ଭୁବନେଶ୍ବର: ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ)ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ୨୦୧୦ରେ ଡ୍ରେସ୍‌କୋଡ୍‌ ଲାଗୁ ହୋଇଥିଲା। ପ୍ରଥମେ ଏଭଳି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସମସ୍ତେ ଗ୍ରହଣ କରି ନେଇଥିଲେ। ସେବେଠାରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ଡ୍ରେସ୍‌କୋଡ୍‌ ଲାଗୁ ହେଉଛି। ଓଡ଼ିଶାର ବୁଣାକାରଙ୍କୁ ପୋତ୍ସାହିତ କରିବାକୁ ରାଜ୍ୟ ସରକାର ବିଭିନ୍ନ ସମୟରେ ପୋଷାକରେ ପରିବର୍ତ୍ତନ କରିବାକୁ ଯୋଜନା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ବୁଣାକାରଙ୍କୁ ସ୍ୱଚ୍ଛଳ କରିବା ଲକ୍ଷ୍ୟରେ ୨୦୧୮-୧୯ ଶିକ୍ଷାବର୍ଷରେ ଶିକ୍ଷୟିତ୍ରୀଙ୍କୁ ବୟନିକା ଶାଢ଼ି ପିନ୍ଧିବାକୁ ପ୍ରୋତ୍ସାହିତ କରିବାକୁ ସେତେବେଳେ ଆଲୋଚନା ହୋଇଥିଲା। ଇତିମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୋଷାକରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

Advertisment

ଏହାରି ଭିତରେ ସପ୍ତାହର ଗୋଟିଏ ଦିନ(ସୋମବାର) ସମ୍ବଲପୁରୀ ପୋଷାକ ପରିଧାନ କରିବାକୁ କେନ୍ଦୁଝର, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ରହିଛନ୍ତି। ଏଭଳି ନିଷ୍ପତ୍ତିକୁ ଶିକ୍ଷକ ସଙ୍ଗଠନଗୁଡ଼ିକ ସ୍ବାଗତ କରିଥିଲେ ମଧ୍ୟ ୟୁନିଫର୍ମ ଭତ୍ତା ଦେବାକୁ ଦାବି କଲେଣି। ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ ନ ଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତାହାକୁ ଗ୍ରହଣ କରୁଛନ୍ତି। ତେବେ ଏଥିପାଇଁ ଆବଶ୍ୟକ ଅର୍ଥ ରାଜ୍ୟ ସରକାର ବହନ କରନ୍ତୁ। ଅନ୍ୟ ବିଭାଗର କର୍ମଚାରୀଙ୍କ ଭଳି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡ୍ରେସ୍‌କୋଡ ଭତ୍ତା ପ୍ରଦାନ କରିବାକୁ ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ଦାବି ଜଣାଇଛନ୍ତି।

ଘୋଷଣାରେ ସୀମିତ ବୁଣାକାରଙ୍କୁ ପୋତ୍ସାହନ
କିଛି ଜିଲ୍ଲାରେ ସୋମବାର ସମ୍ବଲପୁରୀ ପୋଷାକ
ୟୁନିଫର୍ମ ଭତ୍ତା ପ୍ରଦାନ କରିବାକୁ ଉଠିଲାଣି ଦାବି

ଅନ୍ୟପକ୍ଷରେ ୨୦୨୩-୨୪ ଶିକ୍ଷାବର୍ଷରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକରେ ପରିବର୍ତ୍ତନ ଆସିଛି। ନୂଆ ରଙ୍ଗର ପୋଷାକ ପିନ୍ଧି ପିଲାମାନେ ବିଦ୍ୟାଳୟ ଆସୁଛନ୍ତି। ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଛି। ମାତ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୋଷାକରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ୧୪ ବର୍ଷ ହେଲା ସେମାନେ ସେହି ଗୋଟିଏ ରଙ୍ଗର ପୋଷାକ ପରିଧାନ କରୁଛନ୍ତି। ୨୦୨୪-୨୫ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ପୋଷାକ ପରିବର୍ତ୍ତନ ନେଇ କୌଣସି ଯୋଜନା ପ୍ରସ୍ତୁତ କରି ନାହାନ୍ତି। ପ୍ରା‌ଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଗୋଟିଏ କ୍ୟାମ୍ପସକୁ ଅଣାଯିବା ପରେ ରାଜ୍ୟ ସରକାର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏକପ୍ରକାର ଡ୍ରେସ୍‌କୋଡ୍ର ବ୍ୟବସ୍ଥା‌ ହୋଇଛି। ତେବେ ଏକକ ଭା‌ବେ ରହିଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୋଷାକ ଅଲଗା ରହିଛି। ଏବେ କେତେକ ହାଇସ୍କୁଲରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଖୋଲିଥିବାରୁ ସେଠାରେ ଡ୍ରେସ୍‌କୋର୍ଡରେ ପାତରଅନ୍ତର ଦେଖିବାକୁ ମିଳୁଛି। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଡ୍ରେସ୍‌କୋଡ ପିନ୍ଧୁଥିବା ବେଳେ ସେହି କ୍ୟାମ୍ପସରେ ଥିବା ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ପଢ଼ାଉଥିବା ଅଧ୍ୟାପକ ଅଧ୍ୟାପିକାଙ୍କ କ୍ଷେତ୍ରରେ ଡ୍ରେସ୍‌କୋଡ୍‌ ଲାଗୁ ହୋଇପାରି ନାହିଁ। ସେମାନେ ଇଚ୍ଛା ମୁତାବକ ଡ୍ରେସ୍‌ ପିନ୍ଧି କ୍ୟାମ୍ପସକୁ ଆସୁଥିବା ଦେଖିବାକୁ ମିଳୁଛି।

ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଡ୍ରେସ୍‌କୋଡ ପରିବର୍ତ୍ତନ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଛି ସତ। ମାତ୍ର ନିଷ୍ପତ୍ତି ଚୂଡ଼ାନ୍ତ ହୋଇନି। ଏବେ ପ୍ରାଥମିକ ବିଦ୍ୟାଳୟ ପାଇଁ ଗୋଟିଏ ପ୍ରକାର ଡ୍ରେସ୍‌କୋଡ ହୋଇଥିବା ବେଳେ ହାଇସ୍କୁଲ ପାଇଁ ଅଲଗା ପ୍ରକାର ରହିଛି। ଏହାଦ୍ବାରା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି ହେଉଛି। ତାହାକୁ ଦୂର କରିବା ସହ ସବୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ୍‌ ଗୋଟିଏ ପ୍ରକାର କରିବାକୁ ଯୋଜନା ଚାଲିଛି। ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ଅଧ୍ୟାପକ ଓ ଅଧ୍ୟାପିକାଙ୍କ କୌଣସି ଡ୍ରେସ୍‌କୋଡ କରାଯାଇନାହିଁ। ଇତିମଧ୍ୟରେ ଯୁକ୍ତ୨ କଲେଜ ଗଣଶିକ୍ଷା ବିଭାଗ ଅଧୀନକୁ ଆସିଥିବାରୁ ସେମାନଙ୍କ କ୍ଷେତ୍ରରେ ବି ଡ୍ରେସ୍‌କୋଡ ଲାଗୁ କରାଯାଇପାରେ।