ଭୁବନେଶ୍ବର: ପାଖାପାଖି ଦୁଇ ମାସ ଛୁଟି ପରେ ୨୦ ତାରିଖ(ଶୁକ୍ରବାର)ରେ ସାରା ରାଜ୍ୟରେ ବିଦ୍ୟାଳୟ ଖୋଲିବାକୁ ଯାଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବର ସହରରେ ଛୁଟି ଘୋଷଣା ହୋଇଛି। ତା’ସତ୍ତ୍ବେ ମଧ୍ୟ ସହରରେ ବ୍ୟାପୁଥିବା ଝାଡ଼ାବାନ୍ତିକୁ ନଜରରେ ରଖି ଆଜି ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶାବଳୀ ଜାରି ସହ ବିଦ୍ୟାଳୟ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ବିଦ୍ୟାଳୟ  ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁଯାୟୀ ରାଜଧାନୀର ସମସ୍ତ ସରକାରୀ ବିଦ୍ୟାଳୟ ପରିସରକୁ ଆଜି ସଫାସୁତୁରା କରାଯାଇଛି।
ବର୍ଷା ଯୋଗୁ ସଟ୍‌ ସର୍କିଟ୍‌ ଆଶଙ୍କା‌ ଥିବାରୁ ବିଦ୍ୟାଳୟର ବୈଦ୍ୟୁତିକ ସରଞ୍ଜାମ ଓ ବିଦ୍ୟୁତ୍‌ ସଂଯୋଗ ଯାଞ୍ଚ କରାଯାଇଛି। ପିଲାଙ୍କ ବସିବା ବେଞ୍ଚ ଓ ଚେୟାର ପରିଷ୍କାର ହୋଇଛି। ଶିକ୍ଷକ ଶିକ୍ଷୟିତ୍ରୀମାନେ କ୍ୟାମ୍ପସ୍‌ରେ ଥିବା ଅନାବନା ଗଛ କାଟିବା ସହ ସଫେଇ କରିଛନ୍ତି। ଜଳବାହିତ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ବିଦ୍ୟାଳୟରେ ଏଥିପ୍ରତି ଅଧିକ ସତର୍କତା ଅବଲମ୍ବନ କରାଯାଉଥିବା ଦେଖିବାକୁ ମିଳିଛି। ପାଣିଟାଙ୍କି ସଫା ସହ ଏହାକୁ ବିଶୋଧନ କରାଯାଇଛି। କୌଣସି ଛାତ୍ରଛାତ୍ରୀ ଅସୁସ୍ଥ ହେଲେ ଯେପରି ତୁରନ୍ତ ପ୍ରାଥମିକ ଚିକିତ୍ସା ଓ ପରିବାରକୁ ସୂଚନା ‌ଦିଆଯିବ ସେନେଇ ମଧ୍ୟ ବିଦ୍ୟାଳୟ ପକ୍ଷରୁ ଧ୍ୟାନ ଦିଆଯାଇଛି। ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଶ୍ରେଣୀଗୃହ ଓ କ୍ୟାମ୍ପସ ସଫେଇ, ପାଣି ଟାଙ୍କି ସଫା, ଶ୍ରେଣୀଗୃହର ଆସବାବପତ୍ର ସଫା କରି ଠିକ୍‌ ଭାବେ ସଜାଇବା ଓ ଶୌଚାଳୟକୁ ବ୍ୟବହାର ଉପଯୋଗୀ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ଭୁବନେଶ୍ବର ସହର ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ ପାଇଁ ରୋଷେଇଘର, ଗ୍ୟାସ୍‌ଚୁଲା ପରି ଆନୁଷଙ୍ଗିକ ପ୍ରସ୍ତୁତି, ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରି ସହ ଇଣ୍ଟରନେଟ୍‌ ସଂଯୋଗ ସୁନିଶ୍ଚିତ ହୋଇଛି। ଜିଲ୍ଲା ଓ ବ୍ଲକ୍‌ ଶିକ୍ଷା ଅଧିକାରୀମାନେ ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ଭିତ୍ତିଭୂମି ଯାଞ୍ଚ କରିଛନ୍ତି।
ଡିଇଓ ସୋନାମିକା ରାୟ କହିଛନ୍ତି ଯେ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ଆମେ ସମ୍ବେଦନଶୀଳ ରହିଛୁ। ତେଣୁ ସ୍କୁଲ ଖୋଲିବା ପୂର୍ବରୁ ଭିତ୍ତିଭୂମି ଠିକ୍‌ କରିବାକୁ ଜିଲ୍ଲାର ସମସ୍ତ ବିଦ୍ୟାଳୟଗୁଡ଼ିକୁ କୁହାଯାଇଥିଲା। ସେହି ଅନୁଯାୟୀ ପଦକ୍ଷେପ ନିଆଯାଇଛି। କ୍ୟାମ୍ପସ୍‌ରେ ଥିବା ପାଣିଟାଙ୍କି ସଫେଇ ସହ ସ୍ବଚ୍ଛ ପାନୀୟ ଜଳକୁ ପ୍ରାଥମିକତା ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ। ଶିକ୍ଷା କ୍ୟାଲେଣ୍ଡର ବିଜ୍ଞପ୍ତି ଅନୁଯାୟୀ ମେ’ ୬ରୁ ଗ୍ରୀଷ୍ମ ଛୁଟି ଘୋଷଣା ହେବାର ଥିଲା। ମାତ୍ର ଖରା ପାଇଁ ରାଜ୍ୟ ସରକାର ଆଗୁଆ ଏପ୍ରିଲ ୨୩ରୁ ଖରାଛୁଟି ଘୋଷଣା କରିଥିଲେ।