ଚନ୍ଦ୍ରଶେଖରପୁର : ସୁନ୍ଦର କୌଶଳ କରି ତିନି ତିନି ଗାଡ଼ି ଚୋରି କରିବାରେ ସକ୍ଷମ ହୋଇଥିଲେ। ମାତ୍ର ଅଳ୍ପ ଦୂର ପରେ ଇନ୍ଧନ ସରିଯିବା ଯୋଗୁଁ ସବୁ ଫସର ଫାଟିଗଲା। ତେଲ ଟାଙ୍କି ଖୋଲି ନପାରି ଚୋରମାନେ ବାଧ୍ୟ ହୋଇ ରାସ୍ତାରେ ଗାଡ଼ି ଛାଡ଼ି ପଳାଇଲେ। ଇନ୍‌ଫୋସିଟି ଥାନା ପୁଲିସ ଏମିତି ଚୋରି ହୋଇଥିବା ଗୋଟିଏ ସ୍କୁଲ ବସ୍ ଓ ଦୁଇଟି କାର୍‌ ଉଦ୍ଧାର କରିଛି। ପ୍ରଶାନ୍ତିବିହାର ଅଞ୍ଚଳରୁ ଚୋରି ହୋଇଥିବା ଏହି ୩ ଗାଡ଼ି ରାସ୍ତାରୁ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ପୁଲିସ ସୂଚନାନୁସାରେ, ଗତକାଲି ରାତିରେ ଏକ ଘରୋଇ ସ୍କୁଲ୍ ବସ୍ ଓ ଦୁଇ ଦିନ ପୂର୍ବେ ଦୁଇଟି କାର୍ ଚୋରି ହୋଇଥିଲା। ଏ ନେଇ ଅଭିଯୋଗ ମିଳିବା ପରେ ପୁଲିସ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଛାନ୍‌ଭିନ୍‌ କରିଥିଲା। ମାତ୍ର ଦୁର୍ବୃତ୍ତମାନଙ୍କ ବାବଦରେ କୌଣସି ସୁରାକ୍‌ ମିଳିନଥିଲା। ତେବେ ଆଜି ଗୋଟିଏ ବସ୍‌ ବାରଙ୍ଗ-ପିତାପଲ୍ଲୀ ରାସ୍ତାରେ ଏକ ନିଛାଟିଆ ସ୍ଥାନରେ ରଖାଯାଇଥିବା ଦେଖି ସନ୍ଦେହରେ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଉକ୍ତ ବସ୍‌କୁ ଉଦ୍ଧାର କରିଥିଲା। ଗାଡ଼ି ଯାଞ୍ଚ କରିବା ପରେ ଜଣାପଡ଼ିଛି ଯେ ଚୋରମାନେ ସର୍କିଟ୍‌ ତାର କାଟି ବସ୍‌କୁ ଷ୍ଟାର୍ଟ କରି ନେଇ ପଳାଇଥିଲେ। କିନ୍ତୁ ତେଲ ଟାଙ୍କି ଖୋଲି ପାରିନଥିଲେ। ଫଳରେ କମ୍ ତେଲ ଥିବା ଟାଙ୍କିରୁ ଅଳ୍ପ ଦୂର ରାସ୍ତା ପରେ ଡିଜେଲ୍‌ ସରିଯାଇଥିଲା। ସ୍କୁଲ ବନ୍ଦ ଥିବାରୁ ବସ୍‌ ଚଳାଚଳ ହେଉନାହିଁ। ତେଣୁ ଟାଙ୍କିରେ କମ୍ ଡିଜେଲ୍‌ ଥିଲା। ଡିଜେଲ୍‌ ସରିଯିବା ପରେ ବାଧ୍ୟ ହୋଇ ଦୁର୍ବୃତ୍ତମାନେ ବସ୍‌କୁ ରାସ୍ତାକଡ଼ରେ ଛାଡ଼ି ପଳାଇଥିଲେ। ଅନୁରୂପ ଭାବେ ୨ କାର୍‌ କ୍ଷେତ୍ରରେ ମଧ୍ୟ ଘଟିଥିଲା। ଘରୋଇ କମ୍ପାନି କାମରେ ନିୟୋଜିତ ଏହି ଦୁଇ କାର୍‌ କିଛି ମାସ ହେଲା କମ୍ପାନି ସମ୍ମୁଖରେ ରାସ୍ତା ଉପରେ ରଖାଯାଇଥିଲା। ଟାଙ୍କିରେ କମ୍‌ ତେଲ ଥିବାରୁ କିଛି ବାଟ ପରେ ବନ୍ଦ ହୋଇଗଲା ଓ ତେଲ ଟାଙ୍କି ଖୋଲି ନପାରି ଦୁର୍ବୃତ୍ତମାନେ ନନ୍ଦନକାନନ ରାସ୍ତାରେ ଛାଡ଼ି ପଳାଇଥିଲେ। ଏହି କାର୍‌ ଦୁଇଟିର ତେଲ ଟାଙ୍କି ଚାବି ଅଲଗା ବ୍ୟବସ୍ଥାରେ ଥିବାରୁ ଚୋରମାନେ ଖୋଲି ପାରିନଥିବା ଜଣାପଡ଼ିଛି।