ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ କମୁନି। ଏବେ ବି ପ୍ରତିଦିନ ୩୦୦ରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି। ଦିନେ ଦିନେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ବି ଟପିଯାଉଛି। ଯେଉଁଥିପାଇଁ ଜିଲ୍ଲା ଏବେ ବି ରେଡ୍ ଜୋନ୍ରେ ରହିଛି। ତା’ପରେ ବି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସୋମବାରଠାରୁ ଜିଲ୍ଲାରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବାକୁ ଯାଉଛି। କରୋନା କଟକଣା ମଧ୍ୟରେ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ହେବାକୁ ଥିବାରୁ ଆଜି ଦିନତମାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ପିଲାଙ୍କୁ କେଉଁଭଳି ଭାବେ ଶିକ୍ଷାଦାନ କରାଯିବ ସେନେଇ ଜିଲ୍ଲାସ୍ତରରେ ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି ସହ ତଦାରଖ ଲାଗି ଜିଲ୍ଲା, ବ୍ଲକ ଓ କ୍ଲଷ୍ଟରସ୍ତରରେ ଟିମ୍ ଗଠନ ହୋଇଛି।
ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ହ୍ରାସ ପାଇଥିବା ସିଲାବସ୍ ଅନୁଯାୟୀ ପିଲାଙ୍କ ପାଠପଢ଼ା ହେବ। ପାଠ୍ୟପୁସ୍ତକର କେଉଁ ବିଷୟଗୁଡ଼ିକ ପଢ଼ାଯିବ କ୍ଲାସ ଶିକ୍ଷକମାନେ ତାହାକୁ ନାଲି ରଙ୍ଗରେ ଚିହ୍ନଟ କରିବେ। ଟାଇମ୍ଟେବୁଲ୍ ପ୍ରସ୍ତୁତ କରାଯାଇ ତାହାକୁ କ୍ଲାସରୁମ୍ରେ ପ୍ରଦର୍ଶିତ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ଆଗୁଆ ସୂଚନା ଦିଆଯିବ। ଚାପ୍ଟର-୧ରୁ ପାଠପଢ଼ା ଆରମ୍ଭ ହେବ। ପଢ଼ାଇବା ସମୟରେ ଶିକ୍ଷକମାନେ ଟେଷ୍ଟ ପେପର ବ୍ୟବହାର କରିବେ ନାହିଁ। ବରଂ ପାଠ୍ୟପୁସ୍ତକ ଉପରେ ଗୁରୁତ୍ବ ଦେବେ। କ୍ଲାସରୁମ୍ଗୁଡ଼ିକରେ ପବନ ଚଳପ୍ରଚଳ ସହ ଆଲୋକ ସୁବିଧା ରହିବା ନିହାତି ଆବଶ୍ୟକ। ସ୍କୁଲରେ ମେଣ୍ଟରିଂ ସିଷ୍ଟମ୍ କରାଯିବ। ପ୍ରତି ମେଣ୍ଟର ଶିକ୍ଷକଙ୍କ ଅଧୀନରେ ୧୦ ଜଣ ପିଲା ରହିବେ। ସେମାନେ ପିଲାଙ୍କ ଭଲ ମନ୍ଦ ବୁଝିବା ସହ ଅଭିଭାବକଙ୍କ ସହ ନିୟମିତ ଯୋଗାଯୋଗ କରିବେ।
/sambad/media/post_attachments/wp-content/uploads/2021/07/f5h56fs4h564sf56hfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfs.jpg)
ୟୁ-ଟ୍ୟୁବ ଲାଇଭ୍, ଶିକ୍ଷା ଦର୍ପଣ, ଡିଡି ଓଡ଼ିଆ, ରେଡିଓ ପାଠଶାଳା ସମ୍ପର୍କରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଅବଗତ ଓ ସଚେତନ କରାଇବେ। ସ୍କୁଲ ପ୍ରବେଶ ପଥରେ ପିଲାଙ୍କ ରୋଲ୍ ନମ୍ବର ଓ ରୁମ୍ ନମ୍ବର ସମ୍ପର୍କରେ ଉଲ୍ଲେଖ କରିବେ। ଜିଲ୍ଲା ଓ ବ୍ଲକସ୍ତରରେ କଣ୍ଟ୍ରୋଲ ରୁମ୍ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖୋଲାରହିବ। ଜିଲ୍ଲା କଣ୍ଟୋଲ ରୁମ୍ ନମ୍ବର ୦୬୭୫୫-୨୨୩୫୨୫/୦୬୭୫୫-୨୨୩୫୦୫ ସମ୍ପର୍କରେ ସମସ୍ତ ହତାଧିକାରୀଙ୍କୁ ଅବଗତ କରାଯିବ। ଏହାବ୍ୟତୀତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ସ୍ତରରେ ମଧ୍ୟ କଣ୍ଟ୍ରୋଲ ରୁମ୍ ଖୋଲିବ। ଉପରୋକ୍ତ ନିୟମାବଳୀ କିଭଳି ସଠିକ୍ ଭାବେ ପାଳନ କରାଯିବ ବ୍ଲକ ଓ କ୍ଲଷ୍ଟରସ୍ତରୀୟ କମିଟି ତାହାକୁ ତଦାରଖ କରିବ। କରୋନା କଟକଣା ପାଳନ ଓ ପାଠପଢ଼ାର ତଦାରଖ ଲାଗି ଜିଲ୍ଲାସ୍ତରରେ ୧୦ ଜଣିଆ ମନିଟରିଂ ଟିମ୍ ଗଠନ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ବନ୍ଦନା ମହାପାତ୍ର ଜିଲ୍ଲାର ମନିଟରିଂ ଦାୟିତ୍ବରେ ରହିଛନ୍ତି। ଅତିରିକ୍ତ ଡିଇଓ ସ୍ନିଗ୍ଧା ମିଶ୍ର ବାଲିଅନ୍ତା, ବାଲିପାଟଣା, ଭୁବନେଶ୍ବର, ବିଏମ୍ସି ଓ ଜଟଣୀ ବ୍ଲକ ଦାୟିତ୍ବରେ ଥିବା ବେଳେ ଅତିରିକ୍ତ ଡିଇଓ ଅମ୍ରିତା ପ୍ରୀତିନନ୍ଦା ବାଣପୁର, ବେଗୁନିଆ, ବୋଲଗଡ଼, ଚିଲିକା, ଖୋର୍ଧା ଓ ଟାଙ୍ଗୀ ଦାୟିତ୍ବରେ ରହିଛନ୍ତି। ଟିମ୍ରେ ଅନ୍ୟ ଅଧିକାରୀମାନେ ମଧ୍ୟ ସାମିଲ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/f4h54sfh54fs56h45s6fhhhhhhhhhhhhhhhh.jpg)