ରାଜଧାନୀରେ ବି ଅଛି ଏମିତି ସ୍କୁଲ୍‌: ଶ୍ରେଣୀ ଗୃହ, ଶିକ୍ଷକ ସବୁ ଅଭାବ

ଶ୍ରେଣୀ ଗୃହ, ଶିକ୍ଷକ ସବୁ ଅଭାବ

ଭୁବନେଶ୍ୱର: ଶ୍ରେଣୀ ଗୃହ ନାହିଁ ବୋଲି ନାମଲେଖା ବନ୍ଦ କରି ଦିଆଯାଇଛି। ୪ଟି ଶ୍ରେଣୀ ଗୃହରେ ଚାଲିଛି ୭ଟି ଶ୍ରେଣୀର ପାଠ ପଢ଼ା। ଶିକ୍ଷକ ବି ଅଭାବ। ଜଣେ ଶିକ୍ଷକ ଏକାଥରେ ଦୁଇଟି ଶ୍ରେଣୀର ପାଠ ପଢ଼ାଉଛନ୍ତି। ବାରଣ୍ଡାରେ ପିଲା ମଧ୍ୟାହ୍ନ ଭୋଜନ କରୁଛନ୍ତି। ଏହା ହେଉଛି ରାଜଧାନୀର କେନ୍ଦ୍ର ସ୍ଥଳରେ ସତ୍ୟନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଥିତି। ସରକାରୀ ସ୍କୁଲ୍‌ର ଭିତ୍ତିଭୂମିର ବିକାଶ ପାଇଁ ଢେର୍‌ କାମ କରାଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ରାଜଧାନୀ ସ୍କୁଲ୍‌ର ଏହି ଦୁରାବସ୍ଥା ଆମ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ପଦାରେ ପକାଇ ଦେଉଛି। ଭୁବନେଶ୍ୱର ପୌରପାଳିକା ପକ୍ଷରୁ ୧୯୮୮ ସେପ୍ଟେମ୍ବରରେ ଏହି ସ୍କୁଲ୍‌ ପ୍ରତିଷ୍ଠା ହୋଇଥିଲା। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପାଇଁ ବ୍ୟବସ୍ଥା ଥିଲା। ପାଖାପାଖି ପ୍ରାୟ ୧୦ଟି ବସ୍ତିର ପିଲା ଏହି ସ୍କୁଲ୍‌ ଉପରେ ନିର୍ଭର କରନ୍ତି। କିନ୍ତୁ ସମସ୍ୟା ଭିତରେ ଛନ୍ଦି ହୋଇପଡ଼ିଥିବା ଏହି ସ୍କୁଲ୍‌ରେ ଏବେ ଶିକ୍ଷା ପରିବେଶ ପୂରା ବିଗିଡ଼ି ଯାଇଛି। ଶ୍ରେଣୀ ଗୃହ ଅଭାବରୁ ଏଠାରେ କେବଳ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଉଛି। ବର୍ତ୍ତମାନ ସ୍କୁଲ୍‌ର ଛାତ୍ରଛାତ୍ରୀ ସଂଖ୍ୟା ୧୦୦ରୁ ଅଧିକ। ମାତ୍ର ୪ଟି ଶ୍ରେଣୀ ଗୃହ ଥିବାରୁ ସେଥିରେ ୭ଟି ଶ୍ରେଣୀର ପିଲା ବସୁଛନ୍ତି। ପ୍ରତି ଶ୍ରେଣୀ ଗୃହରେ ଦୁଇଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ା ଯାଉଛି। ଜଣେ ଜଣେ ଶିକ୍ଷକ ଏକାଥରେ ଦୁଇଟି ଶ୍ରେଣୀରେ ପାଠ ପଢ଼ାଉଛନ୍ତି। ସମସ୍ୟା ଏତିକିରେ ଅଟକି ନାହିଁ। ମଧ୍ୟାହ୍ନ ଭୋଜନ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ନାହିଁ। ଫଳରେ ପିଲାମାନେ ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ପୁଣି ନିକଟରେ ତୋଷାଳି ପ୍ଲାଜା ରହିଥିବାରୁ ଅଧିକାଂଶ ସମୟରେ ସ୍କୁଲ୍‌ ସାମ୍ନାରେ ଗାଡ଼ି ପାର୍କିଂ ହେଉଛି ଓ ଲୋକଙ୍କ ଭିଡ଼ ଜମୁଛି। ଫଳରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହି ସ୍କୁଲ୍‌ ପରିବେଶ ଦେଖିଲେ, ଏଠାରେ ଯେ ପିଲା ପାଠ ପଢ଼ୁଛନ୍ତି ତାହା ବିଶ୍ୱାସ କରିହେବନି। ସ୍କୁଲ୍‌ର ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ସମୟରେ ପ୍ରତିଶ୍ରୁତି ମିଳିିଥିଲେ ବି ତାହା ଫଳପ୍ରଦ ହୋଇ ନାହିଁ।

ଏ ସମ୍ପର୍କରେ ଭୁବନେଶ୍ୱର ବ୍ଲକ୍‌ ଶିକ୍ଷା ଅଧିକାରୀ ସସ୍ମିତା ମାଳି କହିଲେ, ସ୍କୁଲ କ୍ୟାମ୍ପସ୍‌ ଛୋଟ ହୋଇଥିବାରୁ ଏହାକୁ ଉନ୍ନତୀକରଣ କରିବାକୁ ଅସୁବିଧା ହେଉଛି। ଶ୍ରେଣୀ ଗୃହ କମ୍‌ ଥିବାରୁ ଏଇ କିଛି ମାସ ତଳେ ଏକ ନୂଆ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି। ସ୍କୁଲର ବାକି ଯେଉଁ ସମସ୍ୟା ଗୁଡ଼ିକ ରହିଛି ମୁଁ ସ୍ଥାନୀୟ କର୍ପୋରେଟରଙ୍କ ସହ ଆଲେଚନା କରି ତୁରନ୍ତ ସମାଧାନ କରାଯିବ। ଶିକ୍ଷକ ଅଭାବ ନଜରକୁ ଆସିଛି। ଏହାର ସମାଧାନ ପାଇଁ ଉଦ୍ୟମ କରାଯାଉଛି।

ସମ୍ବନ୍ଧିତ ଖବର