ଭୁବନେଶ୍ବର: କରୋନା ତୃତୀୟ ଲହର ଭୟରେ ମାସାଧିକ କାଳ ବନ୍ଦ ରହିଥିବା ସ୍କୁଲ ଆଜି ପୁଣିଥରେ ସ୍କୁଲ ‌ଖୋଲିଛି। କୋଭିଡ୍‌ କଟକଣା ମଧ୍ୟରେ ପିଲାମାନେ ସ୍କୁଲ ଯିବା ସହ କ୍ଲାସ କରିଛନ୍ତି। ପ୍ରଥମ ଦିନରେ ସେମାନଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି। ନିଜ ପ୍ରିୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁଣିଥରେ ପାଖରେ ପାଇ ପିଲାମାନେ ଉତ୍ସାହିତ ହୋଇପଡ଼ିଥିଲେ। ପିଲାଙ୍କୁ ସ୍ବାଗତ କରିବା‌ ଲାଗି ଶିକ୍ଷକ ଶିକ୍ଷୟିତ୍ରୀ ବି ସକାଳୁ ଲାଗି ପଡ଼ିଥିଲେ। ବିଦ୍ୟାଳୟକୁ ପ୍ରବେଶ ସମୟରେ ଥର୍ମାଲ୍ ସ୍କ୍ରିନିଂକୁ କଡ଼ାକଡ଼ି କରାଯାଇଥିଲା। ସାମାଜିକ ଦୂରତା ରକ୍ଷା କରି ଛାତ୍ରଛାତ୍ରୀ କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲେ। ହ୍ୟାଣ୍ଡ ସାନିଟାଇଜ୍‌କୁ ଗୁରୁତ୍ବ ଦିଆଯାଇଥିଲା। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଏବଂ ଶ୍ରେଶୀ ଗୃହଗୁଡ଼ିକରେ ସିଟ୍‌କୁ ସଠିକ୍ ଦୂରତ୍ୱରେ ରଖାଯାଇ ପାଠପଢ଼ା ଆରମ୍ଭ ହୋଇଥିଲା। ମାତ୍ର କରୋନା ଭୟରେ କ୍ଲାସରେ ଉପସ୍ଥାନ ଅଧାରୁ କମ୍‌ ଥିଲା।

Advertisment

ଅସୁସ୍ଥ ଛାତ୍ରଛାତ୍ରୀଙ୍କ ପାଇଁ ସହରର ସମସ୍ତ ସ୍କୁଲରେ ଆଇସୋଲେସନ୍ ରୁମ୍‌ର ବ୍ୟବସ୍ଥା ହୋଇଛି। ସରକାରୀ ସମେତ ଘରୋଇ ବିଦ୍ୟାଳୟଗୁଡ଼ିକ ଏହାକୁ କଡ଼ାକଡ଼ି ପାଳନ କରିଛନ୍ତି। ଏହି ରୁମ୍‌ରେ କୋଭିଡ୍‌-୧୯ ମୁକାବିଲା ନେଇ ସମସ୍ତ ପ୍ରକାର ସୁବିଧା ସୁଯୋଗ ରଖାଯାଇଛି। ଅସୁସ୍ଥ ଥିବା କିମ୍ବା ଅନୁଭବ କରୁଥିବା ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନ ଆସିବାକୁ ଆଗୁଆ ପରାମର୍ଶ ଦିଆଯାଇଛି। ମାସେ ପରେ ପୁଣିଥରେ ସ୍କୁଲ ବସ୍‌ ଗଡ଼ିଛି। ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ଆଜିଠାରୁ ବସ୍‌ ଚଳାଚଳ ଆରମ୍ଭ ହୋଇଛି। ପିଲାଙ୍କୁ ଘର ନିକଟରୁ ଉଠାଇବା ସମୟରେ ହ୍ୟାଣ୍ଡ ସାଇଟାଇଜର୍‌ ମାଧ୍ୟମରେ ସେମାନଙ୍କ ହାତଧୁଆ କରାଇଥିଲେ। ଓହ୍ଲାଇବା ସମୟରେ ବି ଧୋଇଥିଲେ। ବସ୍‌ କ୍ୟାମ୍ପସରୁ ଛାଡ଼ିବା ସମୟରେ ବିଶୋଧନ ହୋଇଥିଲା। ପହଞ୍ଚିବା ପରେ ବି ବିଶୋଧନ କରାଯାଇଥିଲା।

ପ୍ରଥମ ଦିନରେ ଭୁବନେଶ୍ବରର ବିଭିନ୍ନ ବିଦ୍ୟାଳୟରେ ଉପସ୍ଥାନ ସାମାନ୍ୟ କମ୍‌ ରହିଥିଲା। ଖୋର୍ଦ୍ଧା ଜିଲ୍ଲାର ମୋଟ ୫୦୮ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ୧୦ ହଜାର ୩୪, ନବମ ଓ ଦଶମରେ ୨୧ହଜାର ୬୫୨, ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ୧୧ ହଜାର ୧୯୯ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଅଷ୍ଟମ ଶ୍ରେଣୀରେ ୪୩.୯୮ %, ନବମ ଓ ଦଶମରେ ୪୮.୯୫ % ଏବଂ ଏକାଦଶ ଓ ଦ୍ବାଦଶରେ ଉପସ୍ଥାନ ୪୩.୯୧% ରହିଥିଲା। ସେହିପରି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଅଷ୍ଟମ ଶ୍ରେଣୀରେ ୩୫.୯୪%, ନବମ ଓ ଦଶମରେ ୩୯.୧୫% ଏବଂ ଭୁବନେଶ୍ବର ବ୍ଲକ ଅଧୀନ ବିଦ୍ୟାଳୟଗୁଡ଼ିକରେ ଅଷ୍ଟମ ଶ୍ରେଣୀରେ ୪୪.୮୨%, ନବମ ଓ ଦଶମରେ ୪୮.୧୮% ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।