ଭୁବନେଶ୍ବର: ବିନା ସ୍ବୀକୃତିରେ ଚାଲିଛି ଶତାଧିକ ବେସରକାରୀ ସ୍କୁଲ। ସିଓଆର(ସାର୍ଟିଫିକେଟ୍‌ ଅଫ୍‌ ରେକୋଗନେସନ୍‌) ଓ ଏନଓସି(ନୋ ଅବଜେକ୍ସନ ସାର୍ଟିଫିକେଟ୍‌) ନ ଥାଇ ବେଆଇନ ଭାବେ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ନାମଲେଖା କରୁଛନ୍ତି। ସିଓଆର ପାଇ ନ ଥିଲେ ମଧ୍ୟ ସ୍କୁଲଗୁଡ଼ିକ ପ୍ରଥମରୁ ଅଷ୍ଟମ ଓ ବିନା ଏନ୍‌ଓସିରେ ୯ମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି। ଅଭିଭାବକ ଅସୁବିଧାରେ ପଡ଼ି ନାମ ଲେଖାଇବା ଦ୍ବାରା ପିଲାମା‌ନେ ଭବିଷ୍ୟତରେ ବିଭିନ୍ନ ସରକାରୀ ସାହାଯ୍ୟ ଓ ସୁବିଧାରୁ ବଞ୍ଚିତ ହେଉଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ଦିଗରେ ପଦକ୍ଷେପ ନେବା ସହ ବେଆଇନ ଭାବେ ଚାଲିଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ଦାବି କରିଛି।

Advertisment

ଏହି ପରିପ୍ରେକ୍ଷୀରେ ମହାସଂଘ ପକ୍ଷରୁ ଭୁବନେଶ୍ୱରର ସ୍କୁଲଗୁଡ଼ିକୁ ଅନୁଧ୍ୟାନ କରାଯାଇ ନିୟମ ଖିଲାପକାରୀ ୧୬ଟି ସ୍କୁଲର ତାଲିକା ଖୋର୍ଦ୍ଧା ଜିଲ୍ଲା ଶିକ୍ଷା‌ ଅଧିକାରୀଙ୍କୁ ଦିଆଯାଇଛି। ଏଥିସହ ବେଆଇନ ଚାଲୁଥିବା ସ୍କୁଲ ବିରୋଧରେ ଥାନାରେ ଏତଲା ଦେବା ଲାଗି ଦାବି କରାଯାଇଛି। ତାଲିକାରେ ଭୁବନେଶ୍ୱରର ନାମୀଦାମୀ ସ୍କୁଲ ରହିଛି। ଯେଉଁମାନେ କି ବିନା ସିଓଆର ଓ ଏନ୍‌ଓସିରେ ଚାଲୁଛି। ଏହାଦ୍ୱାରା ପିଲାଙ୍କ ଅଧିକାର କ୍ଷୁଣ୍ଣ ହେବା ସହ ଜଷ୍ଟିସ ଜୁଭେନାଇଲ ଆକ୍ଟର ବହୁଳ ଅପବ୍ୟବହାର ହୋଇଥିବାରୁ ଭାରତୀୟ ପିଙ୍ଗଳ କୋଡ-ଆଇପିସିର ବିଭିନ୍ନ ଦଫାରେ ଥାନାରେ ମାମଲା କରାଯାଉ ବୋଲି ମହାସଂଘର ସହ ଅଧ୍ୟକ୍ଷ ଭୂମୋହନ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଓ ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି। ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ, ତେବେ ମହାସଂଘ ସ୍କୁଲଗୁଡ଼ିକ ବିରୋଧରେ ଥାନାରେ ଏତଲା ଦେବା ସହ ବ୍ୟାପକ ଆନ୍ଦୋଳନ କରିବ ବୋଲି ମହାସଂଘର ଭୁବନେଶ୍ୱର ଜିଲ୍ଲା ଶାଖା ଆବାହକ ଶଙ୍କର୍ଷଣ ସାମନ୍ତରାୟ, ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ବିନା ସ୍ୱୀକୃତିରେ ଚାଲୁଥିବା ସ୍କୁଲ ବି‌ରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଜଣାଇବା ଲାଗି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଗତ ୧୭ ତାରିଖ‌ରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କଠାରୁ ରିପୋର୍ଟ ତଲବ କରିଥିଲେ।