ସ୍କୁଲ୍‌, କଲେଜ ପାଠ୍ୟକ୍ରମରେ ସାମିଲ ହେଉ ଟ୍ରାଫିକ୍‌ ନିୟମ

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟ ତଥା ଦେଶରେ ଦୁର୍ଘଟଣା ସହିତ ଦୁର୍ଘଟଣା ଜନିତ ମୃତ୍ୟୁ ହାର ବଢ଼ିବଢ଼ି ଚାଲିଛି। ରାସ୍ତା ନିର୍ମାଣରେ ବୈଷୟିକ ତ୍ରୁଟି, ଟ୍ରାଫିକ୍‌ ସଚେତନତାର ଅଭାବ ଏହାର ମୁଖ୍ୟ କାରଣ। ସ୍କୁଲ୍‌ ଓ କଲେଜ ପାଠ୍ୟକ୍ରମରେ ଟ୍ରାଫିକ୍‌ ନିୟମକୁ ସାମିଲ କରାଗଲେ ଅନେକ ପରିମାଣରେ ଦୁର୍ଘଟଣାକୁ ରୋକି ହେବ ବୋଲି କହିଛନ୍ତି ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି।

ଏଜି ଛକ ସ୍ଥିତ ଟ୍ରାଫିକ୍‌ ଥାନା ପରିସରରେ ଆଜି ଅନୁଷ୍ଠିତ ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ମଦ୍ୟପାନ କରି ଗାଡ଼ି ଚଳାଇବା, ମୋବାଇଲ୍‌ ବ୍ୟବହାର କରିବା, ହେଲମେଟ୍‌ ଓ ସିଟ୍‌ ବେଲ୍ଟ ବ୍ୟବହାର ନକରିବା, ଭୁଲ୍‌ ସାଇଡ୍‌ରେ ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣା ଘଟୁଛି। ଏଥିପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ, କଟକ-ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଅନେକ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ହୋଇଛି। ୧୬ଟି ସ୍ଥାନରେ ସ୍ପିଡ୍‌ ରୢାଡର୍‌, କ୍ୟାମେରା ଲାଗିସାରିଛି। ଯେଉଁମାନେ ନିୟମ ଉଲଂଘନ କରୁଛନ୍ତି ରୢାଡର୍‌ ସେମାନଙ୍କ ତଥ୍ୟ ପଠାଉଛି। ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଡିସିପି ଅନୁପ ସାହୁ, ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂ ଯୋଗଦେଇଥିଲେ।

ଏହି ଅବସରରେ ମହିଳା ଅଟୋ ଚାଳକ ସନ୍ତୋଷୀ ବେଜ୍‌ଙ୍କୁ ସମ୍ବର୍ଧିତ କରାଯାଇଥିଲା। ଟ୍ରାଫିକ୍‌ ଡିସିପି ବିଜୟ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଟ୍ରାଫିକ୍‌ ଏସିପି ଅନୁପ କାନୁନ୍‌ଗୋ ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରାଫିକ୍‌ ଆଇଆଇସି ସୁରେନ୍ଦ୍ର ବଳ, ପ୍ରମୋଦ ପଟ୍ଟନାୟକ, ଷ୍ଟୁଡେଣ୍ଟ ଟ୍ରାଫିକ ଓ ଅନ୍ୟ ଟ୍ରାଫିକ୍‌ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ମହିଳା ଟ୍ରାଫିକ୍‌ ସ୍ବେଚ୍ଛାସେବୀ, ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା।

ସମ୍ବନ୍ଧିତ ଖବର