ବିନା କାଗଜପତ୍ରରେ ଚାଲିଛି ଘରୋଇ ଶିକ୍ଷାନୁଷ୍ଠାନ ଗାଡ଼ି : ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର : ବିନା କାଗଜପତ୍ରରେ ଚାଲିଛି ଘରୋଇ ଶିକ୍ଷାନୁଷ୍ଠାନ ଗାଡ଼ି। ନୂଆ ସଂଶୋଧିତ ମୋଟରଯାନ ଆଇନ କଡ଼ାକଡ଼ି ଲାଗୁ ଓ ସରକାରଙ୍କ ବାରମ୍ବାର ତାଗିଦ୍‌ ପରେ ମଧ୍ୟ କାଗଜପତ୍ର ଠିକ୍‌ କରୁନାହାନ୍ତି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ। ଫଳରେ ପ୍ରତିଦିନ ଶହଶହ ଛାତ୍ରଛାତ୍ରୀଙ୍କ ଜୀବନ ବାଜିରେ ଲାଗୁଛି। ଆଜି ଗୋଟିଏ ଦିନରେ ଏପରି ୩ଟି ଘରୋଇ ଶିକ୍ଷାନୁଷ୍ଠାନର ଗାଡ଼ି ଧରାପଡ଼ିବା ପରେ ଏପରି ଘଟଣା ସାମ୍ନାକୁ ଆସିଛି। ସେଥିମଧ୍ୟରେ ନାଳନ୍ଦା ଓ ନିଟ୍‌ର ଦୁଇଟି ବସ୍‌ ଥିବା ବେଳେ ପଟିଆସ୍ଥିତ ଏକ ଶିଶୁ ବିଦ୍ୟାମନ୍ଦିରର ସ୍କୁଲ ଭ୍ୟାନ୍‌ ରହିଛି। ବସ୍‌ ଦୁଇଟିରୁ ୨୫ ହଜାର ୫ଶହ ଟଙ୍କା ଲେଖାଏଁ ମୋଟ ୫୧ ହଜାର ଟଙ୍କା ଜରିମାନା ହୋଇଛି। ସେହିପରି ସ୍କୁଲ ଭ୍ୟାନ୍‌କୁ ସର୍ବାଧିକ ୨୭ ହଜାର ୫ଶହ ଟଙ୍କା ଜରିମାନା କରାଯାଇଛି। ତେବେ କଡ଼ାକଡ଼ି ଯାଞ୍ଚ କରାଗଲେ ରାଜଧାନୀରେ ଏପରି ଆହୁରି ଅନେକ ଶିକ୍ଷାନୁଷ୍ଠାନର ଗାଡ଼ି ଧରାପଡ଼ିବ ବୋଲି କୁହାଯାଇଛି। ଅପରପକ୍ଷେ ଛାତ୍ରଛାତ୍ରୀଙ୍କଠାରୁ ଭଡ଼ା ବାବଦକୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ ହେଁ ଗାଡ଼ିଗୁଡ଼ିକର କାଗଜପତ୍ର ଠିକ୍‌ କରାନଯିବା ଘଟଣାକୁ ନେଇ ଅଭିଭାବକମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ନାଳନ୍ଦା ଓ ନିଟ୍‌ର ବସ୍‌ ଉଭୟ ଅନୁଷ୍ଠାନର ପ୍ରିନ୍‌ସିପାଲଙ୍କ ନାମରେ ରହିଛି। କିନ୍ତୁ ଏହି ବସ୍‌ଦ୍ବୟର ଆର୍‌ଟିଓ ପଂଜୀକରଣ, ପ୍ରଦୂଷଣ ପ୍ରମାଣପତ୍ର ଓ ପରମିଟ୍‌ ନଥିବା ଜଣାଯାଇଛି। ସେହିପରି ଇନ୍‌ଫୋସିଟି ଥାନା ନିକଟ ଶିଖରଚଣ୍ଡୀ ପାହାଡ଼ ଛକରେ ଆର୍‌ଟିଓ-୨ ଧରିଥିବା ସ୍କୁଲ ଭ୍ୟାନ୍‌ର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନଥିଲା। ଚଢ଼ଉ ବେଳେ ଭ୍ୟାନ୍ ଭିତରେ ଥିବା ପିଲାମାନଙ୍କୁ ପୁଲିସ୍ ଆରଟିଓ ଭ୍ୟାନ୍ ସହଯୋଗରେ ଘରେ ଛାଡ଼ିଥିଲା। ପିଲାମାନେ ଭୟଭୀତ ନହେବା ପାଇଁ ଜଣେ ସାଦା ପୋଷାକଧାରୀ ପୁଲିସ୍ ଭ୍ୟାନରେ ସେମାନଙ୍କୁ ଘରେ ଛାଡ଼ିଥିଲେ। ଏହାସହ ରାସ୍ତାରେ ପିଲାମାନଙ୍କ ସହ କଥା ହୋଇ ଟ୍ରାଫିକ୍‌ ନିୟମ ବିଷୟରେ ବୁଝାଇଥିଲେ।

ସମ୍ବନ୍ଧିତ ଖବର