ପାଠଶାଳାରେ ‘ଫନି’ ପାହାର

ଭୁବନେଶ୍ବର : ବିଗିଡ଼ି ଯାଇଛି ସ୍କୁଲ୍‌ର ଶୋଭାରାଜି। ନିମିଷକେ ଉଭେଇ ଯାଇଛି ସ୍କୁଲ୍‌ର ଅସ୍ତିତ୍ବ। ସ୍କୁଲ୍‌ କେବେ ଖୋଲିବ ଏଯାଏଁ ସ୍ଥିର ହୋଇନାହିଁ। ତେବେ ସ୍କୁଲ୍‌ରେ ଛାତ୍ରଛାତ୍ରୀ ପହଞ୍ଚିଲାବେ‌ଳକୁ ନିଜ ସ୍କୁଲ୍‌ ଯେ ଅଚିହ୍ନା ଲାଗିବ ସେଥିରେ ଦ୍ବିମତ ନାହିଁ। ବାତ୍ୟା ‘ଫନି’ କୁନିକୁନି ପିଲାଙ୍କ ପାଠଶାଳା ଉପରେ ବି କଡ଼ା ପ୍ରହାର କରିଛି। ବାତ୍ୟା କୋପରେ ସ୍କୁଲ୍‌ଗୁଡ଼ିକର ପରିବେଶ ଅତି ଦୟନୀୟ ରୂପ ଧାରଣ କରିଛି। କେଉଁଠି ସ୍କୁଲ୍‌ର ପ୍ରବେଶ ପଥକୁ ବିଶାଳ ବୃକ୍ଷମାନ ହାବୁଡ଼ି ପଡ଼ିଛି ତ, ଆଉ କେଉଁଠି ସ୍କୁଲ୍‌ର ଛାତ ଉପରେ ଗଛ ପଡ଼ି ଭାଙ୍ଗି ଯାଇଛି।

ଗୋସାଗରେଶ୍ବର ପ୍ରାଥମିକ ବିଦ୍ୟାଳୟର ଏକ ସ୍କୁଲ୍‌ ଘର ଉପରେ ବିଶାଳ ବୃକ୍ଷ ଭାଙ୍ଗି ପଡ଼ିଥିବାରୁ ଛାତର କିଛି ଅଂଶ ଭାଙ୍ଗିଯାଇଛି। ସ୍କୁଲ୍‌ ଫାଟକ ଅପର ପାର୍ଶ୍ବରେ ଗଛ ଭାଙ୍ଗି ବାଟ ଓଗାଳିଥିଲେ ହେଁ ଏଯାଏଁ ସ୍କୁଲ୍‌ ପରିସରକୁ ସଜାଡ଼ିବାକୁ ଉଦ୍ୟମ ଆରମ୍ଭ ହୋଇନି। କ୍ୟାପିଟାଲ୍ ବାଳିକା ଉଚ୍ଚ ବିଦ୍ୟାଳୟର ୭୫ ପ୍ରତିଶତ ପାଚେରି ମୂଳରୁ ଭାଙ୍ଗି ରାସ୍ତା ଉପରେ ପଡ଼ିଛି। ‌ଶୌଚାଳୟ ଘର ଉପରେ ଥିବା ଆଜବେଷ୍ଟସକୁ ପାରାପିଟ୍‌ ସହ ଉଡ଼ାଇ କେଉଁଆଡ଼େ ଫିଙ୍ଗି ଦେଇଛି। ଶୌଚାଳୟ ଗୃହର କାନ୍ଥ ମଧ୍ୟ ଫାଟି ଆଁ କରିଛି। ଏହା ବ୍ୟତୀତ ବିଜ୍ଞାନ ଲାବୋରେଟୋରି, ଖାଇବା ଘର, ହଷ୍ଟେଲ୍‌ର ଟିଣ ସେଡ୍‌ ଉଡ଼ି ଯାଇଛି। ସୟଦ ମମତାଜ ଅଲ୍ଲୀ ଉଚ୍ଚ ବିଦ୍ୟାଳୟ ପରିସରେ ଦୁଇଟି ସ୍ଥାନରେ ସ୍କୁଲ୍‌ ଘର ଛାତ ଉପରେ ବିଶାଳ ବୃକ୍ଷ ଭାଙ୍ଗିପଡ଼ିବାରୁ ତାଜା ଓ ଅନ୍ୟ ସ୍ଥାନରେ ଘର ଆଂଶିକ ଭାଙ୍ଗିଯାଇଛି।

ସବୁଠୁ ଶୋଚନୀୟ ହୋଇଛି, ଆଦିବାସୀ ଗାଁ ପ୍ରାଥମିକ ବିଦ୍ୟାଳୟ। ଏମିତିରେ ସେଠି ସ୍କୁଲ୍‌ ଗୃହରେ ଆଜବେଷ୍ଟସ ଛାତ ତଳେ ସୂର୍ଯ୍ୟଙ୍କୁ ଦେଖି ପିଲାଏ ପାଠ ପଢ଼ୁଥିଲେ। ଏବେ ସ୍ଥିତି ଆହୁରି ଶୋଚନୀୟ ହୋଇଛି। ସ୍କୁଲ୍‌ ଗୃହର ଆଜବେଷ୍ଟସ ଭାଙ୍ଗି କୁଆଡ଼େ ଉଡ଼ିଯାଇଛି। ଏବେ ଏହି ସ୍କୁଲ୍‌ ପରିସର ଗାଁ ଲୋକଙ୍କର କ୍ଲବ୍‌ ପାଲଟିଛି। ଯେଉଁ ଆଜବେଷ୍ଟସ ଲାଖି ରହିଛି ତାହା ବି ଅଧଭଙ୍ଗା ଅବସ୍ଥାରେ ଲଟକିଥିବାରୁ କେବେ ଭାଙ୍ଗିପଡ଼ିବ କହି ହେବନି। ଭକ୍ତକବି ମଧୁସୂଦନ ସରକାରୀ ବିଦ୍ୟାଳୟକୁ ମଧ୍ୟ ବିଶାଳ ଗଛଟିଏ ସମ୍ପୂର୍ଣ୍ଣ ଭାବେ ଆଢୁଆଳ କରି ରଖିଛି। ବାଲିଅନ୍ତାର ବୁଢ଼ାଲୋ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୃହ ଉପରେ ବରଗଛ ବାତ୍ୟା ଦିନରୁ ପଡ଼ିରହିଛି। ଏତଦ୍‌ବ୍ୟତୀତ ଇକୋ-କ୍ଲବ୍‌ ଗଠନ କରାଯାଇ ପିଲାଙ୍କ ହାତରେ ସୃଷ୍ଟି କରାଯାଇଥିବା ସବୁଜ ବଳୟ ଭାଙ୍ଗିରୁଜି ସ୍କୁଲ୍‌ର ଶୋଭାକୁ ଛାରଖାର କରିଦେଇଛି। ଦୀର୍ଘଦିନ ଧରି ଗଛ ପଡ଼ି ରହିଥିବାରୁ ଏବଂ ସ୍କୁଲ୍‌ ଘରେ ପାଣି ପଶିରହିଥିବାରୁ ସ୍କୁଲ୍‌ ଭିତରକୁ ପ୍ରବେଶ କରିବା ସମ୍ଭବ ହେଉନାହିଁ।

ରିପୋର୍ଟ: ସତ୍ୟ ନାରାୟଣ ରାଉତରାୟ, ଫଟୋ: ବିଭୂତି

ସମ୍ବନ୍ଧିତ ଖବର