ଭୁବନେଶ୍ୱର: ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ ଓଜନ ଯାଞ୍ଚ ହେବ। ଭୁବନେଶ୍ବର ସମେତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ ଅଧୀନ ସରକାରୀ, ଅନୁଦାନପ୍ରାପ୍ତ, ଘରୋଇ ବିଦ୍ୟାଳୟଗୁଡ଼ିକ ଯେପରି ନିୟମକୁ କଡ଼ାକଡ଼ି ପାଳନ କରନ୍ତି ସେଦିଗରେ ପଦକ୍ଷେପ ନେବେ। ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ନେତୃତ୍ବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ସିଆରସିସିମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ କମିଟି ଗଠନ କରାଯିବ। ଯେଉଁ କମିଟି ସ୍କୁଲ ବ୍ୟାଗ୍‌ ଓଜନ ତଦାରଖ ସହ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି), ସ୍କୁଲ ସୁରକ୍ଷା କମିଟି ଓ ବିଦ୍ୟାଳୟ ପରିଚାଳନା କମିଟି ଗଠନର ତଦାରଖ କରିବେ। ସମ୍ପୃକ୍ତ କମିଟି ପ୍ରତି ସପ୍ତାହରେ ଏସମ୍ପର୍କିତ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

୨୦୧୯ ‌ନିର୍ଦ୍ଦେଶାବଳୀ ପାଳନ କରିବାକୁ ନିର୍ଦ୍ଦେଶ
ବ୍ଲକ ସ୍ତରୀୟ କମିଟି ନିୟମିତ ତଦାରଖ କରିବ
ପ୍ରତି ସପ୍ତାହରେ ଡିଇଓଙ୍କୁ ରିପୋର୍ଟ ଦେବ କମିଟି

ଏଥିସହ ସ୍ପଷ୍ଟ କରାଯାଇଛି ଯେ ୨୦୧୯ ମାର୍ଚ୍ଚ ୮ରେ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ଦିଗରେ ସମସ୍ତ ବିଇଓ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ‌ଗ୍ରହଣ କରିବେ। ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ ଲାଗି ଜିଲ୍ଲାସ୍ତରରେ ସ୍କ୍ବାଡ୍‌ ଗଠନ କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)/ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ଏହାର ଅଧ୍ୟକ୍ଷ ରହିବେ। ବ୍ଲକ ଶିକ୍ଷା ଅଧିକାରୀ, ଡିସିପିଓ, ଥାନା ଅଧିକାରୀ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ଜିଲ୍ଲାପାଳଙ୍କ ଦ୍ବାରା ଚୟନ ହୋଇଥିବା ଅଧିକାରୀମାନେ ଏହି ସ୍କ୍ବାଡ୍‌ର ସଦସ୍ୟ ରହିବେ। ଏହି ସ୍କ୍ବାଡ୍‌ ବିଭିନ୍ନ ସମୟରେ ସରକାରୀ ଓ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ଗସ୍ତ କରି ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍‌ର ଯାଞ୍ଚ କରିବେ। ସିବିଏସ୍‌ଇ ଓ ଆଇସିଏସ୍‌ଇ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକୁ ଅଚାନକ ଚଢ଼ଉ କରିବେ। ଯେଉଁ ସ୍କୁଲଗୁଡ଼ିକ ବିରୋଧରେ ଅଭିଯୋଗ ଆସିଛି, ତାହାକୁ ପ୍ରାଥମିକତା ଦେଇ ଯାଞ୍ଚ କରାଯିବ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ୧.୫ କେଜିରୁ ଅଧିକ ହେବ ନାହିଁ। ୩ୟରୁ ୫ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ୨ରୁ ୩ କେଜି ମଧ୍ୟରେ ରହିବ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ହୋମୱାର୍କ ଦିଆଯିବ ନାହିଁ। ସ୍କୁଲରେ ପାନୀୟ ଜଳ ସୁବିଧା କରାଯିବ। ଫଳରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଘରୁ ପାଣି ବୋତଲ ଆଣିବାକୁ ପଡ଼ିବ ନାହିଁ। ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ୪ କେଜି, ୮ମ ଓ ୯ମ ପିଲାଙ୍କ ବ୍ୟାଗର ଓଜନ ସାଢ଼େ ୪ କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୫ କେଜିରୁ ଅଧିକ ହେବ ନାହିଁ ବୋଲି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ ହୋଇଛି।

ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣା ପରେ ସ୍କୁଲ ସ୍ତରରେ ଆଇସିସି ଗଠନକୁ ପ୍ରାଥମିକତା ଦିଆଯାଇଛି। ବିଦ୍ୟାଳୟଗୁଡ଼ିକ କିଭଳି ଏଦିଗରେ ପଦକ୍ଷେପ ନେବେ ତାହାକୁ ବ୍ଲକ ଶିକ୍ଷା ଅଧିକାରୀମାନେ ସୁନିଶ୍ଚିତ କରାଇବେ। ବିଦ୍ୟାଳୟର ମହିଳା କର୍ମଚାରୀ, ଶିଶୁ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ କ୍ୟାମ୍ପସରେ ପ୍ରାଥମିକତା ଦେବାକୁ କୁହାଯାଇଛି। ବିଶେଷକରି ପଢ଼ୁଥିବା ଛାତ୍ରୀଙ୍କୁ ଶାରୀରିକ, ମାନସିକ ନିର୍ଯାତନାରୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ହୋଇଛି। ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲ୍ପ ଲାଇନ୍‌ ନମ୍ବରଗୁଡ଼ିକୁ କ୍ୟାମ୍ପସରେ ପ୍ରଦର୍ଶନ କରିବାକୁ କୁହାଯାଇଛି। ସ୍କୁଲ୍‌ରେ ପିଇବା ପାଣି ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି।