ନିତି ଆୟୋଗର ଏସ୍‌ଡିଜି ରିପୋର୍ଟ: ଭୁବନେଶ୍ୱରର ସ୍କୁଲ ପଢ଼ା ଅନୁପଯୋଗୀ

୨୦ ପ୍ରତିଶତ ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍
୭୫ ପ୍ରତିଶତ ସ୍କୁଲ୍‌ ଇଣ୍ଟରନେଟ୍ ସେବାରୁ ବଞ୍ଚିତ
ଶୀର୍ଷରେ ଥିରୁଅନନ୍ତପୁରମ୍

ଭୁବନେଶ୍ୱର : ଭୁବନେଶ୍ବରର ସ୍କୁଲଗୁଡ଼ିକ ପାଠପଢ଼ା ପାଇଁ ଅନୁପଯୋଗୀ। ଅଧିକାଂଶ ସ୍କୁଲର ଭିତ୍ତିଭୂମି ଅସଜଡ଼ା। ବିଦ୍ୟୁତ୍‌ ସଂଯୋଗୀକରଣ, ପିଇବା ପାଣିର ସୁବିଧା ଭଳି ମୌଳିକ ସୁବିଧା ଅନେକ ସ୍କୁଲରେ ନାହିଁ। କମ୍ପ୍ୟୁଟର୍‌ କିମ୍ବା ଇଣ୍ଟରନେଟ୍‌ ସୁବିଧା ଦୂରର କଥା, ମାଧ୍ୟମିକ ଶିକ୍ଷା(ନବମ, ଦଶମ)ରେ ଛାତ୍ରଙ୍କ ତୁଳନାରେ ଯେତିକି ଶିକ୍ଷକ ରହିବା କଥା, ନାହାନ୍ତି। ସ୍ମାର୍ଟସିଟିରେ ଥିବା ବିଦ୍ୟାଳୟଗୁଡ଼ିକର ଏଭଳି ଅସଜଡ଼ା ଭିତ୍ତିଭୂମିର ବାସ୍ତବ ରୂପକୁ ପଦାରେ ପକାଇଛି ନିତି ଆୟୋଗର ଏସ୍‌ଡିଜି(ନିରନ୍ତର ବିକାଶ ଲକ୍ଷ୍ୟ)-୪, ସହରାଞ୍ଚଳ ସୂଚକାଙ୍କ ତଥ୍ୟ।

ତଥ୍ୟ ଅନୁଯାୟୀ, ଭୁବନେଶ୍ବରରେ ମାତ୍ର ୨୫.୧୦ ପ୍ରତିଶତ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ରହିଛି। ପ୍ରାୟ ୭୫ ପ୍ରତିଶତ ବିଦ୍ୟାଳୟରେ ଇଣ୍ଟରନେଟ୍ ସେବା ନଥିବାରୁ ଅନ୍‌ଲାଇନ୍ ଶିକ୍ଷା ବ୍ୟବସ୍ଥାକୁ ଆପଣାଇ ପାରିନାହାନ୍ତି। ସମଗ୍ର ଦେଶରେ ବିଦ୍ୟାଳୟଗୁଡ଼ିକୁ ଇଣ୍ଟରନେଟ୍ ସେବା ଯୋଗାଇବାରେ ଉତ୍ତରପ୍ରଦେଶର ଆଗ୍ରା ବିଫଳ ତାଲିକାର ଶୀର୍ଷରେ ଥିବା ବେଳେ କୋଲ୍‌କତା ଦ୍ବିତୀୟ ଏବଂ ଭୁବନେଶ୍ବର ତୃତୀୟରେ ରହିଛି। ବିଦ୍ୟାଳୟଗୁଡ଼ିକୁ ଇଣ୍ଟରନେଟ୍ ସଂଯୋଗୀକରଣରେ କେରଳର ଥିରୁଅନନ୍ତପୁରମ୍ ଶୀର୍ଷରେ ରହିଛି। ସେହିଭଳି ଭୁବନେଶ୍ବରର ମାତ୍ର ୫୭.୩୪ ପ୍ରତିଶତ ବିଦ୍ୟାଳୟରେ ପିଲାଙ୍କ ପାଇଁ କମ୍ପ୍ୟୁଟର୍ ରହିଛି।

The Tribune

କେବଳ ଆଧୁନିକ ଶିକ୍ଷା ପଦ୍ଧତି ନୁହେଁ, ବିଦ୍ୟାଳୟକୁ ପିଇବା ପାଣି ଓ ବିଦ୍ୟୁତ୍ ସଂଯୋଗୀକରଣ କ୍ଷେତ୍ରରେ ମଧ୍ୟ ଭୁବନେଶ୍ବର ପଛୁଆ। ସର୍ବେକ୍ଷଣ ପାଇଁ ଚୟନ ହୋଇଥିବା ଦେଶର ୫୬ଟି ସହର ମଧ୍ୟରୁ ୨୪ଟି ସହରରେ ଥିବା ସମସ୍ତ ବିଦ୍ୟାଳୟରେ ପିଇବା ପାଣି ଉପଲବ୍ଧ ଥିବା ବେଳେ ୨୧ ସହରରେ ଶତପ୍ରତିଶତ ବିଦ୍ୟୁତ୍ ସଂଯୋଗ ହୋଇଛି। ମାତ୍ର ଭୁବନେଶ୍ବରରେ ପ୍ରାୟ ୨୦ ପ୍ରତିଶତ ବିଦ୍ୟାଳୟରେ ଏବେ ବି ବିଦ୍ୟୁତ୍ ନଥିବା ବେଳେ ସବୁ ବିଦ୍ୟାଳୟରେ ପିଇବା ପାଣିର ସୁବିଧା ନାହିଁ। ଫଳରେ ବିଦ୍ୟାଳୟର ଶୈକ୍ଷିକ ଭିତ୍ତିଭୂମିରେ ଏହା ଆଉ ଏକ ଅସଜଡ଼ା ଦିଗ ବୋଲି ନିତି ଆୟୋଗର ଏସ୍‌ଡିଜି ରିପୋର୍ଟ ସୂଚାଇ ଦେଇଛି।

ମାଧ୍ୟମିକ ଶିକ୍ଷା ଅର୍ଥାତ୍ ନବମ ଓ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକଙ୍କ ଅନୁପାତ ମଧ୍ୟ ନୈରାଶ୍ୟଜନକ। ପ୍ରତି ୨୩ଜଣ ପିଲାଙ୍କୁ ଜଣେ ଶିକ୍ଷକ ଭୁବନେଶ୍ବରରେ ପାଠ ପଢ଼ାଉଥିବା ବେଳେ ପାଟନା, ରାୟପୁର, କୋଟା ଭଳି ସହରର ବିଦ୍ୟାଳୟରେ ପିଲାଙ୍କ ତୁଳନାରେ ଶିକ୍ଷକଙ୍କ ହାର ଭଲ ରହିଛି। ସେହିଭଳି ମାଧ୍ୟମିକ ଶିକ୍ଷା(ନବମ, ଦଶମ)ରେ ପଢ଼ୁଥିବା ପିଲାଙ୍କୁ ପାଠ ପଢ଼ାଇବା ପାଇଁ ୮୩.୯୦ ପ୍ରତିଶତ ଶିକ୍ଷକ ପ୍ରଶିକ୍ଷଣପ୍ରାପ୍ତ ଅର୍ଥାତ୍ ପଢ଼ାଇବାକୁ ଯୋଗ୍ୟ ବୋଲି ଏସ୍‌ଡିଜି ଇଣ୍ଡେକ୍ସର ରିପୋର୍ଟରେ ଦର୍ଶାଯାଇଛି।

ଏହିଭଳି ମୋଟ ବିଦ୍ୟାଳୟର ତଥା ଶିକ୍ଷା ପଦ୍ଧତିର ୮ଟି ଦିଗକୁ ନେଇ ଦେଶର ବିଭିନ୍ନ ରାଜ୍ୟର ବଛାବଛା ୫୬ଟି ସହରକୁ ସାମିଲ କରାଯାଇଥିଲ। ନିତି ଆୟୋଗ ଶିକ୍ଷା ଭିତ୍ତିଭୂମି ଉପରେ ସର୍ବେକ୍ଷଣର ଏସଡିଜି ରିପୋର୍ଟକୁ ଆଧାର କରି ମାର୍କ ଦେଇଥିଲେ। ସେଥିରେ ଭୁବନେଶ୍ବରକୁ ମୋଟ ୧୦୦ରୁ ୫୦ ମାର୍କ ମିଳିଥିବା ବେଳେ ୫୬ତମ ଅର୍ଥାତ୍ ଶେଷ ରାଙ୍କ୍‌ରେ ରହିଛି। ଅପରପକ୍ଷେ କେରଳର ଥିରୁଅନନ୍ତପୁରମ୍ ୯୬ମାର୍କ ସହ ଶୀର୍ଷରେ ଥିବା ବେଳେ ଦ୍ବିତୀୟରେ କୋଚି (୯୩ମାର୍କ) ରହିଛି।

ସମ୍ବନ୍ଧିତ ଖବର