ଭୁବନେଶ୍ବର: ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବାକୁ ନିୟମ ରହିଛି। ଏଥିପାଇଁ ସରକାର ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦେବା ସହ ସେସବୁର ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ଖର୍ଚ୍ଚ ବି ଦେଉଛନ୍ତି। ମାତ୍ର ପରିତାପର କଥା ବହୁ ବିଦ୍ୟାଳୟରେ ଏହି ଯନ୍ତ୍ର ନାହିଁ। ରାଜଧାନୀର ବହୁ ବଡ଼ବଡ଼ ବିଦ୍ୟାଳୟକୁ ବି ଏହି ଯନ୍ତ୍ର ମିଳିନାହିଁ। କିଛି ହାତଗଣତି ବିଦ୍ୟାଳୟକୁ ବାଦ୍ ଦେଲେ ରାଜଧାନୀର ଅଧିକାଂଶ ବିଦ୍ୟାଳୟରେ ଏହି ବ୍ୟବସ୍ଥା ନାହିଁ। ତେଣୁ କୌଣସି କାରଣରୁ ଅଘଟଣ ଘଟିଲେ, ସୁରକ୍ଷାଜନିତ ପ୍ରାଥମିକ ବ୍ୟବସ୍ଥା ଗ୍ରହଣ କରିବାକୁ କିଛି ନାହିଁ। ଦମକଳ ବାହିନୀ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବାଧ୍ୟ।
ଚନ୍ଦ୍ରଶେଖରପୁରସ୍ଥିତ ରେଲୱେ କଲୋନି ଉଚ୍ଚ ବିଦ୍ୟାଳୟ ହେଉଛି ରାଜଧାନୀର ଏକ ଅନ୍ୟତମ ବୃହତ୍ ବିଦ୍ୟାଳୟ। ମାତ୍ର ଏଠାରେ ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ। ଏହା ଏକ ସରକାରୀ ବିଦ୍ୟାଳୟ ହୋଇଥିଲେ ବି ସେଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରତି ଆଖି ବୁଜି ଦିଆଯାଇଛି। ସେହିପରି ଡମଣାସ୍ଥିତ ସୀତାନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଏହି ବ୍ୟବସ୍ଥା ନାହିଁ। ଏହା ଏକ ବ୍ଲକ୍ ଗ୍ରାଣ୍ଟ ବିଦ୍ୟାଳୟ। ସରକାରୀ ବିଦ୍ୟାଳୟକୁ ଅଗ୍ନି ନିର୍ବାପକ ଯନ୍ତ୍ର ମିଳିନଥିବା ବେଳେ ବ୍ଲକ୍ ଗ୍ରାଣ୍ଟ ବିଦ୍ୟାଳୟକୁ କିଏ ପଚାରୁଛି ବୋଲି ଏହାର ଛାତ୍ର ଅଭିଭାବକମାନେ କହିଛନ୍ତି।
ତେବେ କ୍ୟାପିଟାଲ ହାଇସ୍କୁଲ, ଖାରବେଳନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ଟେକ୍ଷ୍ଟ ବୁକ୍ ପ୍ରେସ୍ କଲୋନି ବିଦ୍ୟାଳୟ, ୟୁନିଟ୍-୯ ହାଇସ୍କୁଲ, ବାଣୀବିହାର ୟୁନିଭର୍ସିଟି ହାଇସ୍କୁଲ ଭଳି କିଛି ନାମୀ ସରକାରୀ ବିଦ୍ୟାଳୟରେ ଅଗ୍ନି ନିର୍ବାପକ ଯନ୍ତ୍ର ଅଛି। ରାଜଧାନୀରେ ଥିବା ୫୯ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୨୫ଟି ବିଦ୍ୟାଳୟରେ ଏହି ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ଅଭିଯୋଗ ହୋଇଛି। ସମ୍ପ୍ରତି ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବହୁ ସରକାରୀ ବିଦ୍ୟାଳୟରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଇନାହିଁ। ଏବେ ବି ବହୁ ବିଦ୍ୟାଳୟରେ ପୁରୁଣା ବିଲ୍ଡିଂ ରହିଛି। ସେଠାରେ ବିଦ୍ୟୁତ୍ ୱେୟାରିଂ ପୁରୁଣା ହୋଇଗଲାଣି। ତେଣୁ ସର୍ଟ ସର୍କିଟ୍ ହେବା ଆଶଙ୍କା ରହିଛି।
ତେଣୁ ସେଭଳି ଆକସ୍ମିକ ଅଘଟଣ ବେଳେ ଅଗ୍ନି ନିର୍ବାପକ ଯନ୍ତ୍ର ହିଁ ବହୁ କାମରେ ଲାଗିବ। ଅନ୍ୟ ପକ୍ଷରେ ଯେଉଁ ବିଦ୍ୟାଳୟରେ ଅଗ୍ନି ନିର୍ବାପକ ଯନ୍ତ୍ର ଲାଗିଛି, ସେଠାରେ ତାହାର ବ୍ୟବହାର ବାବଦରେ କୌଣସି ସ୍ବତନ୍ତ୍ର ତାଲିମ ଦିଆଯାଇନାହିଁ। ଅନେକ ଶିକ୍ଷକ ଏହାର ବ୍ୟବହାର ଜାଣିନାହାନ୍ତି। ତେଣୁ ଯନ୍ତ୍ରଟି ଥିବା ନଥିବା ସମାନ ବୋଲି କୁହାଯାଉଛି। ଏନେଇ ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞା ପରମିତା ଜେନା କହିଛନ୍ତି ଯେ ସମସ୍ତ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କୁହାଯାଇଛି। ତେବେ କେଉଁ ସ୍କୁଲ୍ରେ ଏହି ଯନ୍ତ୍ର ଲାଗିନାହିଁ, ସେନେଇ ଅନୁଧ୍ୟାନ କରାଯିବ ଓ ତୁରନ୍ତ ବିହିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/44-10.jpg)