‌ଲୋୟର୍‌ ପିଏମ୍‌ଜିରେ ଗର୍ଜିଲା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି, ଅବିକଳ ସପ୍ତମ ବେତନ ଲାଗୁ ପାଇଁ ଦାବି

ଭୁବନେଶ୍ବର: ସମସ୍ତ ବର୍ଗ ପାଇଁ ଅବିକଳ ସପ୍ତମ ବେତନ ଲାଗୁ କରିବା, ଅନୁଦାନ ପ୍ରତ୍ୟାଶୀଙ୍କୁ ଅନୁଦାନ ଦେବା, ଅନୁଦାନପ୍ରାପ୍ତ ବିଦ୍ୟାଳୟର ଖାଲି ପଦ ପୂରଣ ଆଦି ଦାବି ନେଇ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ଆଜି ଲୋୟର୍‌ ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି। ହଜାର ହଜାର ବିକ୍ଷୋଭକାରୀ ଲୋୟର୍ ପିଏମଜିରେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ପ୍ରତାରଣାପୂର୍ଣ୍ଣ ତଥା ବିକଳାଙ୍ଗ ମୋଡ଼ାଲିଟିର ତୀବ୍ର ବିରୋଧ କରିଥିଲେ।

ସମିତିର ଅଭିଯୋଗ, ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜରେ କାମ କରୁଥିବା ପ୍ରାୟ ୫୦ହଜାର ଶିକ୍ଷକ କର୍ମଚାରୀଙ୍କୁ ରାଜ୍ୟ ସରକାର ପ୍ରତାରିତ କରିଛନ୍ତି। ଅବିକଳ ସପ୍ତମ ବେତନ ପ୍ରଦାନ କରିବାକୁ ସରକାର ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବିଜ୍ଞପ୍ତି ପ୍ରକାଶ ପାଇବାର ୫ମାସ ପରେ ଯେଉଁ ମୋଡାଲିଟି ପ୍ରକାଶ କଲେ, ତାହା ଶିକ୍ଷକ ସ୍ବାର୍ଥବିରୋଧୀ। ଏହାଦ୍ବାରା ବିଦ୍ୟାଳୟସ୍ତରରେ କାର୍ଯ୍ୟରତ ୩୫ହଜାର ଶିକ୍ଷକ କର୍ମଚାରୀ ଏବଂ ସମସ୍ତ ମହାବିଦ୍ୟାଳୟରେ କାର୍ଯ୍ୟରତ ପ୍ରାୟ ୧୦ହଜାର ଲାଇବ୍ରେରିଆନ୍, ଖେଳଶିକ୍ଷକ, କିରାଣୀ ଓ ଚତୁର୍ଥଶ୍ରେଣୀ କର୍ମଚାରୀ କ୍ଷତିଗ୍ରସ୍ତ ହୋଇଛନ୍ତି। ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ଐତିହାସିକ ଅନୁଦାନ ଆଇନକୁ ପୁନଶ୍ଚ ଅପହରଣ କରିବା ପାଇଁ ଚକ୍ରାନ୍ତ ହୋଇଛି ବୋଲି ସମିତିର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏହାର ସଂଶୋ‌ଧନ କରା ନଗଲେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିବ ବୋଲି ସମିତି ଚେତାବନୀ ଦେଇଛି।

ସେହିପରି ଅନୁଦାନ ପ୍ରତ୍ୟାଶୀଙ୍କୁ ଅନୁଦାନ ଦେବା, ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଖାଲି ପଦ ପୂରଣ ନକଲେ ଆଗାମୀ ଦିନରେ କେବଳ ରାଜଧାନୀ ସମେତ ସମସ୍ତ ବ୍ଲକ୍‌ ଶିକ୍ଷାଧିକାରୀ ଅଫିସ୍, ପଞ୍ଚାୟତ ଅଫିସ୍ ସମ୍ମୁଖରେ ଛାତ୍ର, ଶିକ୍ଷକ, ଅବିଭାବକ ଆନ୍ଦୋଳନ କର‌ିବେ ବୋଲି ସମିତି କହିଛି। ଏହି ବିକ୍ଷୋଭରେ ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ପ୍ରକାଶ ଚନ୍ଦ୍ର ମହାନ୍ତି, ସୁକାନ୍ତ ବେହେରା, ପ୍ରଶାନ୍ତ ତ୍ରିପାଠୀ, ହୃଷୀକେଶ ମିଶ୍ର, ରଞ୍ଜନ ଦାଶଙ୍କ ସମେତ ଶହଶହ ସ୍କୁଲ, କଲେଜର ଶିକ୍ଷକ/ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।।

ସମ୍ବନ୍ଧିତ ଖବର