବା କଥା, ତା’ଠାରୁ ଅଧିକ ଓଜନର ବ୍ୟାଗ୍ କାନ୍ଧରେ ପକାଉଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ବ୍ୟାଗ୍ର ଓଜନ ଯାଞ୍ଚ କରୁନାହାନ୍ତି କି ଅଭିଭାବକଙ୍କୁ ଏବିଷୟରେ ଜଣାଉ ନାହାନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ଯେଉଁ ଅନୁଯାୟୀ ଟାଇମ୍ଟେବୁଲ୍ ଦେଇଛନ୍ତି ସେହି ଅନୁଯାୟୀ ଅଭିଭାବକ ବ୍ୟାଗ୍ ପ୍ରସ୍ତୁତ କରି ପିଲାଙ୍କୁ ସ୍କୁଲ ପଠାଉଛନ୍ତି। କେବଳ ରୁପମ୍ ନୁହନ୍ତି, ତାଙ୍କ ପରି ସହରର ଅଧିକାଂଶ ଛାତ୍ରଛାତ୍ରୀଙ୍କ ଅବସ୍ଥା ଏବେ ଏମିତି। ଆବଶ୍ୟକତାଠାରୁ ଅଧିକ ଓଜନର ବ୍ୟାଗ୍ କାନ୍ଧରେ ପକାଇ ସ୍କୁଲ ଯାଉଥିଲେ ମଧ୍ୟ ଯାଞ୍ଚ ହେଉନାହିଁ। ୨୦୨୦ରେ ଜାରି ସ୍କୁଲ ବ୍ୟାଗ୍ ନୀତି ଅନୁଯାୟୀ ପିଲାଙ୍କ ଓଜନଠାରୁ ସ୍କୁଲ ବ୍ୟାଗ୍ର ଓଜନ ୧୦%ରୁ କମ୍ ରହିବ। ଅର୍ଥାତ୍ ଯଦି ଜଣେ ଛାତ୍ରଙ୍କ ଓଜନ ୨୦ କେଜି ହୋଇଥାଏ ତେବେ ସେ ଦୁଇ କେଜିର ବ୍ୟାଗ୍ ଆଣି ବିଦ୍ୟାଳୟକୁ ଆସିବେ। କାନ୍ଧରେ ଏହାଠାରୁ ଅଧିକ ଓଜନର ବ୍ୟାଗ୍ ପକାଇ ସ୍କୁଲ ଆସିବେ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍ ଆଣିଥିବେ ତେବେ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଜଣାଇବେ। ପ୍ରତି ୩ ମାସରେ ଥରେ ଗୋଟିଏ ଦିନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ର ଓଜନ ଯାଞ୍ଚ କରାଯିବ। କେଉଁ ଶ୍ରେଣୀର କେତେ ଓଜନର ପିଲା କେତେ ଓଜନର ବ୍ୟାଗ୍ ଧରି ଆସିବେ ସେନେଇ ପ୍ରତି ବିଦ୍ୟାଳୟ ଟେବୁଲ୍ ପ୍ରସ୍ତୁତ କରିବାକୁ କୁହାଯାଇଥିଲା।
୨୦୨୧-୨୨ ଶିକ୍ଷାବର୍ଷରେ ଏହି ନିୟମକୁ ଭୁବନେଶ୍ବରରେ କଡ଼ାକଡ଼ି ପାଳନ କରାଯାଇଥିଲା। ଚଢ଼ଉ ସହ କିଛି ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଇତିମଧ୍ୟରେ ୩ଟି ଶିକ୍ଷାବର୍ଷ ବିତିଯାଇଥିଲେ ମଧ୍ୟ ସେଭଳି ଯାଞ୍ଚ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ପିଲାଙ୍କ ବ୍ୟାଗ୍ ଓଜନ ଦିନକୁ ଦିନ ବଢ଼ିଚାଲିଛି। ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି ନିୟମ ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସୱାର୍କ ଲାଗି ଗୋଟିଏ ନୋଟବୁକ୍ ଏବଂ ୩ୟରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଦୁଇଟି ନୋଟ୍ବୁକ୍ ଆବଶ୍ୟକ। ସେଥିମଧ୍ୟରୁ ଗୋଟିଏ ବ୍ୟାଗ୍ରେ ଆଣିବେ ଓ ଅନ୍ୟଟି ସ୍କୁଲରେ ରହିବ। ମାତ୍ର ଏହି ନିୟମକୁ ସ୍କୁଲରେ ପାଳନ କରାଯାଉ ନାହିଁ। ବର୍ତ୍ତମାନ ସମୟରେ ନର୍ସରି, ଏଲ୍କେଜି, ୟୁକେଜି ପିଲାଙ୍କୁ ବହି ଆଣିବାକୁ କୁହାଯାଉଛି। ଏହାର ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡ଼ୁଛି। ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଉ। ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ କହିଛନ୍ତି ଯେ ବସ୍ତାନି ବୋଝ ଅଧିକ ହେଉଥିବା ନେଇ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ। ତଥାପି ଶିକ୍ଷାବର୍ଷ ପାଠପଢ଼ା ଆରମ୍ଭ ହୋଇଥିବାରୁ ଆମେ ଏନେଇ ବିଦ୍ୟାଳୟଗୁଡ଼ିକୁ ସଚେତନ କରାଇବା ଦିଗରେ ପଦକ୍ଷେପ ନେବୁ।