ବାଜିଲା ସ୍କୁଲ ଘଣ୍ଟି: ୩୮% ପିଲା ଆସିଲେ ସ୍କୁଲ

ଜଟଣୀରେ ୬୭ ପ୍ରତିଶତ ଉପସ୍ଥାନ

ଭୁବନେଶ୍ବର: ବାଜିଲା ସ୍କୁଲ୍‌ ଘଣ୍ଟି। ଦୁଇମାସ ବ୍ୟବଧାନରେ ଖୋଲିଲା ସ୍କୁଲ। ଆଜି ସହରର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ପିଲାଙ୍କ ଉପସ୍ଥାନ ଉତ୍ସାହଜନକ ହୋଇପାରି ନାହିଁ। ଗତକାଲି ତୁଳନାରେ ଆଜି ଭୁବନେଶ୍ବରର ତାପମାତ୍ରା ସାମାନ୍ୟ କମ୍‌ ରହିଥିଲେ ମଧ୍ୟ ଗୁଳୁଗୁଳି ଯୋଗୁ ସକାଳୁ ପରିସ୍ଥିତି ବିଗିଡ଼ି ଯାଇଥିଲା। ସକାଳୁଆ ସ୍କୁଲ ହୋଇଥିଲେ ମଧ୍ୟ ଅନେକ ପିଲା ଆସି ନ ଥିଲେ। ସକାଳ ୬ଟା ୩୦ରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ସମୟ ଧାର୍ଯ୍ୟ ହୋଇଥିବାରୁ ସରକାରୀ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଆସି ନ ଥିଲେ। ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସମାନ ସ୍ଥିତି ଉପୁଜିଥିଲା। ପ୍ରଥମ ଦିନରେ ଭୁବନେଶ୍ବରରେ ଥିବା ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମାତ୍ର ୩୮% ହୋଇଛି। ଅର୍ଥାତ୍‌ ୬୨% ପିଲା ସ୍କୁଲ ଆସିନାହାନ୍ତି।

ଜଟଣୀରେ ୬୭ ପ୍ରତିଶତ ଉପସ୍ଥାନ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍‌ ଥିବା ଜଣାପଡ଼ିଛି। ତେବେ ଲମ୍ବା ଛୁଟି ପରେ ସ୍କୁଲ ଖୋଲିଥିବାରୁ ସ୍କୁଲ ଆସିଥିବା ପିଲାଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକଶିକ୍ଷୟିତ୍ରୀ ୨ ରୁ ୩ଟି କ୍ଲାସ୍ ନେଇଥିବା ସୂଚନା ମିଳିଛି। ବ୍ଳକର ସମୁଦାୟ ୧୦୩ ବିଦ୍ୟାଳୟରେ ୬୭ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ। ଆଜି ସକାଳୁ ୬ଟା ବେଳେ ବିଦ୍ୟାଳୟ ଖୋଲା ହୋଇଥିଲା। ଅନେକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ଗେଟ୍ ଆଗରେ ରହି ସ୍ବାଗତ ଜଣାଇଥିଲେ।

ବିଏମ୍‌ସି ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ୪୫ହଜାରରୁ ଅଧିକ ପିଲା ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ପ୍ରାୟ ୧୬ ହଜାର ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିଥିଲେ। ପ୍ରାଥମିକ ସ୍ତର (ପ୍ରଥମରୁ ୫ମ ଶ୍ରେଣୀ)ରେ ଉପସ୍ଥାନ ବହୁତ କମ୍‌ ରହିଥିଲା। ଉଚ୍ଚ ପ୍ରାଥମିକ ସ୍ତର (୬ଷ୍ଠରୁ ୮ମ ଶ୍ରେଣୀ) ଓ ମାଧ୍ୟମିକ ସ୍ତର (୯ମ ଓ ୧୦ମ ଶ୍ରେଣୀ)ରେ ଉପସ୍ଥାନ ଟିକିଏ ଅଧିକ ରହିଥିବା ଜଣାପଡ଼ିଛି। ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ। କେତେକ ବିଦ୍ୟାଳୟରେ ଏକାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବାରୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ସରକାରୀ ବିଦ୍ୟାଳୟରେ ପିଲାମାନେ ମଧ୍ୟାହ୍ନଭୋଜନ ପରେ ଆଉ ବିଦ୍ୟାଳୟ ଆସି ନ ଥିଲେ। ଗୋଟିଏ ଗୋଟିଏ ବିଦ୍ୟାଳୟରେ ଉପସ୍ଥାନ ଏକଅଙ୍କ ଭିତରେ ରହିଥିଲା। ୯ ଓ ୧୦ ଶ୍ରେଣୀରେ ମାତ୍ର ୧୦ରୁ ୧୨ ଜଣ ପିଲା କେତେକ ସ୍କୁଲରେ ପିଲା ଆସିଥିଲେ। ପ୍ରବଳ ଖରାକୁ ଦୃଷ୍ଟିରେ ରଖି କିଛି ଘରୋଇ ବିଦ୍ୟାଳୟ ଆଗୁଆ ପଦକ୍ଷେପ ସ୍ବରୂପ ସ୍କୁଲ ଖୋଲି ନ ଥିଲେ। ପିଲା କୌଣସି ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ପିଲାମେନେ ବିଦ୍ୟାଳୟ ନ ଆସିବାକୁ ଗତକାଲି ରାତିରେ ହିଁ ବିଭିନ୍ନ ମାଧ୍ୟମରେ ପିଲାଙ୍କ ଅଭିଭାବକଙ୍କୁ ଅବଗତ କରାଇଥିଲେ। ଅପରାହ୍ଣରେ ବର୍ଷା ହେଉଥିଲେ ମଧ୍ୟ ସକାଳୁ ଅନୁଭୂତ ହେଉଥିବା ଗୁଳୁଗୁଳି ଅସହ୍ୟ ହୋଇପଡ଼ୁଛି। ୨୦ ତାରିଖ ପର୍ଯ୍ୟନ୍ତ ପିଲାଙ୍କ ଏଭଳି ପାଠପଢ଼ା ଚାଲିବ। ବୁଧବାରଠାରୁ ପାଗରେ ପରିବର୍ତ୍ତନ ହେବାକୁ ଥିବାରୁ ବିଦ୍ୟାଳୟଗୁଡ଼ିକରେ ଉପସ୍ଥାନ ବୃଦ୍ଧି ପାଇବ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷମାନେ ଆଶାବ୍ୟକ୍ତ କରିଛନ୍ତି। ସେପଟେ ଆଜି ସ୍କୁଲ ‌ଖୋଲୁଥିବାରୁ ଗତକାଲିଠାରୁ ଶିକ୍ଷକ ଶିକ୍ଷୟିତ୍ରୀ ପଦକ୍ଷେପ ନେଇଥିଲେ। ସ୍କୁଲ ଆସିବା ସହ ସଫେଇ, ସ୍ବଚ୍ଛତା‌ କିଭଳି ବଜାୟ ରହିବ ସେଦିଗରେ ପଦକ୍ଷେପ ନେଇଥିଲେ।

ସମ୍ବନ୍ଧିତ ଖବର