ବାଇକ୍‌କୁ ପିଟିଲା ସ୍କୁଲ୍‌ ବସ୍‌: ଶିକ୍ଷୟିତ୍ରୀ ମୃତ, ସ୍ବାମୀ ଗୁରୁତର

ଭୁବନେଶ୍ବର : ଶୁକ୍ରବାର ରସୁଲଗଡ଼ ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି। ମୃତା ଶିକ୍ଷୟିତ୍ରୀ ହେଲେ ଲିଙ୍ଗରାଜ ଥାନା ଅଞ୍ଚଳର ମଧୁସ୍ମିତା ମିଶ୍ର(୩୪)। ତାଙ୍କ ସ୍ବାମୀ ସନ୍ତୋଷ ପାତ୍ରଙ୍କ ଅବସ୍ଥା ସଂକଟପନ୍ନ ରହିଛି। ଏକ ସ୍କୁଲ୍‌ ବସ୍‌ ଦମ୍ପତିଙ୍କ ସ୍କୁଟିକୁ ଧକ୍କା ଦେବାରୁ ଏହି ଅଭାବନୀୟ ଘଟଣା ଘଟିଥିଲା।

ସୂଚନା ମୁତାବକ ମଧୁସ୍ମିତା ଭିଏସ୍‌ଏସ୍‌ନଗର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ୍‌ରେ ଓଡ଼ିଆ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି। ସବୁଦିନ ଭଳି ଆଜି ସେ ସ୍ବାମୀ ସନ୍ତୋଷଙ୍କ ସହ ସ୍କୁଲ୍‌କୁ ବାହାରିଥି‌ଲେ। ସନ୍ତୋଷ ତାଙ୍କୁ ସ୍କୁଲ୍‌ରେ ଛାଡ଼ି ନିଜ ଅଫିସକୁ ଯାଇଥାଆନ୍ତେ। ସେମାନେ ରସୁଲ୍‌ଗଡ଼ ଛକ ନିକଟରେ ଯାଉଥିବା ବେଳେ ଏକ ସ୍କୁଲ୍‌ ବସ୍‌ ତାଙ୍କ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ମଧୁସ୍ମିତା ଗାଡ଼ିରୁ ଛିଟିକିଯାଇ ଡିଭାଇଡରରେ ପିଟି ହୋଇଯାଇଥିଲେ। ସନ୍ତୋଷ ସ୍ବାମୀ ସ୍କୁଟି ସହ କିଛି ବାଟ ଘୋଷାଡ଼ି ହୋଇ ଯାଇଥିଲେ। ଉପସ୍ଥିତ ଲୋକମାନଙ୍କ ସହଯୋଗରେ ସନ୍ତୋଷ ତଳୁ କଷ୍ଟେମଷ୍ଟେ ଉଠି ସ୍ତ୍ରୀ ମଧୁସ୍ମିତାଙ୍କ ପାଖକୁ ଯାଇଥିଲେ। ମାତ୍ର ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ମଧୁସ୍ମିତା ଆଖି ବୁଜିଦେଇଥିଲେ। ତଥାପି ସେ ବଞ୍ଚିଥିବା ଆଶା କରି ମଞ୍ଚେଶ୍ବର ଥାନା ପୁଲିସ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ହେଲେ ସେଠାରେ ଡାକ୍ତର ମଧୁସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ବସ୍‌ଚାଳକ ବିଶ୍ବଜିତ୍‌ ପାତ୍ରକୁ ଅଟକ ରଖି ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର